www.samajalive.in
Thursday, December 11, 2025
16.1 C
Bhubaneswar

ରାତିର ରାଜଧାନୀ : ଅଛି ବାରିକେଡ୍‌, ନାହିଁ ପୁଲିସ

ଭୁବନେଶ୍ୱର : ସାରା ଦେଶ ଏବେ ଲକ୍‍ ଡାଉନ୍‍। ଦିନରେ କାଁ ଭାଁ ଯାନବାହନ ଚଳାଚଳ କରୁଛି। ତିନି ଦିନ ହେବ ଖରା ବଢ଼ିଲାଣି। ସହରର ପ୍ରମୁଖ ଛକରେ ବାରିକେଡ଼ ସାଙ୍ଗକୁ ପୁଲିସ ଛାଉଣି। ହେଲେ ରାତିର ଅବସ୍ଥା କେମିତି ଏହାକୁ ‘ସମାଜ’ ପକ୍ଷରୁ ଅନୁଧ୍ୟାନ କରିବାକୁ ପ୍ରୟାସ କରିଥିଲୁ।

ରାତି ୧୨ଟା। କଳ୍ପନା ଛକରୁ ରବି ଟକିଜ୍‍ ଦେଇ ସାମନ୍ତରାପୁର, ଏଜି ଛକରୁ ରାଜଭବନ, ଶିରିପୁର ଦେଇ ଜାଗମରା, ରାଜଭବନରୁ ଜୟଦେବ ବିହାର, କଳିଙ୍ଗ ହସ୍ପିଟାଲ୍‍ ଛକ ଦେଇ ପଟିଆ ରାସ୍ତା ଏବଂ କଟକ ରୋଡ଼ ଯାଇଥିଲୁ। ଏସବୁ ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ କେବଳ ରାଜଭବନ ଛକ, ଜୟଦେବ ବିହାର ଓ କଳିଙ୍ଗ ହସ୍ପିଟାଲ ଛକ ନିକଟରେ ପୁଲିସ ବାଇକ୍‍ ଓ ଭ୍ୟାନ୍‍ରେ ଠିଆ ହୋଇଥିବା ଦେଖିଥିଲୁ। ଅନ୍ୟ ସମସ୍ତ ଛକରେ ରାତିରେ କେବଳ ବାରିକେଡ୍‍ ଥିଲା। ଆଉ ପୁଲିସର ଦେଖା ମିଳି ନ ଥିଲା।

