www.samajalive.in
Saturday, December 13, 2025
21.1 C
Bhubaneswar

ଓଡ଼ିଶାରେ ପିଏମ୍ ଆବାସ ନିର୍ମାଣରେ ଦୁର୍ନୀତି ଓ ମନ୍ଥରତା : ଧର୍ମେନ୍ଦ୍ର ପ୍ରଧାନ

ଆଠଗଡ/ଭୁବନେଶ୍ୱର : ଓଡ଼ିଶା ସରକାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୨୪  ମାର୍ଚ୍ଚ ୩୧ ସୁଦ୍ଧା ପ୍ରାୟ ସାଢେ ୨୭ ଲକ୍ଷ ଘର ନିର୍ମାଣ କରିବା ପାଇଁ ମୋଦୀ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ଦିଆଯାଇଥିବା ବେଳେ ଏବେ ସୁଦ୍ଧା ରାଜ୍ୟରେ ୧୭ ଲକ୍ଷ ୫୬ ହଜାର ୭୧୪ ଘର ନିର୍ମାଣ ହୋଇପାରିଛି । ନିର୍ଦ୍ଧାରିତ ସମୟରେ ବଳକା ୯ ଲକ୍ଷ ୮୨ ହଜାର ୭୧୩ ଘର ନିର୍ମାଣ କରିବା ପାଇଁ ହେଲେ ଓଡ଼ିଶା ସରକାରଙ୍କୁ ଦିନକୁ ପ୍ରାୟ ୯ ହଜାର ଘର ନିର୍ମାଣ କରିବା ପାଇଁ ଆବଶ୍ୟକ ଥିବା ବେଳେ ଦିନକୁ ମାତ୍ର ୩୨ଟି ଘର ନିର୍ମାଣ କରୁଛନ୍ତି, ଯାହା ଅପାରଗ ଓଡ଼ିଶା ସରକାରଙ୍କ ପାରିବା ପଣିଆକୁ ଦର୍ଶାଉଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଆଠଗଡ଼ ମହୋତ୍ସବ ପଡିଆରେ ଆୟୋଜିତ ‘ସଂକଳ୍ପ ସମାବେଶ’ରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦୀ ସରକାର ଗତ ୯ ବର୍ଷରେ ଓଡ଼ିଶାକୁ ଆବାସ ଯୋଜନାରେ ପାଖାପାଖି ୩୨ ଲକ୍ଷରୁ ଉର୍ଦ୍ଧ୍ୱ ଘର ପ୍ରଦାନ କରିଛନ୍ତି । ସେଥିମଧ୍ୟରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାୟ ସାଢେ ୨୭ ଲକ୍ଷ ଏବଂ ୨୦୧୪ ରୁ ୨୦୧୬ ମଧ୍ୟରେ ଆବାସ ଯୋଜନାରେ ସାଢେ ୪ ଲକ୍ଷ ଘର ଦେଇଛନ୍ତି । ସେ କହିଛନ୍ତି ଯେ ମୋଦୀ ସରକାର ଆସିବା ପରେ ୨୦୧୧ ସାମାଜିକ ଅର୍ଥନୈତିକ ଜାତିଗତ ଜନଗଣନା ଭିତ୍ତିରେ ଓଡ଼ିଶା ପାଇଁ ୪୧.୭୨ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ଘର ପ୍ରଦାନ କରିବା ପାଇଁ ଚୟନ କରିଥିଲେ । ମାତ୍ର ରାଜ୍ୟ ସରକାର ଏହି ୪୧.୭୨ ଲକ୍ଷ ତାଲିକାରୁ ୧୪ ଲକ୍ଷ ୮ ହଜାର ୫୭୪ ହିତାଧିକାରୀଙ୍କୁ ହଟାଇ ଦେଇ ୨୭ ଲକ୍ଷ ୬୪ ହଜାର ୧୪୬ ହିତାଧିକାରୀ ଚୟନ କରିଥିଲେ ।
ସେହିପରି ଆଠଗଡରେ ପ୍ରଧାନମନ୍ତ୍ରୀ ଆବାସରେ ହୋଇଥିବା ଦୁର୍ନୀତିର ଉଦାହରଣ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ମଞ୍ଚେଶ୍ୱର ପଂଚାୟତ ଲିଙ୍ଗପଡା ଗାଁର କମଳା ସାହୁ ୨୦୧୪ରୁ ଆଖି ବୁଜିଲେଣି । ମାତ୍ର ତାଙ୍କୁ ୨୦୧୬ରେ ଆବାସରେ ଘର ମିଳିଥିଲା । କୁମାରପୁର ଗାଁର ଟୁନା ମଲିକ ନାଁରେ ଆବାସ ଘର ମିଳିବା ପରେ ତାଙ୍କ ପାଇ ଆସିଥିବା ୧ ଲକ୍ଷ ୨୦,୦୦୦ ଟଙ୍କା କେହି ଉଠାଇ ନେଇଥିବାର ଅଭିଯୋଗ ହୋଇଥିଲା । ଖୁଂଟକଟା ଗ୍ରାମର ଶ୍ରୀମତୀ ପେଂଚଇ ଦେଇ ୨୦୧୯ରେ ସ୍ୱର୍ଗବାସ ହେବା ପରେ ତାଙ୍କ ନାଁରେ ୨୦୨୩ ରେ ଆବାସ ଘର ଆସିଛି । ଏପରିକି ଜମି ନଥିବା, ବ୍ୟାଙ୍କ ଆକାଉଂଟ ନଥିବା ହିତାଧିକାରୀଙ୍କୁ ମଧ୍ୟ ୱାର୍କ ଅର୍ଡର ମିଳିଛି, ଯାହା ଦୁର୍ନୀତିକୁ ଦର୍ଶାଉଛି । ବିକାଶ ପରିବର୍ତ୍ତେ ମୋଦୀ ଦେଉଥିବା ଅର୍ଥ ବିଜେଡି ନେତାଙ୍କ ପକେଟ ଗରମ କରୁଛି। ଏହା ଓଡ଼ିଆ ଲୋକଙ୍କ ବିରୁଦ୍ଧରେ ଷଡଯନ୍ତ୍ର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।


