ବରପାଲି: ବରପାଲି ୧୪୪ତମ ଶିବବିବାହ ମହୋତ୍ସବରେ ଭଏଁରୋ ଦେବଙ୍କ ଦେବ ନିମନ୍ତ୍ରଣ ପର୍ବ ସମାପନ ହୋଇଯାଇଛି। ରବିବାର ପୁର୍ନାହ୍ନରେ ମନ୍ଦିର ପରିସରରେ ଦେବାଧିଦେବ ମହାଦେବ ମାତା ପାର୍ବତୀଙ୍କ ସମେତ ସମସ୍ତ ପାର୍ଶ୍ବଦେବାଦେବୀଙ୍କ ପୂଜାର୍ଚ୍ଚନା ହୋଇଥିବା ବେଳେ ସଂଧ୍୍ୟାରେ ନୃପରାଜ କ୍ଲବ ସମ୍ମୁଖରେ ଭୈରବ ବାବାଙ୍କୁ ପୁର୍ବ ପରମ୍ପରା ବିଧି ଅନୁଯାୟୀ ଜମିଦାର ଲାଲବିକ୍ରମସିଂଦେଓ ଓ ପ୍ରଶାନ୍ତ ସିଂଙ୍କ ସମେତ ପୂଜାକମିଟି ପକ୍ଷରୁ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଭଏଁରୋ ବାବାଙ୍କ ଆଜ୍ଞା ନେଇ କପିଳେଶ୍ୱର ବାବାଙ୍କ ବିବାହତ୍ସବ ଅବସରରେ ବିଭିନ୍ନ ଦେବାଦେବୀଙ୍କ ଉଦେଶ୍ୟରେ ଗୁଆଗୁଣ୍ଡା ପ୍ରଦାନ ମାଧ୍ୟମରେ ଦେବ ନିମନ୍ତ୍ରଣ କାର୍ଯ୍ୟ ସମ୍ପାଦନ କରିଥିଲେ।
ଆସନ୍ତା ସୋମବାର କପିଳେଶ୍ୱର ମହାଦେବଙ୍କ ବିଳମ୍ବିତ ରାତ୍ରରେ ବରାନୁଗମନ କାର୍ଯ୍ୟକ୍ରମ ରହିଥିବା ବେଳେ ପୁର୍ବାହ୍ନରେ ଗର୍ତବର୍ଷ କନ୍ୟା ପିତାମାତାଙ୍କ ଦ୍ୱାରା ଦେବଦମ୍ପତ୍ତିଙ୍କ ଗଣ୍ଠିଆଳ ଉନ୍ମୋଚନ ପର୍ବ ଓ ହିମାଦ୍ରୀ ନଗର ତଥା ଭଣ୍ଡାର ଗୃହ ପକ୍ଷରୁ ତୈଳାଭିଷେକ ମନ୍ଦିର ପରିସରରେ ପାଳିତ ହେବ। ସେହିପରି ସଂଧ୍ୟାରେ ମାଁଙ୍କ ଅଳଙ୍କାର ଧାରଣ କାର୍ଯ୍ୟକ୍ରମ ସମାପନ ପରେ ବାବାଙ୍କ ବରଯାତ୍ରା ହିମାଦ୍ରୀନଗର ପହଞ୍ଚିବା କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି। ଗତ ରାତ୍ର ସମୟରେ ମନ୍ଦିର ପରିସରରେ ଦୁହିକୂଳଙ୍କୁ ନେଇ ନିର୍ବନ୍ଧ କାର୍ଯ୍ୟକ୍ରମ ନିରାଡ଼ମ୍ବର ଭାବରେ ସମ୍ପର୍ଣ୍ଣ ହୋଇଥିଲା।



