ବାଙ୍କୀ : ବାଙ୍କୀ ଏନଏସିର ୬୧ଜଣ ସଫେଇ କର୍ମଚାରୀ ଓ ସ୍ୱଚ୍ଛ ସାଥୀ ମାନେ ଦୀର୍ଘ ୩ମାସ ଧରି ଦରମା ପାଇନଥିବାରୁ ତା’ର ପ୍ରତିବାଦରେ ଗୁରୁବାର ଦିନ କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟବନ୍ଦ କରି ଧାରଣାରେ ବସିଥିଲେ। ସମ୍ପୃକ୍ତ କର୍ମଚାରୀ ମାନେ ଏନଏସି ଦ୍ୱାରା ସ୍ତିରୀକୃତ ଠିକା ସଂସ୍ଥା ଦ୍ୱାରା ନିଯୁକ୍ତି ପାଇ ଏନଏସିର ୧୭ଗୋଟି ଓାର୍ଡରେ ସଫେଇ କାର୍ଯ୍ୟ କରିବା ସହିତ କୋଭିଡ୍ ସମୟରେ ମଧ୍ୟ ଯୁଦ୍ଧ କାଳୀନ ଭିତ୍ତିରେ ସହରକୁ ପରିସ୍କାର ପରିଚ୍ଛନ୍ନ ରଖିବାରେ ସହଯୋଗୀ ହୋଇଥିଲେ।
ଗୁରୁବାର ସଫେଇ କାର୍ଯ୍ୟବନ୍ଦ ହେବାରୁ ବାଙ୍କୀ ସହରର ବିଭିନ୍ନ ସ୍ଥାନରେ ଅଳିଆ ପଡ଼ିରହିଥିବା ଦେଖିବାକୁ ମିଳିଛି। ସୁପରଭାଇଜର କୁବେର ମହାନ୍ତି, ବାବୁଲି ନାଏକ, ପ୍ରଶାନ୍ତ ନାଏକ, ପୀତବାସ ନାଏକ, ପ୍ରକାଶ ନାଏକ, ଶ୍ରୀନିବାସ ବେହେରା, କିସନ ନାଏକ, ସନ୍ତୋଷ ବେହେରା, ହେମନ୍ତ ନାଏକ ପ୍ରମୁଖ ୬୧ଜଣ ଅସ୍ଥାୟୀ ସଫେଇ କର୍ମଚାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଖବର ପାଇ ବାଙ୍କୀ ଉପଜିଲ୍ଲାପାଳ ତଥା ଏନଏସି ପ୍ରଶାସନିକ ଅଧିକାରୀ ରଞ୍ଜନ କୁମାର ଜେନା ଉପସ୍ଥିତ ରହି ଠିକା ସଂସ୍ଥା ସହିତ ଆଲୋଚନା କରି ଜାନୁଆରୀ ମାସ ୧୫ତାରିଖ ସୁଦ୍ଧା ୩ଟି କିସ୍ତିରେ ସମସ୍ତଙ୍କୁ ୩ ମାସର ବକେୟା ଦରମା ଠିକାଦାର ସଂସ୍ଥା ଦେବାର ପ୍ରତିଶ୍ରୁତି ଦେବାପରେ ଅସ୍ଥାୟୀ କର୍ମଚାରୀ ମାନେ ଧାରଣାରୁ ଉଠିଥିଲେ। ଏହି ସମୟରେ ନିର୍ବାହୀ ଅଧିକାରୀ ବିନୟ ରଞ୍ଜନ ମହାପାତ୍ର ଉପସ୍ଥିତ ରହିଥିଲେ। ଗୁରୁବାର ଦିନ ଗୋଟିଏ ମାସର, ଜାନୁଆରୀ ୮ ଓ ୧୫ ତାରିଖରେ ଅବଶିଷ୍ଟ ବକେୟା ପାରିଶ୍ରମିକ ପାଇବାର ପ୍ରତିଶ୍ରୁତି ପାଇଲାପରେ କର୍ମଚାରୀ ଧାରଣାରୁ ଉଠିଥିଲେ।



