ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ପକ୍ଷରୁ ୮ଦଫା ଦାବିପତ୍ର
ବାଙ୍କୀ : ଚଳିତ ବର୍ଷ ମହାନଦୀରେ ଆସିଥିବା ବନ୍ୟା ପ୍ରଭାବରେ ବାଙ୍କୀ ନିର୍ବାଚନ ମଣ୍ଡଳୀର ବ୍ୟାପକ ଖରିଫ ଧାନ ସହ ପନିପରିବା ଫସଲ କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ୧୨ହଜାର ୫୦୦ହେକ୍ଟର ଖରିଫ ଧାନ ଓ ୬୦୦୦ହେକ୍ଟର ପନିପରିବା ଚାଷ ଉଜୁଡିଯାଇଥିବା ସମ୍ପର୍କରେ ଶୁକ୍ରବାର ଦିନ ବାଙ୍କୀ ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ପକ୍ଷରୁ କଟକ ଜିଲ୍ଲାପାଳଙ୍କୁ ୮ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରାଯାଇଛି । କ୍ଷତିଗ୍ରସ୍ତ ଚାଷୀଙ୍କୁ ୭ଦିନ ମଧ୍ୟରେ ସହାୟତା ପ୍ରଦାନ ପାଇଁ ଦାବି କରାଯାଇଛି । ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତୁଷାରକାନ୍ତ ଚକ୍ରବର୍ତ୍ତୀ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଇଛନ୍ତି।
ସୂଚନା ଅନୁଯାୟୀ ଧାନ ଓ ପନିପରିବା ଚାଷରେ କ୍ଷତି ହୋଇଥିବା ଚାଷୀଙ୍କୁ ଏକର ପିଛା ୫୦ହଜାର ଟଙ୍କା ପୃଥକ୍ ପୃଥକ୍ ଭାବରେ ପ୍ରଦାନ କରିବା, ଭାଙ୍ଗି ଯାଇଥିବା ଘର ଗୁଡିକୁ ପୁନଃ ନିର୍ମାଣ ପାଇଁ ସହାୟତା, ବନ୍ୟାରେ ବୁଡିଯାଇଥିବା ନଳକୂଅ ଓ ଖୋଲା କୂଅ ଗୁଡିକର ପୁନଃରୁଦ୍ଧାର, ବନ୍ୟାରେ ବାଙ୍କୀର ସର୍ବାଧିକ କ୍ଷତି ହୋଇଥିବା ପରିପ୍ରେକ୍ଷୀରେ ବିଦ୍ୟାଳୟ ଓ କଲେଜକୁ ଦେୟମୁକ୍ତ କରିବା, ଗୃହପାଳିତ ପଶୁପକ୍ଷୀ ମାନଙ୍କୁ ଗୋଖାଦ୍ୟ ଯୋଗାଇ ଦେବା, ନଷ୍ଟ ହୋଇଯାଇଥିବା ରାସ୍ତାଘାଟକୁ ତୁରନ୍ତ ମରାମତି କରିବା ଓ ବନ୍ୟା ପୀଡିତ ପରିବାରଙ୍କୁ ସ୍ୱାସ୍ଥ୍ୟସେବା ଓ ଔଷଧ ଯୋଗାଇ ଦେବା ପାଇଁ ପଦକ୍ଷେପ ନେବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି।
Comments are closed.