ଭୁବନେଶ୍ୱର: ଭାରତୀୟ ବନ ସେବା (ଆଇଏଫଏସ) ୧୯୮୭ ବ୍ୟାଚ ଅଧିକାରୀ ଅଭୟ କାନ୍ତ ପାଠକଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିେଯାଗରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୧୨ଟି ସ୍ଥାନରେ ଚଢଉ କରାଯାଉଥିବା ବେଳେ ଭୁବନେଶ୍ୱରରେ ଥିବା ଦପ୍ତର ଓ ଘର ସମେତ ୫ଟି ସ୍ଥାନ ଏବଂ ମହାରାଷ୍ଟ୍ରର ପୁନେ, ମୁମ୍ବାଇର ୬ଟି ସ୍ଥାନ ସହ ବିହାରର ପାଟନା ସ୍ଥିତ ତାଙ୍କ ପୈତୃକ ଘରେ ମଧ୍ୟ ଚଢଉ କରାଯାଇଛି। ଚଢାଉରେ ଭିଜିଲାନ୍ସର ୧୨ଟିମରେ ୧୫୦ରୁ ଅଧିକ କର୍ମଚାରୀ ସାମିଲ ଥିବା ଜଣାପଡିଛି। ଲକ୍ଡାଉନ୍ ସମୟରେ ଶ୍ରୀ ପାଠକଙ୍କ ଚାଟାର୍ଡ ପ୍ଲେନ ବ୍ୟବହାର ନେଇ କେନ୍ଦ୍ର ସରକାରଙ୍କଠାରୂ ସୂଚନା ମିଳିଥିଲା। ଏଣେ ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ପଦରେ ଥିବା ଶ୍ରୀ ପାଠକ ରାଜ୍ୟରେ ସାମାଜିକ ବନୀକରଣ ଓ ଚାରା ରୋପଣ ଦାୟିତ୍ବରେ ଅଛନ୍ତି। ତାଙ୍କ ବିେରାଧରେ ଚାରାରୋପଣ କାର୍ୟ୍ୟକ୍ରମରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ ଆସିଥିଲା। ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ନିର୍ଦେଶକ୍ରମେ ରାଜ୍ୟ ଭିଜିଲାନ୍ସ ପକ୍ଷରୁ ଆଜି ଓଡିଶା, ମହାରାଷ୍ଟ୍ର ଓ ବିହାରର ବିଭିନ୍ନ ଠିକଣାରେ ଚଢଉ ଜାରି ରହିଛି। ଏଥିସହିତ ପିପିଲିରେ ରହୁଥିବା ଡ୍ରାଇଭରଙ୍କ ଘରେ ମଧ୍ୟ ଭିଜିଲାନ୍ସ ଜାରି ରଖିଛି।
ମିଳିଥିବା ସୂଚନା ଅନୁଯାୟୀ ଲକ୍ଡାଉନ୍ ସମୟରେ ଶ୍ରୀ ପାଠକ ନିଜର ପରିବାର ଓ ବନ୍ଧୁବାନ୍ଧବଙ୍କ ସହିତ ୨୦ ଥର ଭୁବନେଶ୍ୱରରୁ ପାଟନା, ଦିଲ୍ଲୀ, ପୁଣେ ଓ ମୁମ୍ବାଇକୁ ଚାଟାର୍ଡ ବିମାନରେ ଯାତ୍ରା କରିଛନ୍ତି। ପ୍ରତିଥର ବିମାନରେ ଯାତ୍ରା ପାଇଁ ୧୫ରୁ ୨୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ଗତ ୧୩ ତାରିଖରେ ସାଙ୍ଗରେ ନିଜ ପତ୍ନୀ ଓ ଆଉ ୪ଜଣ ବ୍ୟକ୍ତିଙ୍କୁ ଧରି କଳିଙ୍ଗ ଏରୋ ଆଣ୍ଡ ଆଲାଏଡ ସର୍ଭିସେସ ବିମାନରେ ସେ ଉୁବନେଶ୍ୱରରୁ ପୁନେ ଯାତ୍ରା କରିଥିଲେ। