ଅଥୟ କଲେଣି ଲୁଟିଆ

ବାଇକ୍‌ରେ ବୁଲୁଛନ୍ତି ଲୁଟିଆ

-ହସ୍‌ପିଟାଲରେ ସକ୍ରିୟ, -ଏକାକୀ ଥିବା ଲୋକଙ୍କୁ ଟାର୍ଗେଟ୍,-ପତ୍ତା ପାଉନି ପୁଲିସ

ଭୁବନେଶ୍ବର : ରାଜଧାନୀରେ ଲୁଟିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ଲୁଟିଆମାନେ ଲୋକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ମୋବାଇଲ ଫୋନ୍‌, ସୁନାଚେନ୍‌ ଏବଂ ଭ୍ୟାନିଟି ବ୍ୟାଗ୍‌ ଯାହା ପାଉଛନ୍ତି ଲୁଟ୍‌ପାଟ୍‌ କରୁଛନ୍ତି। କମିସନରେଟ ପୁଲିସକୁ ଏ କ୍ଷେତ୍ରରେ ସେତେଟା ସଫଳତା ମିଳିପାରୁ ନାହିଁ।

ରାଜଧାନୀରେ ମୋବାଇଲ ଫୋନ୍‌ ଏବଂ ସୁନାଚେନ୍ ଲୁଟ୍‌ପାଟ୍‌ କରୁଥିବା ଦୁର୍ବୃତ୍ତ ବାଇକ୍‌ରେ ସହର ସାରା ପଇଁତରା ମାରୁଛନ୍ତି। ସୁଯୋଗ ଦେଖି ଏକାକୀ ଥିବା ଲୋକଙ୍କୁ ଟାର୍ଗେଟ୍‌ କରୁଛନ୍ତିି। ବିରୋଧ କଲେ ମାରଣାସ୍ତ୍ରରେ ଆକ୍ରମଣ କରି ଲହୁ ଲୁହାଣ କରୁଛନ୍ତିି। ପୁଲିସ ଅଭିଯୋଗ ପାଇ ନିରବ ରହୁଥିବା ଅଭିଯୋଗ ହେଉଛି। କେତେକ କ୍ଷେତ୍ରରେ ଲୁଟପାଟ୍‌ର ସମ୍ମ୍ୁଖୀନ ହେଉଥିବା ବ୍ୟକ୍ତି ନିଜ ଉଦ୍ୟମରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଲୁଟିଆକୁ ଧରିବାରେ ସଫଳ ହେଉଛନ୍ତି। ପରେ ଉକ୍ତ ଅଭିଯୁକ୍ତମାନେ ଜାମିନ୍‌ରେ ଆସି ପୁଣି ଥରେ ଲୁଟ୍‌ପାଟ୍‌ କରୁଛି।
ପୋଖରୀପୁଟସ୍ଥିତ ବସ୍‌ଷ୍ଟପ୍‌ରେ ଶ୍ୟାମସୁନ୍ଦର ସରକାର ଗତ ମଙ୍ଗଳବାର ବସ୍‌କୁ ଅପେକ୍ଷା କରୁଥିବା ବେଳେ ଦୁଇ ଲୁଟିଆଙ୍କ ସମ୍ମୁଖୀନ ହୋଇଥିଲେ। ସେ ବସ୍‌ଷ୍ଟପ୍‌ରେ ଅପେକ୍ଷା କରିଥିବା ବେଳେ ଦୁଇଜଣ ବ୍ୟକ୍ତି ଗୋଟିଏ ବାଇକ୍‌ରେ ଆସିଥିଲେ। ଜଣେ ଲୁଟିଆ ବାଇକ୍‌ରୁ ଓହ୍ଲାଇ ଶ୍ୟାମଙ୍କ ହାତରୁ ମୋବାଇଲ ଫୋନ୍‌ ଝାମ୍ପି ନେଇ ସହଯୋଗୀ ବାଇକ୍‌ରେ ବସି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ସ୍ଥାନୀୟ ଲୋକ ଲୁଟିଆଙ୍କୁ ଗୋଡ଼ାଇ ଥିଲେ ସୁଦ୍ଧା ସେମାନଙ୍କୁ ଧରିବାରେ ବିଫଳ ହୋଇଥିଲେ। ପରେ ସେ ଏନେଇ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ। ସେହିପରି ଗତ ଗୁରୁବାର ଜଣେ ବ୍ୟକ୍ତି କର୍ମକ୍ଷେତ୍ରରେ ଯୋଗ ଦେବପାଇଁ ଯାଉଥିବା ସମୟରେ ଦୁଇଜଣ ଯୁବକ ତାଙ୍କୁ ପିଛା କରି ତାଙ୍କ ମୋବାଇଲ ଫୋନ୍‌ ଝାମ୍ପି ନେଇଥିଲେ। ଲୁଟ୍‌ର ସମ୍ମୁଖୀନ ହୋଇଥିବା ପ୍ରମୋଦ ଗୋଚ୍ଛାୟତ ପରେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ମୁତାବକ ସେ ସକାଳ ପ୍ରାୟ ସାଢ଼େ ୯ ଟାରେ ଭୀମଟାଙ୍ଗୀରୁ ପୋଖରୀପୁଟ ଯାଉଥିବା ବେଳେ ସ୍ଥାନୀୟ ପେଟ୍ରୋଲ ପମ୍ପ ନିକଟରେ ଦୁଇ ଲୁଟିଆ ବାଇକ୍‌ରେ ଆସି ତାଙ୍କ ମୋବାଇଲ ଫୋନ୍‌ ଛଡ଼ାଇ ନେବା ସହିତ ତାଙ୍କୁ ମଝି ରାସ୍ତାରେ ଧକ୍କା ମାରି ପଳାଇଥିଲେ। କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ କିଛି ଲୁଟିଆ ଗ୍ୟାଙ୍ଗ ସକ୍ରିୟ ଥିବା ଜଣାପଡ଼ିଛି। ଗତ ଶୁକ୍ରବାର ହସ୍ପିଟାଲସ୍ଥିତ ଡେଲିଭରି ୱାର୍ଡରୁ କେହି ଜଣେ ଦୁର୍ବୃତ୍ତ ପି.ମୋହନ କୁମାର ରାଓଙ୍କ ଦୁଇଟି ମୋବାଇଲ ଫୋନ୍‌ ଚୋରିକରି ନେଇଥିଲା। ପରେ ସେ ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ।

