ବେଗୁନିଆ: ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ବେଗୁନିଆ ନୂଆସାହିରେ ଆଜି ଅପରାହ୍ନରେ ଗୁଳିକାଣ୍ଡ ଘଟିଥିବାର ଜଣାପଡିଛି।ଗୁଳିମାଡ଼ରେ ଆହତ ହୋଇଥିବା ଓଡ଼ଗାଁ ଭାଲିଆସାହିର ବିଭୂତିଭୂଷଣ ଜେନାଙ୍କ ତଳି ପେଟରେ ଟୁ ନଟ ଟୁ ଗୁଳି ବାଜିଥିବା ବେଳେ ତାଙ୍କୁ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିସ୍ଥାଳୟକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଗୁଳିକାଣ୍ଡ ପଛର ସଠିକ କାରଣ ଜଣାପଡିନଥିଲେ ମଧ୍ୟ ପ୍ରେମ ବ୍ୟାପାରକୁ ନେଇ ଏହି ଗୁଳିକାଣ୍ଡ ଘଟିଥିବାର ଶୁଣିବାକୁ ମିଳୁଛି।
ଅନ୍ୟପଟେ ଗୁଳିମାଡ଼ କରିଥିବା ପୂର୍ବତନ ସାମରିକ କର୍ମଚାରୀ ଗୋଟିଏ ରାଉଣ୍ଡ ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପଂହଁଚି ତଦନ୍ତ ଚାଲୁ ରଖିଛି। ଖୋର୍ଦ୍ଧା ଡାକ୍ତରଖାନାରେ ଏସ ପି ରାଜକିଶୋର ଦୋରା ପଂହଁଚି ଘଟଣାର ତଦନ୍ତ କରିଛନ୍ତି। ବେଗୁନିଆ ପୋଲିସ ଗୁଳିମାଡ଼ କରିଥିବା ସାମରିକ କର୍ମଚାରୀଙ୍କର ମୋବାଇଲ ଟ୍ରାକିଂ କରି ସନ୍ଧ୍ୟାରେ ଜଟଣୀ ଆଇ ଟି ଆର କଲେଜ ନିକଟରୁ ଗିରଫ କରିଥିବା ବେଳେ ତାଙ୍କଠାରୁ ଗୋଟିଏ ବନ୍ଧୁକ ଏବଂ ଦୁଇ ରାଉଣ୍ଡ ଗୁଳି ଜବତ କରିଛି। ଏ ସଂକ୍ରାନ୍ତରେ ଘର ମାଲିକ ଆଦିତ୍ୟପ୍ରସାଦ ରଥ ବେଗୁନିଆ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୨୦୪/୨୧ନଂ ରେ ମୋକଦମା ରୁଜୁ କରି ଘଟଣାର ତଦନ୍ତ କରୁଛି। ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ବେଗୁନିଆ ପୁଲିସ ସହିତ ଯୋଗାଯୋଗ କରାଯାଇଥିଲା। କିନ୍ତୁ ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ବ୍ୟସ୍ତ ଥିବା ଯୋଗୁଁ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।



