www.samajalive.in
Thursday, December 11, 2025
16.1 C
Bhubaneswar

ବିଜେପିର ‘ପରୀ’ ପଣ: ନ୍ୟାୟ ମିଳିବା ପର୍ଯ୍ୟନ୍ତ ଜାରି ରହିବ ସଂଗ୍ରାମ

ଭୂବନେଶ୍ୱର:ଆଇନ ଆଗରେ ବଡ ସାନର ବିଭେଦ ନାହିଁ। ପରୀ ଗରିବ ଅଟୋ ଡ୍ରାଇଭରର ଝିଅ। ପରୀର ଅପହରଣ ଓ ହତ୍ୟା କ’ଣ ଏକ ଛୋଟ ଘଟଣା ? ପରୀକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ସରକାରଙ୍କୁ ଚାପରେ ରଖିବା ପାଇଁ ବିଧାନସଭାରେ ଲମ୍ବା ସମୟ ଧରି ବିତର୍କର ଆବଶ୍ୟକ କ’ଣ ନଥିଲା ? ମାତ୍ର ଶାସକ ବିଜେଡି ଓ କଂଗ୍ରେସର ଯୋଡି ଏକାଠି ହୋଇ ଏକ ଷଡଯନ୍ତ୍ରର ଅଙ୍ଗ ଭାବେ ଗରୀବ ବାପା, ମାଁର ଝିଅ ପରୀକୁ ନ୍ୟାୟ ଦେବା ପରିବର୍ତେ ଅଭିଯୁକ୍ତ ଓ ଅଭିଯୁକ୍ତଙ୍କୁ ଘଂଟ ଘୋଡାଉଥିବା ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି।

ବୁଧବାର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ପରୀର ବିବାଦ ଛୋଟ ଝିଅ ଅପହରଣରୁ ଆରମ୍ଭ ହୋଇଛି। ଅପହରଣ ପରେ ହତ୍ୟାର ସଙ୍ଗୀନ ସତ୍ୟ ସାମ୍ନାକୁ ଆସିଛି। ପରୀର ବାପା, ମାଁ ତାଙ୍କ ଝିଅର ଆଖି, କିଡ୍‍ନି ଚୋରି ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ପରୀର ମରଶରୀର ଉଦ୍ଧାର ହେଲା ବେଳକୁ ସଂପୂର୍ଣ୍ଣ ମିଳାଇଯାଇଥିବା କହି ଝିଅଟିକୁ ଦୁଷ୍କର୍ମ କରାଯାଇଥିଲା କି ନାହିଁ, ତାର ପ୍ରମାଣ ନାହିଁ ବୋଲି ବିଧାନସଭାରେ ଖୋଦ୍‍ ଗୃହ ରାଷ୍ଟ୍ରମନ୍ତ୍ରୀ ବିବୃତି ଦେବା ସହ ଅସହାୟତା ପ୍ରକାଶ କରିଛନ୍ତି।୪ ମାସ ଧରି ପୋଲିସ କ’ଣ ତଦନ୍ତ କରୁଥିଲା ? ଅପର ପକ୍ଷରେ ନୟାଗଡ ପୋଲିସ ଅଭିଯୋଗକାରୀ ପରୀର ବାପା, ମାଁ ଓ ତାଙ୍କର ବଡବାଡା, ବଡମାଁଙ୍କ ପଲିଗ୍ରାଫ ଟେଷ୍ଟ କରିଛନ୍ତି।ବାବୁଲି ନାୟକ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ପରୀର ବାପା, ମାଁ ବାରମ୍ବାର କହିବା ସତ୍ୱେ କାହିଁକି ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲା ନାହିଁ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

- Advertisement -

ସ୍ଥାନୀୟ ପୋଲିସ ୫ ଲକ୍ଷ ଟଙ୍କା ନେଇ ପରୀର ବଡବାପା ଓ ବଡମାଁଙ୍କ ନାଁରେ ଅଭିଯୋଗ ଆଣିଲେ ପରୀର ମୂର୍ତି ପ୍ରତିଷ୍ଠା ସହ ସ୍କୁଲରେ ପରୀ ନାଁରେ ପୁରସ୍କାର ଦିଆଯିବ ବୋଲି କହି ପ୍ରଭାବିତ କରୁଥିଲେ ବୋଲି ପରୀର ବାପା, ମାଁ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି। ଅପର ପକ୍ଷେ ସ୍ଥାନୀୟସରପଂଚଙ୍କ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଦୁଇଟି ଭାଇରାଲ ଅଡିଓ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ଗୋଟିଏ ଅଡିଓରେ ମନ୍ତ୍ରୀ ଶ୍ରୀ ସାହୁ ସରପଂଚଙ୍କୁ ପରୀ ନ୍ୟାୟ ପାଇଁ ଆନ୍ଦୋଳନ ବନ୍ଦ କରିବାକୁ ଧମକ ଦେଉଛନ୍ତି। ଅନ୍ୟ ଅଡିଓରେ ପରୀର ହତ୍ୟାର ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକ ଭୁବନେଶ୍ୱରରେ ତାଙ୍କୁ ସାକ୍ଷାତ କରିଥିବା ନେଇ ମନ୍ତ୍ରୀ ଶ୍ରୀ ସାହୁ ସ୍ପଷ୍ଟ ଭାବେ କହୁଥିବା ଶୁଣାଯାଉଛି। ବିଧାନସଭାରେ ବିରୋଧୀ ଦଳ ନେତା  ପ୍ରଦୀପ୍ତ ନାଏକ ବାରମ୍ବାର ଏହି ପ୍ରସଙ୍ଗକୁ ଉଠାଇବା ସତ୍ୱେ ପରୀ ହତ୍ୟାକାଣ୍ଡରେ ମର୍ମାହତ ବୋଲି ନାଟକ କରୁଥିବା ମନ୍ତ୍ରୀ ଅରୁଣ ସାହୁ ଏହି ଭାଇରାଲ ଅଡିଓ ସଂପର୍କରେ କାହିଁକି ସ୍ପଷ୍ଟୀକରଣ ଦେଉନାହାନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

ରାଜ୍ୟ ସରକାର ଅଙ୍ଗ ତସ୍କରୀ ଘଟଣାରେ ସଂପୂର୍ଣ୍ଣ ହାତ ଟେକି ଦେଇଛନ୍ତି। ଏନସିଆରବି ରିପୋର୍ଟ ଅନୁଯାୟୀ ୨୦୧୭-୧୮ ଓ ୨୦୧୮-୧୯ରେ ରାଜ୍ୟରେ ୫୩୨୩ ଶିଶୁ ନିଖୋଜ ଅଛନ୍ତି। ପରୀର ବାପା, ମାଁ ବାବୁଲି ନାୟକଦ୍ୱାରା ଅଙ୍ଗ ତସ୍କରୀ ଓ ଏଥିରେ ମନ୍ତ୍ରୀ ଅରୁଣ ସାହୁଙ୍କ ସହାୟତା ପ୍ରସଙ୍ଗ ଉଠାଇଛନ୍ତି। ଯଦି ପରୀ ମାମଲାରେ ସଠିକ୍‍ ତଦନ୍ତ ହୁଏ, ଏହାର ସାରା ରାଜ୍ୟ ବ୍ୟାପୀ ସୁଦୁର ପ୍ରସାରୀ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇ ରାଜ୍ୟ ସରକାର ଓ ତାଙ୍କ ପୋଲିସ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ପରୋକ୍ଷରେ ସ୍ୱୀକାର କରିଛନ୍ତି। ତେଣୁ ନିରପେକ୍ଷ ପରୀ ହତ୍ୟାକାଣ୍ଡ ତଦନ୍ତ କେବଳ ସିବିଆଇ ଦ୍ୱାରା ସମ୍ଭବ। ଏହି ପରିସ୍ଥିତିରେ କ୍ଷମତାଶାଳୀ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଛଡା ପରୀ ପରିବାରକୁ ନ୍ୟାୟ ମିଳିବାର ସମ୍ଭାବନା ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ରାଜ୍ୟସରକାର ନିଜ ଜିଦ୍‍ରୁ ନ ଓହରିଲେ ଭାରତୀୟ ଜନତା ପାର୍ଟୀ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ଶ୍ରୀ ମହାନ୍ତି ଚେତାବନୀ ଦେଇଛନ୍ତି।
ଆଜିର ଏହି ସମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର ଏବଂ ଡା.ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories