ନିର୍ମାଣ ହୋଇ ପାରୁନି ପୂର୍ତ୍ତ ବିଭାଗ ଉପଖଣ୍ଡ : ମାନ୍ୟତା ପ୍ରଦାନ ଅପେକ୍ଷାରେ ଅଟକି ରହିଛି ବିନିକାର ପ୍ରସ୍ତାବିତ ୩ ବିଭାଗୀୟ କାର୍ଯ୍ୟାଳୟ 

ବିନିକା : ସୁବର୍ଣ୍ଣପୁର ଜିଲାର ବିନିକା ଠାରେ ପୂର୍ତ୍ତ ବିଭାଗ ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ନିର୍ମାଣ କରିବାକୁ ସରକାର ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ଇଛା କିମ୍ବା ଏନେଇ କୌଣସି ଆନ୍ତରିକତା ପ୍ରକାଶ କରୁ ନ ଥିବା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ନୈରାଶ୍ୟ ଭାବ ଦେଖା ଦେଇଛି । ବିନିକାକୁ ସରକାର ଦୀର୍ଘ ବର୍ଷ ହେଲା ପୂର୍ତ୍ତ ବିଭାଗର ଉପଖଣ୍ଡ ମାନ୍ୟତା ପ୍ରଦାନ କରିଥିଲେ ସୁଦ୍ଧା ଏନେଇ କାର୍ଯ୍ୟାଳୟ ନିର୍ମାଣ ପାଇଁ ସରକାର କୌଣସି ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁ ନଥିବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଫଳରେ ବିନିକା ପୂର୍ତ୍ତ ବିଭାଗ ପାଇଁ କିଏ ଦାୟିତ୍ବାଧୀନ ଅଧିକାରୀ ରହିଛନ୍ତି ଏବଂ କେଉଁ ମାନେ ଉକ୍ତ କାର୍ଯ୍ୟଳୟର କର୍ମଚାରୀ ଭାବରେ ନିୟୋଜିତ ରହି କାର୍ଯ୍ୟ କରୁଛନ୍ତି ଅଞ୍ଚଳବାସୀଙ୍କ ପକ୍ଷେ ତାହା ଜାଣିବା ମୁସ୍କିଲ ହୋଇ ପଡୁଛି। ବିନିକା ପୂର୍ତ୍ତ ବିଭାଗ ଉପଖଣ୍ଡ ମାନ୍ୟତା ପାଇବା ପରେ କାର୍ଯ୍ୟାଳୟ ନିର୍ମାଣ ପାଇଁ ପ୍ରସ୍ତାବିତ ଅଫିସ କାହିଁକି ନିର୍ମାଣ କରିବାରେ ସରକାର ଅସମର୍ଥ ହୋଇଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ବିନିକାରେ ଅଫିସ ନ ଥିବାରୁ ଅଧିକାରୀଙ୍କ ସହ ସମୂହ କର୍ମଚାରୀ ସୋନପୁର ଜିଲା ସଦର ମହକୁମାରେ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି। ଏଥିପାଇଁ ବିଭାଗ ଜରିଆରେ ବିନିକା ଅଞ୍ଚଳରେ ଚାଲୁ ରହିଥିବା ବିଭିନ୍ନ ସ୍ଥାନରେ ଉନ୍ନୟନ ମୂଳକ କାର୍ଯ୍ୟରେ ପ୍ରତିବନ୍ଧକ ସମସ୍ୟା ସୃଷ୍ଟି ହେଉଥିବା ଜନ ଅଭିଯୋଗ ହେଉଛି । ସେହିପରି ବିନିକା ପାଇଁ ପୂର୍ବ ପ୍ରସ୍ତାବିତ ବିନିକା ସବ ଟ୍ରେଜେରୀ କାର୍ଯ୍ୟାଳୟ ଦାବିକୁ ଦୀର୍ଘବର୍ଷ ବିତି ଯାଇଥିଲେ ସୁଦ୍ଧା ସରକାର ଏନେଇ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁନଥିବା ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ଟ୍ରେଜେରୀ ଅଫିସ ନ ଥିବାରୁ ବିଭିନ୍ନ କାମରେ ପାଇଁ ଦରକାର ପଡୁଥିବା ଟ୍ରେଜେରୀ ଚାଲାଣ କ୍ଷେତ୍ରରେ ଲୋକେ ସୋନପୁର ଧାଇଁ ବହୁ ଖର୍ଚ୍ଚାନ୍ତ ହେବା ସହ ସବୁବେଳେ ହଇରାଣ ହେଉଥିବା ଅଭିଯୋଗ ହେଉଛି। ବିନିକା ଠାରେ ଏକ ଟ୍ରେଜେରୀ ଅଫିସ ପ୍ରତିଷ୍ଠା କରିବା ପାଇଁ ଅଞ୍ଚଳବାସୀ ଦୀର୍ଘବର୍ଷ ହେଲା ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ସମସ୍ୟା ସମ୍ପର୍କରେ ସରକାର ସମ୍ପୂର୍ଣ୍ଣ ଅବଗତ ଥିଲେ ସୁଦ୍ଧା ଏନେଇ କୌଣସି ସୁଫଳ ମିଳୁ ନ ଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।