- Advertisement -

ଲକ୍‍ ଡାଉନ୍‍ ଘୋଷଣା ପରେ ରାଜଧାନୀର ରାତି କେତେ ସୁରକ୍ଷିତ ତାହା ଏବେ ଏକ ଚିନ୍ତାଜନକ। ଗତ ୩ଦିନ ହେବ ଲକ୍‍ ଡାଉନ୍‍ ଏବଂ ରାଜଧାନୀରେ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମସ୍ତଙ୍କ ମନରେ ଆଶଙ୍କା ଦେଖାଦେଇଛି। ସାମାଜିକ ଦୂରତା ଏବଂ ଜନସାଧାରଣଙ୍କ ଗମନାଗମନ ଉପରେ କଟକଣା ରହିଥିବାରୁ ଦିନରେ ରାଜଧାନୀର ପ୍ରମୁଖ ଛକ ମାଷ୍ଟରକ୍ୟାଣ୍ଟିନ୍‍, ରାଜମହଲ, ଏଜି, ରାଜଭବନ, ପାୱାର ହାଉସ୍‍, ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ସିଆର୍‍ପି, ଖଣ୍ଡଗିରି, କଳିଙ୍ଗ ହସ୍ପିଟାଲ୍‍, କଳ୍ପନା, ଫାୟାର ଷ୍ଟେସନ, ରସୁଲଗଡ଼, ଲକ୍ଷ୍ମୀସାଗର, ରବିଟକିଜ୍‍, ସାମନ୍ତରାପୁର, ଧଉଳି, ପଟିଆ, ଶିଶୁଭବନ ଓ ନୂତନ ଜଗନ୍ନାଥ ସଡ଼କ ଆଦିରେ ପୁଲିସ ବାରିକେଡ୍‍ କରି ଯାଞ୍ଚ କରୁଛି। ଲକ୍‌ ଡାଉନ୍‍କୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ସାରା ସହରକୁ ଏକପ୍ରକାର କଡ଼ା ସୁରକ୍ଷାବଳୟରେ ରଖାଯାଇଛି। ୪୦ ପ୍ଲାଟୁନ୍‍ ପୁଲିସ ଫୋର୍ସ ୧୦୦ ଅଫିସର ମୁତୟନ କରାଯାଇଛି। ରାତିରେ ଆଉ ସେଭଳି ପୁଲିସର ଉପସ୍ଥିତି ଦେଖିବାକୁ ମିଳୁନାହିଁ। ଦୋକାନ ବଜାର ବନ୍ଦ। ଶୂନ୍‌ଶାନ୍‌ ରାସ୍ତା। ସ୍ଥାନେ ସ୍ଥାନେ ଅନ୍ଧାର। ଯଦି କୌଣସି ଅଘଟଣ ଘଟିଲା ପୁଲିସ ଜାଣିବା ମୁସ୍କିଲ। କରୋନା ଲାଗି ଦିନରେ ପୁଲିସ ଉପସ୍ଥିତ ରହୁଥିବା ବେଳେ ରାତି ହେଲେ ପୁଲିସ କର୍ମଚାରୀଙ୍କ ଦେଖାମିଳୁନି। ନା ବୁଲୁଛି ପିସିଆର୍‌ ନା ଚକ୍କର କାଟୁଛି ପାଟ୍ରୋଲିଂ ବାଇକ୍‌। ରାତିରେ ମଧ୍ୟ ଅନେକ ଜନସାଧାରଣ ଅତ୍ୟାବଶ୍ୟକ କାର୍ଯ୍ୟରେ ଯାତାୟାତ କରୁଛନ୍ତି। କିଛି ଦିନ ତଳେ ବାଲିଅନ୍ତା ଓ ଖଣ୍ଡଗିରି ଥାନା ଅଞ୍ଚଳରେ ରାତିରେ ଜରୁରୀ କାର୍ଯ୍ୟରୁ ଫେରୁଥିବା ଦୁଇ ଜଣ ବ୍ୟକ୍ତି ଲୁଟ୍‍ପାଟ୍‍ର ଶିକାର ହୋଇଥିଲେ। ପ୍ରାୟତଃ ଲୋକେ ଘରେ ରହୁଥିବାରୁ ଚୋରି ବହୁ ସଂଖ୍ୟାରେ କମି ଯାଇଛି। ମୋଟାମୋଟି ଅପରାଧ ପଞ୍ଜୀକରଣ ୧୩ ପ୍ରତିଶତ ହ୍ରାସ ପାଇଛି। ସେହିପରି ଅନ୍ଧାର ଓ ଲୋକଙ୍କ ଅନୁପସ୍ଥିତି ଯୋଗୁଁ ହୋଇଯାଇଥିବାରୁ ଅସାମାଜିକମାନେ ଦୋକାନ ବଜାର ତାଡ଼ି ଲୁଟ୍‌ପାଟ୍‌ କରିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ।

କମିସନରେଟ୍‍ ପୁଲିସ ସୂଚନା ମୁତାବକ ଭୁବନେଶ୍ୱର ସହରାଞ୍ଚଳରେ ଏବେ ୩୫ଟି ପିସିଆର୍‍ ଭ୍ୟାନ୍‍ କ‌େ‌ଣ୍ଟ୍ରାଲ୍‌ ରୁମ୍‍ ଅଧୀନରେ ରହିଛି। ସେହିପରି କରୋନା ମୁକାବିଲା ଲାଗି ଅତିରିକ୍ତ ୨୦ଟି ପିସିଆର୍‍ ଭ୍ୟାନ୍‍ ବନ୍ଦୋବସ୍ତ କରାଯାଇଛି। ଏହାବ୍ୟତୀତ ୨୦ଟି ପିସିଆର୍‍ ବାଇକ୍‍ ରହିଛି। ଏସବୁ ୨୪ ଘଣ୍ଟିଆ ପଇଁତରା ମାରୁଛନ୍ତି। ମୁଖ୍ୟ ରାସ୍ତା ଛାଡ଼ି ଏସବୁ ଗଳିକନ୍ଦିରେ ମଧ୍ୟ ପଇଁତରା ମାରୁଛି। ଏହି ଲକ୍‌ ଡାଉନ୍‍ ସମୟରେ କୌଣସି ଅସାମାଜିକଙ୍କ କାର୍ଯ୍ୟକଳାପ ଦୃଷ୍ଟିକୁ ଆସିଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କମିସନର କହିଛନ୍ତି।

 

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories