ବାରବାଟୀରେ ଦର୍ଶକ ନିରାଶ

ଭାରତ ୪ ୱିକେଟରେ ପରାସ୍ତ, କ୍ଲାସେନ୍‌ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌, ଦକ୍ଷିଣ ଆଫ୍ରିକା ୨-୦ରେ ଆଗୁଆ

କଟକ : ସ୍ଥାନୀୟ ବାରବାଟୀ ଷ୍ଟାଡିୟମ୍‌ରେ ବହୁ ପ୍ରତୀକ୍ଷିତ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଭାରତ ପରାସ୍ତ ହୋଇଛି। ହେନ୍‌ରିଚ୍‌ କ୍ଲାସେନ୍‌ଙ୍କ ବିସ୍ଫୋରକ ୮୧ ରନ୍‌ର ଇନିଂସ ବଳରେ ରବିବାର ୨ୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଭାରତକୁ ୪ ୱିକେଟରେ ଦକ୍ଷିଣ ଆଫ୍ରିକା ପରାସ୍ତ କରିଛି। ଧିମା ଓ ତଳୁଆ ରହୁଥିବା ବାରବାଟୀର ପିଚ୍‌ରେ ପ୍ରଥମେ ବ୍ୟାଟିଂକରି ଭାରତ ୬ ୱିକେଟରେ ୧୪୮ ରନ୍‌ କରି ପାରିଥିଲା। ଈଶାନ୍ କିଷନ୍‌, ଶ୍ରେୟାସ ଆୟର ଓ ଦିନେଶ କାର୍ତ୍ତିକଙ୍କ ଲଢ଼ୁଆ ଇନିଂସ ଯୋଗୁଁ ଭାରତର ଏହି ସ୍କୋର୍ ସମ୍ଭବ ହୋଇଥିଲା। ଉଭୟ ଦଳଙ୍କ ମଧ୍ୟରେ ଫରକ ଥିଲେ କ୍ଲାସେନ୍‌। ତାଙ୍କର ଏହି ଇନିଂସ ଯୋଗୁଁ ୧୦ଟି ବଲ୍‌ ବାକିଥାଇ ୬ ୱିକେଟ ହରାଇ ଦକ୍ଷିଣ ଆଫ୍ରିକା ଜିତିଥିଲା। ଏହି ବିଜୟ ଫଳରେ ଶୃଙ୍ଖଳାରେ ଦକ୍ଷିଣ ଆଫ୍ରିକା ୨-୦ରେ ଆଗୁଆ ରହିଛି। ଓଡ଼ିଆ କ୍ରିକେଟ୍‌ପ୍ରେମୀ ଭାରତର ବିଜୟର ଆଶା ରଖିଥିବା ବେଳେ ସେମାନେ ନିରାଶ ହୋଇଛନ୍ତି। ମ୍ୟାଚ୍‌ରେ ଅଧିକ ସ୍କୋର୍‌ ହେବ ବୋଲି ଯେଉଁ ପୂର୍ବାନୁମାନ ହୋଇଥିଲା; ତାହା ଭୁଲ୍‌ ପ୍ରମାଣିତ ହୋଇଥିଲା। ୪୫ ହଜାର ଓଡ଼ିଶା ଦର୍ଶକଙ୍କ ସମର୍ଥନ ଭାରତକୁ ଜିତାଇ ପାରିନଥିଲେ।
ଦକ୍ଷିଣ ଆଫ୍ରିକା ବିପର୍ଯ୍ୟୟ ସହ ଇନିଂସ ଆରମ୍ଭ କରିଥିଲା। ଏହା ଆରମ୍ଭରୁ ଗୋଟିଏ ପରେ ଗୋଟିଏ ୱିକେଟ ହରାଇବା ଷ୍ଟାଡିୟମ୍‌ରେ ସମବେତ ୪୫ ହଜାର ଓଡ଼ିଆ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଶିହରଣ ଖେଳାଇ ଦେଇଥିଲା। ଅଭିଜ୍ଞ ଭୁବନେଶ୍ବର କୁମାରଙ୍କୁ ଏହି ପିଚ୍‌ ବେଶ୍‌ ସୁହାଇଥିଲା। ଭୁବନେଶ୍ବର ହିଁ ଦକ୍ଷିଣ ଆଫ୍ରିକାର ପ୍ରଥମ ୩ଟିଯାକ ୱିକେଟ ନେଇଥିଲେ। ଉଭୟ ରିଜା ହେଣ୍ଡ୍ରିକ୍‌ସ ଓ ଡ୍ବେନ୍ ପ୍ରିଟୋରିୟସ୍ ଗୋଟିଏ ଲେଖାଏଁ ଦର୍ଶନୀୟ ଚୌକାମାରିବା ପରେ ଆଉଟ୍‌ ହୋଇଥିଲେ। ଭୁବନେଶ୍ବରଙ୍କ ସ୍ବିଙ୍ଗ୍‌ରେ ପରାସ୍ତହୋଇ ହେଣ୍ଡ୍ରିକ୍‌ସ ବୋଲ୍‌ଡ ହୋଇଥିବା ବେଳେ ପ୍ରିଟୋରିୟସ୍ ଛକା ମାରିବା ପ୍ରୟାସରେ ଆଉଟ୍‌ ହୋଇଥିଲେ। ପ୍ରଥମ ଟ୍ବେଣ୍ଟି୨୦ର ହିରୋ ରାସି ଭାନ୍ ଡର୍ ଡ୍ୟୁସେନ୍‌ (୧) ମଧ୍ୟ ଭୁବନେଶ୍ବରଙ୍କ ଚମତ୍କାର ବଲ୍‌ରେ ବୋଲ୍‌ଡ ହୋଇଥିଲେ। ପରେ ଅଧିନାୟକ ତେମ୍ବା ବାଭୁମା ଓ ହେନ୍‌ରିଚ୍‌ କ୍ଲାସେନ୍‌ ସ୍କୋର୍‌କୁ ଆଗେଇ ନେଇଥିଲେ। ବାଭୁମା ଗୋଟିଏ ପଟେ ଜଗି ରହିଥିବା ବେଳେ କ୍ଲାସେନ୍ ବାଉଣ୍ଡରୀ ପରେ ବାଉଣ୍ଡରୀ ମାରି ସ୍ଥାନୀୟ ଦର୍ଶକଙ୍କୁ ସ୍ତବ୍‌ଧ କରି ଦେଇଥିଲେ। ଦୁହେଁ ୪ର୍ଥ ୱିକେଟ ପାଇଁ ୪୧ ବଲ୍‌ରୁ ୬୪ ରନ୍‌ ଯୋଡ଼ିଥିଲେ। ବାଭୁମା ୩୦ ବଲ୍‌ରୁ ଗୋଟିଏ ଛକା ଓ
୪ଟି ଚୌକା ସହ ୩୫ ରନ୍‌ କରିଥିଲେ। ୩୨ ବଲ୍‌ରୁ କ୍ଲାସେନ୍ ଟ୍ବେଣ୍ଟି୨୦ରେ ୪ର୍ଥ ଏବଂ ଭାରତ ବିପକ୍ଷରେ ୨ୟ ଅର୍ଦ୍ଧଶତକ ପୂରଣ କରିଥିଲେ। ଏକଦା ୮ ଓଭରରେ ୩ ୱିକେଟରେ ୩୨ ରନ୍‌ କରିଥିବା ଦକ୍ଷିଣ ଆଫ୍ରିକା କ୍ଲାସେନ୍‌ଙ୍କ ପ୍ରହାର ବଳରେ ପରବର୍ତ୍ତୀ ୮ ଓଭରରୁ ୧୦୬ ରନ୍‌ କରି ପାରିଥିଲା। ଏହା ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲା। କ୍ଲାସେନ୍‌ ୪୬ ବଲ୍‌ରୁ ୫ଟି ଛକା ଓ ୭ଟି ଚୌକା ସହ ୮୧ ରନ୍‌ କରିଥିଲେ। ଡେଭିଡ୍‌ ମିଲର ୧୫ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୦ ରନ୍‌କରି ଅପରାଜିତ ଥିଲେ। କ୍ଲାସେନ୍‌ଙ୍କ ସହ ଏହି ମ୍ୟାଚ୍‌ର ଅନ୍ୟତମ ହିରୋ ଭୁବନେଶ୍ବର କୁମାର ୧୩ ରନ୍‌ଦେଇ ୪ଟି ୱିକେଟ ନେଇଥିଲେ। କ୍ଲାସେନ୍‌ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ଆଶା ଅନୁସାରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ଫିଲ୍‌ଡିଂର ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମ ଓଭରରେ ଋତୁରାଜ ଗାଏକ୍‌ୱାଡ୍‌ (୧)ଙ୍କ ୱିକେଟ ହରାଇଥିଲା। ୨ୟ ୱିକେଟ ପାଇଁ ଓପ୍‌ନର ଈଶାନ୍ କିଷନ୍ ଓ ଶ୍ରେୟାସ ଆୟର ଚମତ୍କାର ବ୍ୟାଟିଂ କରିଥିଲେ। ଦୁହେଁ ଆକ୍ରମଣ କରି ୨୯ ବଲ୍‌ରୁ ୪୫ ରନ୍‌ ଯୋଗ କରିଥିଲେ। କିଷନ୍‌ ଆଉଟ୍‌ ହୋଇଯିବା ବାରବାଟୀକୁ କିଛି ସେକେଣ୍ଡ ପାଇଁ ନିଶବ୍ଦ କରି ଦେଇଥିଲା। ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିଥିବା କିଷନ୍‌ ୨୧ ବଲ୍‌ରୁ ୩ଟି ଛକା ଓ ୨ଟି ଚୌକା ସହ ୩୪ ରନ୍‌ କରିଥିଲେ। ଅଧିନାୟକ ଋଷଭ ପନ୍ତ୍ ପୁଣି ଏକ ବେପରୁଆ ସଟ୍‌ ଖେଳି ୫ ରନ୍‌କରି ଆଉଟ୍‌ ହୋଇଥିଲେ। ଉପଅଧିନାୟକ ହାର୍ଦିକ ପାଣ୍ଡ୍ୟା ମଧ୍ୟ ଭୁଲ୍‌ ସଟ୍‌ ଖେଳି ୯ ରନ୍‌କରି ଆଉଟ୍‌ ହୋଇଥିଲେ। ଅକ୍ଷର ପଟେଲ ୧୦ ରନ୍‌ କରିଥିଲେ। ଦଳକୁ ଫେରିଥିବା ଦିନେଶ କାର୍ତ୍ତିକ ସଠିକ୍ ଭାବେ ଫିନିସର ଭୂମିକା ନିର୍ବାହ କରିଥିଲେ। କାର୍ତ୍ତିକଙ୍କ ପ୍ରୟାସ ଯୋଗୁଁ ଶେଷ ୨ ଓଭରରୁ ୩୦ ରନ୍‌ ହୋଇଥିଲା। କାର୍ତ୍ତିକ ୨୧ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୦ ଏବଂ ହର୍ଷଲ ପଟେଲ ୯ ବଲ୍‌ରୁ ୨ଟି ଚୌକା ସହ ୧୨ ରନ୍‌କରି ଅପରାଜିତ ଥିଲେ। କାଗିସୋ ରାବାଡା ଓ ୱେନ୍ ପାର୍ନେଲ କମ୍ ରନ୍ ଦେଇଥିବା ବେଳେ ଆନ୍‌ରିଚ୍ ନୋର୍ଖିୟା ୨ଟି ୱିକେଟ ନେଇଥିଲେ।

kalyan agarbati

Comments are closed.