ସେହିପରି  ବିନିକା ଠାରେ ସରକାର ଏକ ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟଳୟ ପ୍ରତିଷ୍ଠା କରିବା ପାଇଁ ଅଞ୍ଚଳବାସୀ ବହୁ ବର୍ଷ ଧରି ଦାବି କରି ଆସୁଥିବା ସତ୍ତ୍ବେ ମଧ୍ୟ ସରକାର ଶୁଣୁ ନ ଥିବାରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। କାରଣ ଏବେ କିଛି ବର୍ଷ ଧରି ବିନିକା ଅଞ୍ଚଳକୁ ହୀରାକୁଦ ବନ୍ଧର କେନାଲ ପାଣି ବିଭିନ୍ନ ସ୍ଥାନକୁ ଅପହଞ୍ଚ ସମସ୍ୟା ଦେଖା ଦେଉଥିବା ବେଳେ ଅଞ୍ଚଳର ପୂର୍ବ ଦିଗରେ ଚିରସ୍ରୋତା ମହାନଦୀ ସମେତ ଉତ୍ତର ଦିଗରେ ଜିରାନଦୀ ଓ ଏହାର ଦକ୍ଷିଣ ଦିଗରେ ଅଙ୍ଗନଦୀ ପ୍ରବାହିତ ହେଉଥିବା ନେଇ ଚାଷୀ ଏସବୁ ଅଞ୍ଚଳରେ ଉଠା ଜଳସେଚନ ବସାଇ ଉଭୟ ଋତୁର ଚାଷ କରୁଛନ୍ତି। ଅଞ୍ଚଳରେ ପ୍ରବାହିତ ସବୁ ନଦୀନାଳରେ ଚାଷୀ ସବୁଠି ପ୍ରାୟ ୬ ସହରୁ ଅଧିକ ଉଠା ସେଚ ସ୍ଥାପନ କରି ଚାଷ କରୁଥିବା ବେଳେ ବିନିକାରେ ଉଠା ଜଳସେଚନ କାର୍ଯ୍ୟଳୟ ନ ଥିବାରୁ ଏନେଇ କୌଣସି ଅସୁବିଧା ହେଲେ ଚାଷୀ ସୋନପୁର ଯାଇ ତାର ଉପଯୁକ୍ତ ସମାଧାନ କରିବାକୁ ଚାହୁଁଥିବା ବେଳେ ସେଠାରେ ଥିବା ଅଧିକାରୀଙ୍କୁ ବିଭିନ୍ନ ସମୟରେ ଭେଟି ନ ପାରି ବହୁ ହଇରାଣ ହେବା ସହ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହେଉଛି। ଅଞ୍ଚଳ ପାଇଁ ଏସବୁ ଦାବି ବୃହତ୍ତ ସ୍ବାର୍ଥ ବୋଲି କୁହା ଯାଉଥିବା ବେଳେ ସମସ୍ୟା ଜାଣି ଏନେଇ ସରକାର  କୌଣସି ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁନଥିବାରୁ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ମତ ପ୍ରକାଶ ପାଉଛି। ବାରମ୍ବାର ଦାବି ସତ୍ତ୍ୱେ ମଧ୍ୟ ସରକାର ଅଞ୍ଚଳବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କୌଣସି ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରୁନଥିବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିରେ ଅଞ୍ଚଳବାସୀଙ୍କ ବୃହତ୍ତ   ସ୍ବାର୍ଥ ଓ ନ୍ୟାର୍ଯ୍ୟ ଦାବି ନାଲି ଫିତାତଳେ ରହି ଯାଉଥିବାରୁ ତାହା କେବେ ହେଲେ ପୂରଣ କରିବାରେ ସରକାର ସମର୍ଥ ହେଉ ନ ଥିବାରୁ ବିଭିନ୍ନ ମହଲରେ କ୍ଷୋଭ ପ୍ରକାଶ ପାଉଛି। ତେଣୁ ସମସ୍ୟା ସମ୍ପର୍କରେ ଦୃଷ୍ଟିଦେଇ ରାଜ୍ୟ ସରକାର ବିନିକା ଠାରେ ପ୍ରସ୍ତାବିତ ସବ ଟ୍ରେଜେରୀ ଏବଂ ଉଠା ଜଳସେଚନ କାର୍ଯ୍ୟଳୟ ସ୍ଥାପନ କରିବାକୁ ଦାବି ହେଉଥିବା ବେଳେ କାଳ ବିଳମ୍ବ ନ କରି ବିନିକା ପୂର୍ତ୍ତ ବିଭାଗର ଉପଖଣ୍ଡ କାର୍ଯ୍ୟାଳୟ ନିର୍ମାଣ ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜନ ସାଧାରଣରେ ଦାବି ହେଉଛି।

Comments are closed.