ବିଜେବି କଲେଜ ସାମ୍ବାଦିକତା ବିଭାଗରେ ‘ଖବର କାଗଜର ଭାଷା ’ଶୀର୍ଷକରେ ଅଲୋଚନାଚକ୍ର
ଭୁବନେଶ୍ୱର: ବକ୍ସି ଜଗବନ୍ଧୁ ସ୍ୱୟଂଶାସିତ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ଆନୁକୁଲ୍ୟରେ ବୁଧବାର ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।ଏହି ଆଲୋଚନାଚକ୍ରର ବିଷୟବସ୍ତୁ ଥିଲା ‘ଖବର କାଗଜର ଭାଷା’। ଆଲୋଚନାଚକ୍ରରେ ମୁଖ୍ୟ ବକ୍ତା ଭାବରେ ଇଂରାଜୀ ଦୈନିକ ପତ୍ରିକା ‘ଦ ହିନ୍ଦୁ’ର ଓଡିଶା ମୁଖ୍ୟ ପ୍ରଫୁଲ ଦାସ ଯୋଗଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼.ସୁପ୍ରଭା ପଟ୍ଟନାୟକ ଏବଂ ସାମ୍ବାଦିକତା ବିଭାଗର ମୁଖ୍ୟ ଡ଼.ନଳିନୀ ପାତ୍ର,ଅଧ୍ୟାପିକା ରାଜଲକ୍ଷ୍ମୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ବିଭାଗର ମୁଖ୍ୟ ଡ଼.ନଳିନୀ ପାତ୍ର ଆଲୋଚନାଚକ୍ରରେ ଅତିଥି ପରିଚୟ ପ୍ରଦାନ ପୂର୍ବକ ତାଙ୍କ ବକ୍ତବ୍ୟରେ ଛାତ୍ରଛୀତ୍ରୀମାନଙ୍କୁ ଖବର କାଗଜ ଇତିହାସ ବିଷୟରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ଆଲୋଚନାଚକ୍ରର ମୁଖ୍ୟ ବକ୍ତା ବରିଷ୍ଠ ସାମ୍ବାଦିକ ପ୍ରଫୁଲ ଦାସ ଛାତ୍ରଛାତ୍ରୀମାନଙ୍କୁ ତାଙ୍କ ଛାତ୍ର ସମୟର ବିଭିନ୍ନ ଘଟଣାବଳୀଠାରୁ ଆରମ୍ଭ କରି କିପରି ସେ କଠିନ ପରିଶ୍ରମ ବଳରେ ସାମ୍ବାଦିକତା କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ସେ ବିଷୟରେ କହିବା ସହ ଖବର କାଗଜ କ୍ଷେତ୍ରରେ ବର୍ତମାନ ଦେଖାଦେଇଥିବା ପରିବର୍ତନ ଏବଂ ନୂତନ ପିଢିର ସାମ୍ବାଦିକମାନେ କିପରି ଖବର କାଗଜ କ୍ଷେତ୍ରରେ ସେମାନଙ୍କର ପାରଦର୍ଶୀତା ଦେଖାଇବେ, ଖବର କାଗଜରେ ଜଣେ ସାମ୍ବାଦିକର ଭାଷା କିପରି ହେବା ଆବଶ୍ୟକ ,କିପରି ଯୁବ ସାମ୍ବାଦିକ ମାନେ ତାଙ୍କର ଭାଷା ଜ୍ଞାନରେ ଉନ୍ନତି କରିବେ ସେ ବିଷୟରେ ବହୁଗୁରୁତ୍ୱପୂର୍ଣ୍ଣ ତଥା ଉପାଦେୟ ତଥ୍ୟମାନ ପ୍ରଦାନ କରିଥିଲେ ଯାହା ସାମ୍ବାଦିକତା ବିଭାଗର ଛାତ୍ରଛାତ୍ରୀମାନଙ୍କୁ ଖବରକାଗଜରେ ସେମାନଙ୍କର କ୍ୟାରିୟର ଗଢିବାରେ ବହୁ ସହ ଯୋଗକରିବ। ଏହି ଆଲୋଚନାଚକ୍ରରେ ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ପ୍ରଥମ ଏବଂ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ଯୋଗ ଦେଇ ତାଙ୍କ ମନରେ ଖବର କାଗଜର ଭାଷାକୁ ନେଇ ଥବା ବିଭିନ୍ନ ପ୍ରଶ୍ନମାନ ପଚାରିଥିଲେ।ବରିଷ୍ଠସାମ୍ବାଦିକ ପ୍ରଫୁଲ ଦାସ ଛାତ୍ରଛାତ୍ରୀମାନଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବା ସହ ସେମାନଙ୍କ ମନ ମଧ୍ୟରେ ଥିବା ଦ୍ୱନ୍ଦକୁ ଦୂରକରିଥିଲେ। ପରିଶେଷରେ ଅଧ୍ୟାପିକା ରାଜଲକ୍ଷ୍ମୀ ଦାସ ଆଲୋଚନାଚକ୍ରର ସଫଳ ଆୟୋଜନ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.