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ବୁଧବାର ବଭିନ୍ନ ସ୍ଥାନରେ ଚଢଉ ସମୟରେ ଶ୍ରୀ ପାଠକଙ୍କ ଘରୁ ବିପୁଳ ପରିମାଣର ନଗଦ ଅର୍ଥ ସହିତ ଦାମୀ ଗାଡିମୋଟର ଓ ମୂଲ୍ୟବାନ ସାମଗ୍ରୀ ଜବତ ହେବାରେ ଲାଗିଛି। ତାଙ୍କ ଆକାଉଣ୍ଟରେ ମଧ୍ୟ ବିପୁଳ ପରିମାରଣ ଅର୍ଥ କାରବାର ହୋଇଛି। ଭୁବନେଶ୍ୱର ବାସଭବନରୁ ୫ଟି ଗାଡି ମିଳିଥିବା ବେଳେ ଏଥି ମଧ୍ୟରେ ଅତ୍ୟାଧୁନିକ ମର୍ସିଡିଜ୍ କାର ରହିଛି। ତେବେ ଅଧିକାଂଶ ଗାଡି ଅନ୍ୟ ଲୋକଙ୍କ ନାମରେ ଥିବା ଜଣାପଡିଛି। ଶ୍ରୀ ପାଠକ ଜଣେ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ହୋଇ ମଧ୍ୟ ନିଜପାଇଁ ଘରୋଇ ସୁରକ୍ଷାକର୍ମୀ ନିୟୋଜିତ କରିଥିଲେ। ସୁରକ୍ଷା କର୍ମୀଙ୍କ ମାସିକ ଦରମା ୫୦ ହଜାର ଟଙ୍କା ବ୍ୟୟ କରୁଥିଲେ। ସେହିପରି ତାଙ୍କ ପୁଅ ଆକାଶ ପାଠକଙ୍କର କୌଣସି ଚାକିରି ନଥିବା ବେଳେ ସିଏ ମଧ୍ୟ ନିଜର ସୁରକ୍ଷାପାଇଁ ଦୁଇ ଦୁଇ ଜଣ ଘରୋଇ ସୁରକ୍ଷାକର୍ମୀ ସାଙ୍ଗରେ ଧରି ବୁଲୁଥିବା ଭିଜିଲାନ୍ସ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି। ଏହାଛଡା ତାଙ୍କ ପୁଅ ନିଜକୁ ଟାଟା ମୋଟର୍ସର ପରିଚାଳନା ନିର୍ଦେଶକ କହି ଲେକଙ୍କୁ ଠକୁଥିବା ନେଇ ମାମଲା ରହିଛି। ବର୍ତ୍ତମାନ ଏହି ମାମଲାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି।
ସେହିଭଳି ମହାରାଷ୍ଟ୍ରର ପୁନେସ୍ଥିତ ଗଡ୍ ବ୍ଲେସିଙ୍ଗ ଆପାର୍ଟମେଣ୍ଟରେ ପୁଅ ନାଁରେ ଘରଭଡା ନିଆଯାଇଥିବା ବେଳେ ପୁନେ ମୁଲ୍ସି ସ୍ଥିତ ହିଲ୍ ଟାଉନ୍ ଏରିଆରେ ଫାର୍ମ ହାଉସ୍ ରହିଛି। ଉଭୟ ଘର ଓ ଫାର୍ମ ହାଉସ୍ର ମାସିକ ଭଡା ୫ଲକ୍ଷ ଟଙ୍କାରୁ ଅଧିକ ହେବବୋଲି ଆକଳନ କରାଯାଇଛି। ଏଥିସହିତ ଭିଜିଲାନ୍ସ ପକ୍ଷରୁ ରାଜଧାନୀର ଘାଟିକିଆ ଅଞ୍ଚଳରେ ଶ୍ରୀ ପାଠକଙ୍କ ଜଣେ ପୁତୁରା ଘରେ ଚଢଉ କରି ୫୦ଲକ୍ଷରୁ ଅଧିକ ଟଙ୍କାର ନଗଦ ଅର୍ଥ ଜବତ କରିଥିବାବେଳେ ପିପିଲି ଅଞ୍ଚଳରେ ରହୁଥିବା ତାଙ୍କ ଡ୍ରାଇଭର ଘରେ ମଧ୍ୟ ଭିଜିଲାନ୍ସ ଖାନତଲାସି ଚଳାଇଛି। ରାଜ୍ୟରେ କାର୍ୟ୍ୟରତ ଜଣେ ସର୍ବଭାରତୀୟ ଅଧିକାରୀଙ୍କ ଘରୁ ଯେପରି ବିପୁଳ ସମ୍ପତ୍ତି ଜବତ ହେବାରେ ଲାଗିଛି ତାହା ଭିଜିଲାନ୍ସ ଅଧିକାରୀମାନଙ୍କୁ ଆଶ୍ଚର୍ୟ୍ୟ କରିଥିବାବେଳେ ଚଢଉ ସମାପ୍ତ ପରେ ଆହୁରି ଅଧିକ ସମ୍ପତ୍ତିର ସୂଚନା ମିଳିବ ବୋଲି ଆଶା କରାଯାଉଛି। ରିେପାର୍ଟ ଲେଖାହେବା ବେଳକୁ ଶ୍ରୀ ପାଠକଙ୍କର ୧୦ଟି ବ୍ୟାଙ୍କ ଲକର ଠାବ ହୋଇଥିବା ଜଣାପଡିଛି। ବ୍ରହ୍ମପୁରରେ ମଧ୍ୟ ବିପୁଳ ପରିମାଣର ସମ୍ପତ୍ତି ରହିଛି। ଚଢଉ ଜାରି ରହିଥିବାରୁ ଶ୍ରୀ ପାଠକଙ୍କ ଆୟ ବହିର୍ଭୂତ ସମ୍ପତ୍ତି ନେଇ ସବିେଶଷ ତଥ୍ୟ ମିଳିପାରି ନାହିଁ।



