ଭୋଗରାରେ ରକ୍ତଦାନ ଶିବିର ; ୧୪୨ ୟୁୁନିଟ ରକ୍ତ ସଂଗୃହୀତ

ଗୁରୁଡିଝାଟିଆ : ଭୋଗରା ପଞ୍ଚାୟତ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପରିସରରେ ଓଡିଶା ମୋ ପରିବାର ଓ ଜୀବନବିନ୍ଦୁ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିବା ସହ ରକ୍ତଦାନ କରିଥିବା ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ରକ୍ତଦାନ କରି ଆଠଗଡ ସମଗ୍ର ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ରକ୍ତଦାତାଙ୍କ ନିସ୍ୱାର୍ଥପର ରକ୍ତଦାନ ଅନେକ ରୋଗୀ ମୁହଁରେ ହସ ଫୁଟାଇଥାଏ ବୋଲି କହିଥିଲେ । ପରପଞ୍ଚ ଅଜିତ କୁମାର ଦାସ, ଆଠଗଡ ଜୀବନବିନ୍ଦୁ ସଂଯୋଜକ ରାକେଶ ଦାସ, ଶିଶିର କୁମାର ମାନସିଂ, ଶ୍ୟାମ ପ୍ରସାଦ ପଣ୍ଡା, କଣ୍ଡରେଇ ସରପଞ୍ଚ ଜ୍ଞାନ ରଞ୍ଜନ ଦାଶ, ବିଜୁ ଯୁବ ଜନତା ଦଳ ସଭାପତି ବିନୋଦ ମାଝି, ସମାଜସେବୀ ଗୌରହରି ମହାନ୍ତିଙ୍କ ସହିତ ପଞ୍ଚାୟତ ତଥା ସ୍ଥାନୀୟ ଅଞ୍ଚଳର ଆଗଧାଡିର କର୍ମୀ, ମହିଳା ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ରହିଥିଲେ। କଟକ ବଡଡାକ୍ତରଖାନା ରକ୍ତ ଭଣ୍ଡାରର ଚିକିତ୍ସକ ଓ କର୍ମଚାରୀ ଉପସ୍ଥିତ ରହି ୧୪୨ ୟୁନିଟ ରକ୍ତ ସଂଗୃହୀତ କରିଥିଲେ।

 

Comments are closed.