ମାତିଛନ୍ତି ବାଇକ୍‌ ଚୋର :
ରାଜଧାନୀରେ ବାଇକ୍‌ ଲୁଟିଆଙ୍କ ଆତଙ୍କ ମଧ୍ୟ କିଛି କମ୍‌ ନାହଁି। ବଜାର ହାଟ, ରାସ୍ତାକଡ଼ ଏବଂ ମେଡିକାଲ ପାର୍କିଂସ୍ଥଳରୁ ଲୁଟିଆମାନେ ବାଇକ୍ ଚୋରି କରୁଛନ୍ତି। ବିଭିନ୍ନ ଜରୁରୀ କାମ ନେଇ ମେଡିକାଲ ଆସୁଥିବା ଲୋକେ ସାଧାରଣତଃ ହେଣ୍ଡେଲ ଲକ୍‌ କରିବାକୁ ଭୁଲି ଯାଉଛନ୍ତିି। ଯାହାର ଫାଇଦା ଉଠାଉଛନ୍ତି ଦୁର୍ବୃତ୍ତ। ଗତ ଶନିବାର ସକାଳ ୧୧ ଟାରେ ଶରତ କୁମାର ସାହୁ ଖାରବେଳ ନଗର ଥାନା ଅଧୀନ ଏକ ଘରୋଇ ହସ୍ପିଟାଲକୁ ଆସିଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ନିକଟସ୍ଥ ମେଡ଼ିସିନ ଷ୍ଟୋରରୁ ମେଡ଼ିସିନ ଆଣିବା ବେଳକୁ ହସ୍ପିଟାଲ ସମ୍ମୁଖରୁ କେହି ଜଣେ ବ୍ୟକ୍ତି ତାଙ୍କ ବାଇକ୍‌ ଚୋରି କରି ନେଇଥିଲା। ପରେ ସେ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ସେହିପରି ଗତ ଗୁରୁବାର ୟୁନିଟ୍‌-୨ସ୍ଥିତ ଏକ ସରକାରୀ କ୍ବାର୍ଟର୍ସ ନିକଟରୁ ବିଦେଶୀ ବେହେରାଙ୍କ ବାଇକ୍‌ ଚୋରି ହୋଇଥିଲା। ସେ ଦିନ ପ୍ରାୟ ଗୋଟାଏ ରେ ଘର ଗେଟ୍‌ ସମ୍ମୁଖରେ ଗାଡ଼ି ରଖି ଘରକୁ ଯାଇଥିଲେ। ଅଧଘଣ୍ଟା ପରେ ଫେରିବା ବେଳକୁ କେହି ଜଣେ ତାଙ୍କ ବାଇକ୍‌ ଚୋରି କରି ନେଇଥିଲା। ଗତ ଶୁକ୍ରବାର ଦିନ ମଧ୍ୟ ଦୁର୍ବୃତ୍ତମାନେ ସମାନ ଢଙ୍ଗରେ ଚିତ୍ତରଞ୍ଜନ ସାହୁଙ୍କ ବାଇକ୍‌ ଚୋରି କରିଥିଲେ। ଚିତ୍ତ ଜଣେ ସମ୍ପର୍କୀୟଙ୍କୁ କ୍ୟାପିଟାଲ ହସ୍ପିଟାଲ ଚିକିତ୍ସା ପାଇଁ ଆଣିଥିଲେ। ହସ୍ପିଟାଲ ବାହାରେ ଗାଡ଼ି ହେଣ୍ଡେଲ ଲକ୍‌ କରି ହସ୍ପିଟାଲ ଯାଇଥି‌େ‌ଲ। ପରେ ଡାକ୍ତରଙ୍କ ନିର୍ଦେଶକ୍ରମେ ତାଙ୍କ ଭାଇକୁ ହସ୍ପିଟାଲରେ ଆଡ଼ମିଟ କରିଥିଲେ। ଘରକୁ ଯିବା ପାଇଁ ସନ୍ଧ୍ୟା ୫ଟାରେ ହସ୍ପିଟାଲରୁ ବାହାରକୁ ଆସିଥିଲେ। ବାଇକ୍‌ ରଖିଥିବା ସ୍ଥାନକୁ ଯାଇ ଦେଖିବା ବେଳକୁ କେହି ତାଙ୍କ ବାଇକ୍‌ ଚୋରି କରି ନେଇଥିଲା। ପରେ ସେ ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ।

Comments are closed.