ସାରା ଦେଶରେ ଭାରତ ବନ୍ଦର ପ୍ରଭାବ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅନୁସୂଚିତ ଜାତି-ଜନଜାତି ସଂଶୋଧନ ଅଧିନିୟମ ବିରୋଧରେ ସବର୍ଣ୍ଣ ସଙ୍ଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ସବର୍ଣ୍ଣ ସମାଜ, କରଣୀ ସେନା, ସପାକ୍ସ ଏବଂ ଅନ୍ୟ ସଙ୍ଗଠନ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଭାରତ ବନ୍ଦକୁ ନଜରରେ ରଖି ପୁଲିସ ଓ ପ୍ରଶାସନ ପକ୍ଷରୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ସାରା ଦେଶରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କେତେକେ ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି ।
ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାର, ରାଜସ୍ଥାନ, ମହାରାଷ୍ଟ୍ର ସମେତ ଅନ୍ୟାନ୍ୟ ରାଜ୍ୟରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଆନ୍ଦୋଳନକାରୀମାନେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କିଛି ନେତାଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି । ବନ୍ଦ ପ୍ରଭାବକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ଗ୍ବାଲିୟର ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ରହିଛି । ସେହିପରି ମଧ୍ୟପ୍ରଦେଶର ୧୦ଟି ଜିଲାରେ ୧୪୪ ଧାରା ଜାରି କରାଯାଇଛି । ୧୪୪ ଧାରା ଭାରତ ବନ୍ଦର ପର ଦିନ ଅର୍ଥାତ୍ ୭ ସେପ୍ଟମ୍ବର ପର୍ଯ୍ୟନ୍ତ ବଳବତ୍ତ ରହିବ । ଏହା ଛଡା ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ପମ୍ପ ବନ୍ଦ ରହିଛି । ଭୋପାଳରେ ସମସ୍ତ ଦୋକାନ ବଜାରରେ ତାଲା ପଡିଥିବା ବେଳେ ରାସ୍ତାଘାଟ ଶୂନଶାନ ରହିଛି ।
ସେହିପରି ରାଜସ୍ଥାନରେ ମଧ୍ୟ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି । ଆଜମେରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସ୍ଥାନୀୟଲୋକମାନେ ମଧ୍ୟ ଘରୁ ବାହାରୁ ନାହାନ୍ତି । ବିହାରର ଦରଭଙ୍ଗାରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ଆନ୍ଦୋଳନକାରୀମାନେ ରେଳ ଧାରଣା ଉପରେ ଠିଆ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ରାସ୍ତାରେ ଟାୟାର ଜାଳି ଆନ୍ଦୋଳନକାରୀମାନେ ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି । ବିଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି ।