ବୀରମହାରାଜପୁର: ଏକ ବୋଲେରୋ ଧକ୍କାରେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ସାନଟେଭାପଦର ଗ୍ରାମର ପ୍ରେମାନନ୍ଦ କ୍ଷେତି (୭୦)ଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ସେ ରବିବାର ସକାଳ ବେଳା ସଉଦା କରିବାକୁ ନିକଟସ୍ଥ ସୁବଳୟା ଦୈନିକ ବଜାରକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । କେତେକ ଯାତ୍ରୀଙ୍କୁ ଧରି ଖୋର୍ଦ୍ଧା ଅଞ୍ଚଳରୁ ହରିଶଙ୍କର ଅଭିମୁଖେ ଯାଉଥିବା ଏକ ବୋଲେରୋ ଗାଡ଼ି (ଓଡି୦୭-୦୨୪୫) ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ପ୍ରେମାନନ୍ଦଙ୍କ ମୃତ୍ୟୁ ଘଟିଥିଲା । ବୋଲେରୋ ଚାଳକ ଗାଡ଼ି ସହ ସୁବଳୟା ଥାନାରେ ଆତ୍ମ ସମର୍ପଣ କରିଥିବା ଜଣାଯାଇଛି ।
ଅନ୍ୟପକ୍ଷରେ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଗ୍ରାମବାସୀ କ୍ଷତିପୂରଣ ଦାବିକରି ଦୀର୍ଘ ସମୟ ଧରି ଟେଭାପଦର ଛକ ଠାରେ ରାସ୍ତା ଅବରୋଧ କରିଥିଲେ । ଏଥିପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ଅନେକ ଯାନବାହାନ ଅଟକି ରହିଥିଲା । ଖବର ପାଇ ବୀରମହାରାଜପୁର ଓ ସୁବଳୟା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାମପ୍ରସାଦ ସାହୁ, ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସି, ଅତିରିକ୍ତ ତହସିଲଦାର ସ୍ବାଗତ ପଣ୍ଡା, ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ପ୍ରମୁଖ ରାସ୍ତା ଅବରୋଧ ସ୍ଥଳରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ସୁବଳୟା ପୋଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ଜଣାଯାଇଛି ।
Comments are closed.