ଭଦ୍ରକ: ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତରେ ଅଭାବନୀୟ ଘଟଣା । ନିର୍ବାଚନରେ ହାରିବାକୁ ନେଇ ଉଜୁଡ଼ିଗଲା ପ୍ରାର୍ଥୀଙ୍କ ସଂସାର । ବିଜୟୀ ହୋଇଥିବା ପ୍ରାର୍ଥୀଙ୍କ ଟାହିଟାପରା ସହି ନପାରି ପରାଜିତ ପ୍ରାର୍ଥୀଙ୍କ ସ୍ବାମୀ ଆତ୍ମହତ୍ୟା କରିଛନ୍ତି । ତାହା ସହ ପ୍ରାର୍ଥିନୀ ଜଣକ ବିଷ ପିଇ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ଚଳିତ ନିର୍ବାଚନରେ ସମତି ସଭ୍ୟା ଭାବେ ସୁମତି ପରିଡ଼ା ନିର୍ବାଚନରେ ଛିଡ଼ା ହୋଇଥିଲେ । ହେଲେ ହାରି ଯାଇଥିଲେ । ଗତକାଲି ବିଜୟୀ ପ୍ରାର୍ଥୀଙ୍କ ଶୋଭାଯାତ୍ରା ସୁମତିଙ୍କ ଘରବାଟେ ଯାଇଥିଲା । ଶୋଭାଯାତ୍ରା ସମୟରେ ସୁମତିଙ୍କ ସ୍ବାମୀଙ୍କୁ କିଛି ବାଧିଲାପରି କହିଥିଲେ ବିଜୟୀ ପ୍ରାର୍ଥୀ । ସେହ କଥା ସହିନପାରି ସୁମତିଙ୍କ ସ୍ବାମୀ ରମାକାନ୍ତ ସୁମତିଙ୍କୁ ଗାଳି କରିଥିଲେ ଏବଂ କହିଥିଲେ ତୁ କାହିଁ ନିର୍ବାଚନରେ ଛିଡ଼ା ହୋଇଥିଲୁ ।
ସ୍ବାମୀଙ୍କ ଗାଳି ଶୁଣିବା ପରେ ସୁମତି ବିଷ ପିଇ ଦେଇଥିଲେ । ସ୍ତ୍ରୀଙ୍କ ବିଷ ପିଇବା ଦେଖି ରମାକାନ୍ତ ଫାଶୀ ଲଗାଇ ଦେଇଥିଲେ । ପରେ ରମାକାନ୍ତ ଓ ତାଙ୍କ ସ୍ତ୍ରୀଙ୍କୁ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ରମାକାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏବଂ ସୁମତିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତର କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି । ଘଟଣା ସମ୍ପର୍କରେ ପୁଲିସ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।



