ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ହଜ ଗ୍ରାମର ସମାଜସେବୀ ତଥା ପୂର୍ବତନ ସରପଞ୍ଚ ବାଉରିବନ୍ଧୁ ଖଟେଇ(୯୬)ଙ୍କର ଆଜି ସକାଳେ ନିଜ ବାସଭବନରେ ପରଲୋକ ହୋଇଯାଇଛି। ଶ୍ରୀ ଖଟେଇ ଜଣେ ଅମାୟିକ, ଭଦ୍ର, ମେଳାପୀ, ନିର୍ଭୀକ ଏବଂ ପରୋପକାରୀ ବ୍ୟକ୍ତି ଥିଲେ। ସେ ହଜ ପଞ୍ଚାୟତର ଦୁଇ ଥର ସରପଞ୍ଚ ଥାଇ ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରିଛନ୍ତି। ସେ ସ୍ୱାଧୀନ ଭାବେ ବିଧାୟକ ପାଇଁ ୫ ଥର ଏବଂ ସାଂସଦ ପାଇଁ ୩ ଥର ନାମାଙ୍କନ ପତ୍ର ଦାଖଲ କରି ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିଲେ। ସେ ଜଣେ ସଚୋଟ ବ୍ୟକ୍ତି ହୋଇଥିବାରୁ ଏବଂ ଲୋକମାନଙ୍କର ସେବା କରିବା ମନୋବୃତ୍ତିକୁ ନେଇ ସେ ନିଜ ସାଇକେଲରେ ମାଇକ ବାନ୍ଧି ଗାଁ ଗାଁ ବୁଲି ପ୍ରଚାର କରୁଥିଲେ। କିନ୍ତୁ ଆଜିର ଏହି ଚାକଚକ୍ୟ ଦୁନିଆରେ ହେଉଥିବା ପ୍ରତିଯୋଗିତାରେ ସେ ବହୁତ ପଛରେ ପଡିଯାଇଥିଲେ।
ଓଡିଶା ଗ୍ରାମୀଣ ମଜଦୁର ସଂଘର ସେ ସଦସ୍ୟ ଥିଲେ। ଆଜି ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ବାସଭବନ ଲୋକାରଣ୍ୟ ହୋଇଯାଇଥିଲା। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀ, ପୁଅ ବୋହୂ, ସାନଝିଅ, ବଡଝିଅ ଏବଂ ନାତିନାତୁଣୀମାନେ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁରେ ତାଙ୍କର ଗ୍ରାମ ସହିତ ଆଖ ପାଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିବା ବେଳେ ଏକମାତ୍ର ପୁଅ ଜୟକୃଷ୍ଣ ଖଟେଇ ମୁଖାଗ୍ନି ଦେଇଥିଲେ।



