ମୁଖ୍ୟ ସଚିବଙ୍କ ତାଗିଦ; କଡ଼ାକଡ଼ି ଲାଗୁ କର ପ୍ଲାଷ୍ଟିକ ନିଷିଦ୍ଧ ନିୟମ

ଉତ୍ପାଦନକାରୀଙ୍କ ଉପରେ ରହିବ କଡ଼ା ନଜର

ଭୁବନେଶ୍ୱର: ରାଜ୍ୟରେ ପଲିଥିନ କଟକଣା କଡ଼ାକଡ଼ି କରିବା ଲାଗି ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଶୁକ୍ରବାର ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାପାତ୍ର କହିଥିଲେ ଯେ, ଏହି ଆଇନ ପାଳନ ବେଳେ ଏଣିକି କୌଣସି ପ୍ରକାର ଢିଲାପଣକୁ ବରଦାସ୍ତ କରାଯିବ ନାହିଁ। ଲୋକସେବା ଭବନରୁ ଆଭାସି ଜରିଆରେ ଅନୁଷ୍ଠିତ ବୈଠକରେ ପରିବେଶ ନିର୍ଦେଶକ ସୁଶାନ୍ତ ନନ୍ଦ ପ୍ଲାଷ୍ଟିକ ବ୍ୟବହାର ନିଷିଦ୍ଧ ନିୟମ ଏବଂ ତା’ର ଅନୁପାଳନ ଉପରେ ଅବଗତ କରାଇଥିଲେ। ଏ ଦିଗରେ ବର୍ତ୍ତମାନ ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରି ଆଇନ କଡ଼ାକଡ଼ି ଲାଗୁ କରିବା ପାଇଁ ଶ୍ରୀ ମହାପାତ୍ର ଜିଲାପାଳ, ଜିଲା ବନ ଅଧିକାରୀ ଏବଂ ସମ୍ପୃକ୍ତ ବିଭାଗର କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ବୈଠକରେ ଶ୍ରୀ ମହାପାତ୍ର ଥରେ ବ୍ୟବହାର ଯୋଗ୍ୟ ନିଷିଦ୍ଧ ପ୍ଲାଷ୍ଟିକ ଉତ୍ପାଦନ ୟୁନିଟ୍ ଓ ବିକ୍ରି କରୁଥିବା ଦୋକାନୀଙ୍କ ବିରୋଧରେ କଡା ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଥିଲେ। ଜନସାଧାରଣ ଯେଭଳି ନିଷିଦ୍ଧ ପ୍ଲାଷ୍ଟିକ, ପଲିଥିନ ବ୍ୟାଗ୍ , କ୍ୟାରି ବ୍ୟାଗ୍, ପ୍ଲାଷ୍ଟିକ ଗ୍ଲାସ୍ ଆଦି ବ୍ୟବହାର ନକରିବେ ‌େ‌ସନେଇ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଛି।

prayash

ଏହାସହିତ ବିଦ୍ୟାଳୟଗୁଡ଼ିକରେ ଗଠନ ହୋଇଥିବା ଇକୋ-କ୍ଲବ୍ , ସାମ୍ବାଦିକ, ବରିଷ୍ଠ ନାଗରିକ, ବିଶିଷ୍ଟ ବ୍ୟକ୍ତିବିଶେଷ, ନିର୍ବାଚିତ ପ୍ରତିନିଧି, ବାର୍ ଆସୋସିଏସନ୍ , ରୋଟାରୀ ଓ ଲାୟନ୍ସ କ୍ଲବ୍‌ ଏବଂ ସ୍ଥାନୀୟ ‌େ‌ସ୍ବଚ୍ଛାସେବୀ ଅନୁଷ୍ଠାନଗୁଡ଼ିକୁ ଅଭିଯାନରେ ସାମିଲ୍ ପାଇଁ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଥିଲେ। ସ୍ବତନ୍ତ୍ର ସ୍କ୍ବାଡ୍‌ ମାଧ୍ୟମରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ନିଷିଦ୍ଧ ପ୍ଲାଷ୍ଟିକ ଉତ୍ପାଦନ, ବିପଣୀ ଓ ବ୍ୟବହାରକାରୀ ଦୋକାନୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ହୋଇଛି। ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ ଓ ପରିଚାଳନା ବିଷୟ ବୈଠକରେ ସବିଶେଷ ଭାବେ ଆଲୋଚନା ହୋଇଥିଲା। ଏଥିପାଇଁ ପଞ୍ଚାୟତ ଏବଂ ସହରାଞ୍ଚଳଗୁଡ଼ିକ ମଧ୍ୟରେ ସମନ୍ୱୟକୁ ଅଧିକ ଦୃଢ଼ୀଭୂତ ଓ ସୁଗମ କରାଯିବାକୁ ସ୍ଥିର ହୋଇଛି। ପ୍ଲାଷ୍ଟିକ ବର୍ଜ୍ୟର ପୁନଃ ବ୍ୟବହାର ଉପରେ ଗୁରୁତ୍ବାରୋପ କରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ରାସ୍ତା ନିର୍ମାଣ ଓ ସିମେଣ୍ଟ କାରଖାନା ଆଦିରେ ଏହାର ବ୍ୟବହାର ବଢ଼ାଇବା ପାଇଁ ନିର୍ଦେଶ ଦେଇଥିଲେ। ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ, ପୂର୍ତ୍ତ, ଗ୍ରାମ ଉନ୍ନୟନ, ଗୃହ ଓ ନଗର ଉନ୍ନୟନ ବିଭାଗ ଯନ୍ତ୍ରୀ ଓ ବିଶେଷଜ୍ଞଙ୍କ ସହ ବୈଠକ କରି ରାସ୍ତା ନିର୍ମାଣରେ ପ୍ଲାଷ୍ଟିକ ନିୟମିତ ଯୋଗାଣ ଓ ବ୍ୟବହାର ନିଶ୍ଚିତ କରାଇବା ନିମନ୍ତେ ମୁଖ୍ୟ ସଚିବ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ।
ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୧୧ହଜାର ୬୯୩ ଟି ଗ୍ରାମରେ ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ତିଆରି ହୋଇଛି । ୩୦୯୭ ପଞ୍ଚାୟତରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକ ଦ୍ବାରା କଠିନ ବର୍ଜ୍ୟବସ୍ତୁ ଏବଂ ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା କରାଯାଉଛି । ୧୩ , ୮୩୪ଟି ବର୍ଜ୍ୟ ପୃଥକୀକରଣ ସ୍ଥାନ ତିଆରି କରାଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୮୬ ଟନ୍‌ରୁ ଊର୍ଦ୍ଧ୍ବ ପ୍ଲାଷ୍ଟିକ ବର୍ଜ୍ୟ ଗ୍ରାମାଞ୍ଚଳରୁ ସଂଗ୍ରହ କରାଯାଇ ନିକଟତମ ସହରାଞ୍ଚଳ ବର୍ଜ୍ୟ ପରିଚାଳନା କେନ୍ଦ୍ରରେ ପହଞ୍ଚା ଯାଇଛି। ବୈଠକରେ ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଶାସନ ସଚିବ ଆଶୋକ କୁମାର ମୀନା, ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି . ମାଥିଭାଥନନ୍, ପ୍ରଦୂଷଣ ନିୟନ୍ତ୍ରଣ ପରିଷଦର ସଦସ୍ୟ ସଚିବ ଡା. କେ . ମୃଗସେନ୍‌ଙ୍କ ସମେତ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ସାମିଲ ଥିଲେ।

kalyan agarbati

Comments are closed.