କେନ୍ଦ୍ରମନ୍ତ୍ରୀ କହିଛନ୍ତି ରତ୍ନଗର୍ଭା ଆଠଗଡ଼ ମାଟି ‘କୁଜିବର ପତ୍ର’ର ପ୍ରତିଷ୍ଠାତା ସାଧୁ ସୁନ୍ଦର ଦାସଙ୍କ ମାଟି, ପଦ୍ମଭୂଷଣ ଡକ୍ଟର ରାଧାନାଧ ରଥଙ୍କ ଜନ୍ମଭୂମି ଓ ଜନନାୟକ ପବିତ୍ର ମୋହନ ପ୍ରଧାନଙ୍କ କର୍ମଭୂମି। ଏହି ମାଟି ଯୁବ ବୈଜ୍ଞାନିକ ଇନ୍ଦ୍ରଜିତ ସାହୁଙ୍କ ପରି ସୁପୁତ୍ରଙ୍କୁ ଜନ୍ମ ଦେଇଛି । ଓଡ଼ିଶାର ‘ପରିବା ଝୁଡ଼ି’ ଆଠଗଡ଼ ଚାଷୀ ମାନଙ୍କର ବିକାଶ ଓ ପରିଶ୍ରମର ପରାକାଷ୍ଠାକୁ ସ୍ୱତନ୍ତ୍ର ପରିଚୟ ଦେଇଛି । ଗଡଜାତ ଅଂଚଳ ଆଠଗଡ ସର୍ବଦା ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ଲଢିବା ଶିଖାଇଛି। ସେଭଳି କ୍ଷେତ୍ରରେ ଓଡ଼ିଶାରେ ପରିବର୍ତନ ପାଇଁ ଆୟୋଜିତ ସଂକଳ୍ପ ସମାବେଶରେ ଲୋକଙ୍କ ଉତ୍ସାହ ଓ ଉଦ୍ଦୀପନା ଅଭୁତପୂର୍ବ। କିନ୍ତୁ ସେହି ଆଠଗଡ଼ ଭଳି ଚଷାଚାଷୀ ଅଞ୍ଚଳରେ ଶୀତଳ ଭଣ୍ଡାର ନଥିବା ଦୁଃଖର ବିଷୟ। ଓଡ଼ିଶାର ବିକାଶ ପାଇଁ ମୋଦୀ ସରକାର ପର୍ଯ୍ୟାପ୍ତ ଟଙ୍କା ପଠାଉଥିବା ବେଳେ ଓଡ଼ିଶା ସରକାର ଭୋଟ ମାୟାରେ ବାୟା ହୋଇଯାଇଛନ୍ତି । କେବଳ ଫଟୋ ଛପାଇ ନାଁ ନେବାର ଯୋଜନା କରାଯାଉଛି। ଆଠଗଡର ସମବାୟ ସଂସ୍ଥାର ଦୁର୍ନୀତି ହାଟରେ ପଡି ଦାଣ୍ଡରେ ଗଡୁଛି । ମହିଳାମାନେ ନିର୍ଯ୍ୟାତିତ। ଯୁବକମାନେ କାମ ନପାଇ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି।
କଂଗ୍ରେସ ସରକାରର ଶେଷ ୧୦ ବର୍ଷରେ ଓଡ଼ିଶାକୁ ମାତ୍ର ୩ ଲକ୍ଷ କୋଟି ଟଙ୍କା ମିଳିଥିବା ବେଳେ ମୋଦୀ ସରକାରରେ ୧୮ ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମିଳିଛି। ଆଜି ଦେଶରେ ପ୍ରଧାନମନ୍ତ୍ରୀ ମା’ ମାନଙ୍କର ଆସ୍ଥାର ପ୍ରତୀକ ଓ ସ୍ୱାଭିମାନର ଛବି ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୫୦୦ ଟଙ୍କା ସବସିଡି ବଢାଇବା, ଆବାସ ଯୋଜନାରେ ଘର, ଶୌଚାଳୟ, ପାନୀୟ ଜଳ, ଜନଧନ, ମୁଦ୍ରା, ଜାତୀୟ ଗ୍ରାମୀଣ ଜୀବନ ଜୀବିକା ମିଶନ, ଲକ୍ଷପତି ଦିଦି, ମହିଳା ଚାଷୀଙ୍କୁ ଡ୍ରୋନ ସହ ଯୋଡିବା ଭଳି ବିଭିନ୍ନ ଯୋଜନା ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ।
ଏହି କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଏକ ଶୋଭାଯାତ୍ରାରେ ଯୋଗଦେଇଥିଲେ। ଆଠଗଡ ସମେତ ବିଭିନ୍ନ ସ୍ଥାନୀୟ ସ୍ଥାନରେ ତାଙ୍କୁ ପାରମ୍ପରିକ ଭାବରେ ସ୍ୱାଗତ କରାଯାଇଥିଲା ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories