କେସିଆରଙ୍କ ବିଜେପି ମୁକ୍ତ ଭାରତ ଆହ୍ବାନ

ନୀତୀଶଙ୍କୁ ଭେଟିଲେ

ପାଟନା : ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ବୁଧବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ସାକ୍ଷାତ କରିଛନ୍ତି। ସାକ୍ଷାତ କାଳରେ ଦୁଇ ନେତା ଜାତୀୟ ରାଜନୀତି ଉପରେ ଆଲୋଚନା କରିଥିଲେ। ବିଶେଷକରି ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ନେତା ବିଚାରବିମର୍ଷ କରିଛନ୍ତି। ଏହି ଅବସରରେ କେସିଆର ବିଜେପି ମୁକ୍ତ ଭାରତ ଗଠନ ନିମନ୍ତେ ଆହ୍ବାନ ଦେଇଛନ୍ତି। ନୀତୀଶ କୁମାର ବିଜେପି ନେତୃତ୍ବ ଏନଡିଏରୁ ଅଲଗା ହୋଇ ଆରଜେଡି ଓ କଂଗ୍ରେସ ମହାମେଣ୍ଟରେ ସାମିଲ ହେବା ପରେ ଦେଶରେ ବିରୋଧୀ ଦଳଗୁଡିକର ଶକ୍ତି ବୃଦ୍ଧି ପାଇଛି। ଏହି ଅବସରରେ ନୀତୀଶଙ୍କୁ କେସିଆରଙ୍କ ସାକ୍ଷାତ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ମନେ ହୋଇଛି। ୨୦୨୪ ନିର୍ବାଚନରେ ଅଣ କଂଗ୍ରେସ ଓ ଅଣ ବିଜେପି ମେଣ୍ଟ ଗଠନ ଉପରେ କେସିଆର୍‌ ଗୁରୁତ୍ବ ଦେଇଛନ୍ତି। କାରଣ ଏହି ଦୁଇ ଜାତୀୟ ଦଳ କ୍ଷମତାରେ ରହିବା ସତ୍ତ୍ବେ ଦେଶ ବିକାଶ କରିବାରେ ବିଫଳ ହୋଇଛନ୍ତି। ସେ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ସରକାର କ୍ଷମତାକୁ ଆସିବା ପୂର୍ବରୁ ଟଙ୍କାର ଏପରି ଅବମୂଲ୍ୟାୟନ ହୋଇ ନଥିଲା। କୃଷକମାନେ ବର୍ଷାଧିକକାଳ ଧାରଣା ଦେଇଥିଲେ। ପ୍ରଶାସନିକ ବିଫଳତା ଯୋଗୁଁ ଦେଶ ପ୍ରତ୍ୟେକ କ୍ଷେତ୍ରରେ ଅବନତି କରିଚାଲିଛି। ଦେଶର ବିକାଶ ପରିବର୍ତ୍ତେ ଶାସକ ଦଳ ଅନ୍ୟ ରାଜନୈତିକ ଦଳଗୁଡିକ ଉପରୁ ପ୍ରତିଶୋଧ ନେବା ଉପରେ ଗୁରୁତ୍ବ ଦେଉଛି। ସେମାନେ ଅନ୍ୟ ରାଜନୈତିକ ଦଳଗୁଡିକ ଶେଷ କରିଦେବାକୁ ଚାହଁୁଛନ୍ତି। ତେଣୁ ଆଗାମୀ ଦିନରେ ସେମାନେ ସମସ୍ତ ବିରୋଧୀ ଦଳଗୁଡିକ ଏକଜୁଟ୍ କରିବାକୁ ଚେଷ୍ଠା କରିବେ ବୋଲି କେସିଆର ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ନୀତୀଶ କୁମାର କହିଥିଲେ ବିହାରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ ଦିଗରେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଅନାଗ୍ରହ ପ୍ରକାଶ କରିଆସୁଛନ୍ତି। ସମସ୍ତ ରାଜ୍ୟ ଏବେ କେନ୍ଦ୍ରର ଅବହେଳାର ଶିକାର ହୋଇଆସୁଛନ୍ତି। ବର୍ତ୍ତମାନର ସରକାର କାର୍ଯ୍ୟ ଅପେକ୍ଷା ନିଜ ପ୍ରଚାର ପ୍ରସାର ଉପରେ ଗୁରୁତ୍ବ ଦେଉଛନ୍ତି। ରାଜ୍ୟଗୁଡିକ ପ୍ରତି କେନ୍ଦ୍ର ସରକାରଙ୍କ ସମ୍ବେଦନଶୀଳ ହେଉ ନାହାନ୍ତି। ବିହାରକୁ ଯଦି କେନ୍ଦ୍ର ସରକାର ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦେଇଥାନ୍ତେ ତେବେ ଏହା ଦ୍ରୁତ ବିକାଶ କରିପାରିଥାନ୍ତା।
ଏହି ଅବସରରେ କେସିଆର ତେଲଙ୍ଗାନାରେ ପ୍ରାଣ ହରାଇଥିବା ୧୨ଜଣ ପ୍ରବାସୀ ବିହାର ଶ୍ରମିକଙ୍କୁ ୫ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ୨୦୨୦ ଲଦାଖର ଗଲୱାନ ଉପତ୍ୟକାରେ ଚୀନ ସୈନ୍ୟ ସହିତ ସଂଘର୍ଷରେ ସହିଦ ହୋଇଥିବା ବିହାରର ୫ ସୈନିକଙ୍କ ପରିବାରକୁ ତେଲଙ୍ଗାନା ସରକାରଙ୍କ ପକ୍ଷରୁ ୧୦ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିଲା। ତେଲଙ୍ଗାନା ସରକାରଙ୍କ ଏପରି ସହାୟତାକୁ ନୀତୀଶ କୁମାର ଉଚ୍ଚ ପ୍ରଶଂସା କରିଥିଲେ। ଗତ ଜାନୁଆରୀରେ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଓ ଆରଜେଡିର ଅନ୍ୟ ତିନି ନେତା କେସିଆରଙ୍କୁ ହାଇଦରାବାଦରେ ସାକ୍ଷାତ କରିଥିଲେ। ତେବେ ଆଜିର ନୀତୀଶ ଓ କେସିଆରଙ୍କ ସାକ୍ଷାତକୁ ବିଜେପି ନେତା ସୁଶୀଲ ମୋଦୀ ସମାଲୋଚନା କରିଛନ୍ତି। ସୁଶୀଲ କହିଛନ୍ତି ଉଭୟ ନୀତୀଶ ଓ କେସିଆର ଦିବା ସ୍ବପ୍ନ ଦେଖୁଛନ୍ତି।

kalyan agarbati

Comments are closed.