ଜୋ ବାଇଡେନଙ୍କ ବଡ଼ ଘୋଷଣା; ପୁନର୍ବାର ଲଢିବେ ରାଷ୍ଟ୍ରପତି ନିର୍ବାଚନ

ନ୍ୟୁୟର୍କ: ଆମେରିକା ରାଷ୍ଟ୍ରପତି ପଦକୁ ନେଇ ଜୋ ବାଇଡେନ୍‌ ବଡ଼ ଘୋଷଣା କରିଛନ୍ତି। ୨୦୨୪ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ସେ ପୁଣି ମଇଦାନକୁ ଓହ୍ଲାଇବେ ବୋଲି ସ୍ପଷ୍ଟ କରିଛନ୍ତି। ନିର୍ବାଚନ ଲଢିବା ନେଇ ବାଇଡେନ୍‌ ନିଜ ଟ୍ବିଟର ପେଜ୍‌ରେ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ସେ ୨୦୨୦ରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରିଥିଲେ ଓ ଜାନୁଆରୀ ୨୦୨୧ରେ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ। ଉପରାଷ୍ଟ୍ରପତି କମଲା ହାରିସ୍‌ ମଧ୍ୟ ଦ୍ବିତୀୟ ଥର ପାଇଁ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢିବେ ବୋଲି କୁହାଯାଉଛି।

prayash


ଏହାପୂର୍ବରୁ ଯେତେବେଳେ ରାଷ୍ଟ୍ରପତି ଜୋ ବାଇଡେନ ରୋଜ୍ ଗାର୍ଡେନ ଦେଇ ଯାଉଥିଲେ, ସେତେବେଳେ ଜଣେ ସାମ୍ବାଦିକ ତାଙ୍କୁ ପଚାରିଥିଲେ ଯେ ସାର୍, ଆପଣ ପୁନର୍ବାର ନିର୍ବାଚନ ଲଢିବେ କି? ଏହାର ଉତ୍ତରରେ ବାଇଡେନ ହସି ହସି କହିଥିଲେ ‘ହଁ’। ଜୋ ବାଇଡେନ ଦୀର୍ଘ ଦିନ ଧରି କହି ଆସୁଥିଲେ ଯେ, ସେ ପୁନର୍ବାର ନିର୍ବାଚନ ଲଢିବାକୁ ଚାହୁଁଛନ୍ତି, କିନ୍ତୁ ଆନୁଷ୍ଠାନିକ ଭାବେ ଘୋଷଣା ହୋଇ ନଥିବାରୁ ତାଙ୍କ ସମର୍ଥକମାନେ ସନ୍ଦେହରେ ଥିଲେ।

୮୦ ବର୍ଷୀୟ ବାଇଡେନ ଆମେରିକା ଇତିହାସରେ ସବୁଠାରୁ ବୟସ୍କ ରାଷ୍ଟ୍ରପତି। ଫେବୃଆରୀରେ ଡାକ୍ତରମାନେ ବାଇଡେନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରୀକ୍ଷା କରିଥିଲେ। ଏହା ପରେ ସେ ଡ୍ୟୁଟି ପାଇଁ ଫିଟ୍ ବୋଲି ଘୋଷଣା କରାଯାଇଥିଲା। ସେ ସପ୍ତାହକୁ ପାଞ୍ଚ ଥର ବ୍ୟାୟାମ କରନ୍ତି। ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି ଯେ, ତାଙ୍କ ରେକର୍ଡ଼ରୁ ଜଣାପଡ଼ିଛି ଯେ ସେ ନିଜ କାମ ପାଇଁ ମାନସିକ ସ୍ତରରେ ଅତ୍ୟନ୍ତ ତୀକ୍ଷ୍ଣ ତଥା ଚତୁର ଅଛନ୍ତି। ତଥାପି ସେ ପୁନର୍ବାର ନିର୍ବାଚନ ମଇଦାନକୁ ଓହ୍ଲାଇବା ଏକ ଐତିହାସିକ ପଦକ୍ଷେପ।

ସୂଚନାଯୋଗ୍ୟ ଯେ, ଏପ୍ରିଲ ୧୫ରେ ସେ ଆୟର୍ଲାଣ୍ଡରେ ଏକ ରାଲିରେ କହିଥିଲେ ଯେ ସେ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆମେରିକାରେ ପ୍ରତି ଚାରି ବର୍ଷରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ୨୦୨୦ ମସିହା ନଭେମ୍ବର ୭ରେ ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ନିର୍ବାଚନର ବିଜେତା ଘୋଷଣା କରାଯାଇଥିଲା। କିନ୍ତୁ ଟ୍ରମ୍ପ ସମର୍ଥକମାନେ ଏହି ନିର୍ବାଚନରେ ​​ବିଶ୍ୱାସ କରିନଥିଲେ, ଏହାପରେ ସେମାନେ ଜାନୁଆରୀ ୬ରେ ଆମେରିକାର କ୍ୟାପିଟଲ ହିଲ୍ ଉପରେ ଆକ୍ରମଣ କରିଥିଲେ। ତେବେ ଏହାସତ୍ତ୍ବେ ଜାନୁଆରୀ ୨୦ରେ ଜୋ ବାଇଡେନ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ।

kalyan agarbati

Comments are closed.