ସରକାରଙ୍କ ନୂଆ ଲକ୍ଷ୍ୟ, ୩୦ ସହର ହେବ ଭିକ୍ଷୁକମୁକ୍ତ

ନୂଆଦିଲ୍ଲୀ : ୩୦ ସହରକୁ ଭିକ୍ଷୁକ ମୁକ୍ତ କରିବ ବିଜେପି ସରକାର । ଏମିତି ନାରା ସହିତ ନିଜ ନୂଆ ଲକ୍ଷ୍ୟ ସ୍ଥିର କରିସାରିଛନ୍ତି କେନ୍ଦ୍ର ସରକାର । ଦେଶର ୩୦ ସହରକୁ ଭିକ୍ଷୁକମୁକ୍ତ କରି ସମସ୍ତଙ୍କୁ ଥଇଥାନ କରିବା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି । ଏଥିପାଇଁ ୩୦ ସହରର  ତାଲିକା ମଧ୍ୟ ପ୍ରସ୍ତୁତ ହୋଇସାରିଛି । ଉତ୍ତରରେ ଅଯୋଧ୍ୟାଠୁ ଆରମ୍ଭ କରି ପୂର୍ବରେ ଗୌହାଟୀ ପର୍ଯ୍ୟନ୍ତ ଏବଂ ପଶ୍ଚିମରେ ତ୍ରୟମ୍ବକେଶ୍ବରଠୁ ଆରମ୍ଭ କରି ଦକ୍ଷିଣରେ ତିରୁବନନ୍ତପୁରମ୍ ପର୍ଯ୍ୟନ୍ତ ସହର ଚୟନ କରି ଭିକ୍ଷୁକମୁକ୍ତ କରିବା ପାଇଁ ଘୋଷଣା କରାଯାଇଛି । ଭିକ୍ଷା ମାଗୁଥିବା ବୟସ୍କ, ବିଶେଷକରି ମହିଳା ଏବଂ ପିଲାଙ୍କ ସର୍ଭେ କରି ତାଙ୍କୁ ଥଇଥାନ ଏବଂ ସେମାନଙ୍କ ବିକାଶ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର ।

୩୦ଟି ସହରରେ ଅଧିକ ଭିକ୍ଷୁକ ନଜର ଆସୁଥିବା ସ୍ଥାନ ପ୍ରଥମେ ଚିହ୍ନଟ କରାଯିବ । ଏହା ପରେ ୨୦୨୬ ସୁଦ୍ଧା ଲକ୍ଷ୍ୟ ପୂରଣ ପାଇଁ ଜୋରସୋରରେ କାମ ଆରମ୍ଭ ହେବ । ଏଥିପାଇଁ ଆରମ୍ଭ କରାଯାଇଥିବା ସ୍ମାଇଲ ଯୋଜନା ଅନୁସାରେ ଏହି ଲକ୍ଷ୍ୟ ସ୍ଥିରହୋଇଛି । ସର୍ଭେ କାମକୁ ସରଳ କରିବା ପାଇଁ ମନ୍ତ୍ରାଳୟ ଫେବୃୟାରୀ ମାସରେ ଏକ ନ୍ୟାସନାଲ୍ ପୋର୍ଟାଲ ଏବଂ ମୋବାଇଲ ଆପ୍ ଲଞ୍ଚ୍ କରିବ । ଯାହା ଫଳରେ ଭିକ୍ଷାବୃତ୍ତିରେ ଲାଗିଥିବା ଲୋକଙ୍କ ତଥ୍ୟ ପ୍ରସ୍ତୁତ କରିହେବ । ୩୦ଟି ମଧ୍ୟରୁ ୨୫ଟି ସହରରେ ଲକ୍ଷ୍ୟ ପୂରଣ ପାଇଁ ଯୋଜନା ପ୍ରସ୍ତୁତ ହୋଇସାରିଛି । ବାକି କାମ ଆଗକୁ ଧିରେ ଧିରେ ହେବ ।

ଅନ୍ୟପଟେ ଭୋପାଳର ଅଧିକାରୀମାନେ ମନ୍ତ୍ରାଳୟକୁ ଜଣାଇଛନ୍ତି କି ସାଞ୍ଚି ଅଞ୍ଚଳରେ କେହି ବି ଭିକ୍ଷାବୃତ୍ତି କରନ୍ତିନି । ଏଥିପାଇଁ କୌଣସି ଅନ୍ୟ ଅଞ୍ଚଳକୁ ତାଲିକାଭୁକ୍ତ କରିହେବ । କୋଜିକୋଡ, ବିଜୟଓ୍ବାଡା, ମଦୁରାଇ ଏବଂ ମୈସୁରରେ ଭିକ୍ଷୁକଙ୍କ ସର୍ଭେ ପୁରା ହୋଇସାରିଛି । ମନ୍ତ୍ରାଳୟ କାର୍ଯ୍ୟ ଯୋଜନା ଆଧାରରେ ନଗର ନିଗମ ଅଧିକାରୀଙ୍କୁ ଫଣ୍ଡ୍ ଜାରି କରିବ । ଏହି ଫଣ୍ଡରୁ ହିଁ ଭିକ୍ଷୁକଙ୍କ ସର୍ଭେ, ତଥ୍ୟ ଯୋଗାଡ, ଆଶ୍ରୟସ୍ଥଳକୁ ସ୍ଥାନାନ୍ତରଣ, ଶିକ୍ଷା, ରୋଜଗାରର ସାଧନ ଉପଲବ୍ଧ କରାଯିବ ।

Comments are closed.