ନୂଆଦିଲ୍ଲୀ: ବିଜେପି ୱେବସାଇଟ୍ bjp.org ହ୍ୟାକ୍ ହୋଇଛି। ମଙ୍ଗଳବାର ସକାଳେ କେହି ହ୍ୟାକର ଏହାକୁ ହ୍ୟାକ୍ କରିଛନ୍ତି। ଏହାପରେ ହ୍ୟାକର ଜର୍ମାନୀ ଚାନସେଲର ଏଞ୍ଜେଲା ମର୍କେଲଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର କେତେକ ଫଟୋ ପୋଷ୍ଟ କରିଛନ୍ତି। ଏଥିସହ ୱେବସାଇଟରେ ଅଶାଳୀନ ଶବ୍ଦରେ କେତେକ ମନ୍ତବ୍ୟ ଦିଆଯାଇଛି। ସୋସିଆଲ ମିଡିଆ ଟୁଇଟରରେ ଏଭଳି କେତେକ ସ୍କ୍ରିନଶଟ୍ ଫଟୋ ଦେଖିବାକୁ ମିଳିଛି। କିନ୍ତୁ ବିଜେପି ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ। ଉକ୍ତ ୱେବସାଇଟ୍କୁ ଖୋଲିବାକୁ ଉଦ୍ୟମ କରାଗଲେ ମଧ୍ୟ ତାହା ଖୋଲୁନାହିଁ।
ବିଜେପି ୱେବସାଇଟ୍ ଦେଶର ସବୁଠାରୁ ବ୍ୟସ୍ତବହୁଳ ୱେବସାଇଟରୁ ଗୋଟିଏ। ଏଥିରେ ଦଳର ଇତିହାସ, ଦଳର ନେତା, ରାଜ୍ୟର ସରକାର ଏବଂ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଇଛି। ଅନ୍ୟପଟେ ଏହା ଜଣାପଡ଼ିବା ପରେ କଂଗ୍ରେସ ମଧ୍ୟ ବିଜେପିର ମଜାକ ଉଡ଼ାଇଛି। କଂଗ୍ରେସ ଆଇଟି ସେଲ ପ୍ରମୁଖ ଦିୟା ସ୍ପନ୍ଦନା ଏ ସମ୍ପର୍କରେ ଟୁଇଟ୍ କରି ଲେଖିଛନ୍ତି, ‘ଭାଇ ଏବଂ ଭଉଣୀମାନେ ଯଦି ଆପଣମାନେ ଏବେ ବିଜେପି ୱେବସାଇଟ ଦେଖିନାହାନ୍ତି, ତା’ହେଲେ ଆପଣ ସତରେ କିଛି ମିସ୍ କରୁଛନ୍ତି।’



