‘କାମ ସରିବା ପରେ ଲାଗିବ ଫଳକ’ : ଯନ୍ତ୍ରୀ

ବାଙ୍କୀରେ ବିନା ଫଳକରେ ଚାଲିଛି କୋଟି କୋଟି ଟଙ୍କାର ନିର୍ମାଣ କାର୍ଯ୍ୟ

କଳାପଥର (ବାଙ୍କୀ): ଏତେ ତରବର କାହିଁକି ? କାମ ଚାଲିଛି , ସରିବା ପରେ ଫଳକ ନିଶ୍ଚିତ ଲାଗିବ’। ଏମିତି ନିଜର ମତାମତ ରଖିଛନ୍ତି ଯନ୍ତ୍ରୀ । ବାଙ୍କୀରେ ବିଭିନ୍ନ ବିଭାଗ ପକ୍ଷରୁ ଏବେ କୋଟି କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରାଯାଉଛି । ହେଲେ , କାର୍ଯ୍ୟର ଅଟକଳ ମୂଲ୍ୟ କେତେ ? କେଉଁଠି ଦେଖିବାକୁ ମିଳିବନି। କେବଳ ଏତିକି ନୁହେଁ କେଉଁ ବିଭାଗ ପକ୍ଷରୁ ପ୍ରକଳ୍ପ ନିର୍ମାଣ କରାଯାଉଛି ତାକୁ ବି ଆପଣ ଜାଣି ପାରିବେ ନାହିଁ । ବ୍ଲକ ଅଧିକାରୀଙ୍କୁ ପଚାରିଲେ ସେମାନେ କହିବେ ଆମର ନୁହେଁ , ଏନଏସି ଅଧିକାରୀଙ୍କୁ ପଚାରିଲେ ସେମାନେ ବି କହିବେ ଆମେ କରୁନୁ । ଗ୍ରାମ୍ୟ ଉନ୍ନୟନ ବିଭାଗ ସହିତ ଯୋଗାଯୋଗ କଲେ ଯନ୍ତ୍ରୀ ନାହାଁନ୍ତି । ପୂର୍ତ୍ତ ବିଭାଗ ଅଧିକାରୀଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେଇ ଗୋଟିଏ ଉତ୍ତର ‘ଆମ ବିଭାଗ ସେ କାମ ବୁଝୁନି’ ବୋଲି ଉତ୍ତର ଶୁଣିବା ଏକ ପ୍ରକାରର ନିଶ୍ଚିତ। ତାହାଲେ ବାଙ୍କୀରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ଗୁଡ଼ିକ କେଉଁ ବିଭାଗ ଜରିଆରେ ଚାଲିଛି ବୋଲି ପ୍ରଶ୍ନ ଉଠିବା ସ୍ଵାଭାବିକ। ଯେମିତି ବାଙ୍କୀ ଡମପଡ଼ା ବ୍ଲକର ଗୋପାଳପୁର ପଞ୍ଚାୟତର ହରିହରଭେଟ ଏବଂ ବାୟାଣୀବର ନିକଟରେ ଦୁଇଟି ସ୍ଵାଗତ ତୋରଣ ନିର୍ମାଣ ହେଉଛି । କିନ୍ତୁ ସେଠାରେ କୌଣସି ସ୍ଥାନରେ କେଉଁ ବିଭାଗ ପକ୍ଷରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉଛି ଏବଂ ପ୍ରକଳ୍ପ ନିର୍ମାଣରେ କେତେ ଟଙ୍କା ଖର୍ଚ୍ଚ ହେବ ତାହାର କୌଣସି ପ୍ରକାରର ସୂଚନା ଦେଖିବାକୁ ପାଇବେ ନାହିଁ।
ବାଙ୍କୀ ବିଜ୍ଞପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ଥାନୀୟ ପଥରତୁଠ ୱାର୍ଡ ନଂ-୧୦ରେ  ବାଙ୍କୀ ଏନଏସି ପକ୍ଷରୁ  ରାସ୍ତା କଡ଼ରେ ସୌନ୍ଦର୍ଯ୍ୟ କରଣ ହୋଇଛି । ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି ଯେ, ଏହି କାର୍ଯ୍ୟରେ କୁଆଡେ ‘ମୁକ୍ତା ଯୋଜନା’ ରେ ଆସିଥିବା କୋଟି କୋଟି ଟଙ୍କାରୁ ଦୁଇଟି ପର୍ଯ୍ୟାରେ ୧୬ ଲକ୍ଷରୁ ଅଧିକ ଟଙ୍କା ବିନିଯୋଗ ହୋଇଛି । ସେହିପରି ୱାର୍ଡ ନଂ- ୮ କଚେରୀ ଯିବା ରାସ୍ତାରେ ମଧ୍ୟ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ଫେବର୍ ଇଟା ପକାଯାଇଛି । ଉକ୍ତ କାର୍ଯ୍ୟ କେଉଁ ପ୍ରକାରର ଉନ୍ନୟନ ବୋଲି ସ୍ଥାନୀୟ ଲୋକମାନେ ମଧ୍ୟ ପ୍ରଶ୍ନ କରିଛନ୍ତି । ହେଲେ , ଲୋକଙ୍କ ଅଭିଯୋଗକୁ ବାଙ୍କୀ ଏନ୍ଏସି ଦାୟୀତ୍ୱରେ ଥିବା ନିର୍ବାହୀ ଅଧିକାରୀ ଏବଂ ମୁକ୍ତା ଯୋଜନାର ସଫଳ ରୂପାୟନ ଦାୟିତ୍ଵ ତୁଲାଇବା ପାଇଁ ସରକାର ଏଠାରେ ନିଯୁକ୍ତି ଦେଇଥିବା ଯନ୍ତ୍ରୀ ଓ ପରିଚାଳନା ମଣ୍ଡଳୀ ଶୁଣିବାକୁ ନାରାଜ । ଲୋକଙ୍କ ଟିକସ ଅର୍ଥ ଏଭଳି ବିନିଯୋଗକୁ ବହୁ ବରିଷ୍ଠ ନାଗରିକମାନେ ନାପସନ୍ଦ କରିଛନ୍ତି । ଅନ୍ୟ ପକ୍ଷରେ ଏଭଳି ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଜନତାଙ୍କ ଟିକସ ଅର୍ଥରୁ କେତେ ଟଙ୍କା ବ୍ୟୟ କରାଯାଇଛି ତାହାର ମଧ୍ୟ କୌଣସି ସ୍ଥାନରେ ଫଳକଟିଏ ଲାଗୁନାହିଁ । ବାଙ୍କୀ ଏନ୍ଏସିରେ ମୁକ୍ତା ଯୋଜନାର ଦାୟୀତ୍ୱରେ ଥିବା ଯନ୍ତ୍ରୀ ଦୀପକ ସାମଲଙ୍କୁ ପଚାରିବାରେ ସେ କହିଲେ, ପ୍ରକଳ୍ପ ସରିବା ପରେ ଫଳକ ଲାଗିବାକୁ ନିୟମ ରହିଛି । ତେବେ, ଯେଉଁ ପ୍ରକଳ୍ପ ଗୁଡ଼ିକ ଆଜିକୁ ୬ ମାସ ତଳେ ଶେଷ ହୋଇ ତାହାର ସମ୍ପୁର୍ଣ୍ଣ ବିଲ୍ ପାରିତ ହୋଇଗଲାଣି ସେଠାରେ କେବେ ସୂଚନା ଫଳକ ଲାଗିବ ବୋଲି ପଚାରିବାରୁ ସେ କୌଣସି ଉତ୍ତର ଦେଇନଥିଲେ । ବାଙ୍କୀ ଡମପଡ଼ା ବ୍ଲକର ଗୋପାଳପୁର ପଞ୍ଚାୟତର  ବାୟାଣିବର ଓ ଗୋପାଳପୁର ଛକ ଠାରେ ଦୁଇଟି ସ୍ଥାନରେ ପ୍ରାୟ ୧୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ସ୍ଵାଗତ ତୋରଣକୁ ନେଇ ଦାୟୀତ୍ୱରେ ଥିବା ଯନ୍ତ୍ରୀ ସବିତା ନାୟକଙ୍କ ମତାମତ ନେବାକୁ ଆମେ ବାରମ୍ବାର ଯୋଗାଯୋଗ କରିଥିଲୁ। ହେଲେ ସେ କୌଣସି ଉତ୍ତର ଦେଇନଥିଲେ। ବାଙ୍କୀ ବ୍ଲକ  ପରିସରରେ ୧୮ ଲକ୍ଷ ଟଙ୍କା ବ୍ୟୟରେ  ସରକାରୀ କ୍ୱାର୍ଟର ନିର୍ମାଣ  ହେଉଛି । ବ୍ଲକ ପକ୍ଷରୁ ଏହାର କାର୍ଯ୍ୟାଦେଶ ଦାୟୀତ୍ୱରେ ଥିବା ଯନ୍ତ୍ରୀ  ହେମନ୍ତ କୁମାର ସାମନ୍ତଙ୍କ ନାମରେ କରାଯାଇଛି । ହେଲେ ସେଠାରେ ମଧ୍ୟ ସେହି ସମାନ ଅବସ୍ଥା  ଦେଖିବାକୁ ମିଳୁଛି । ବ୍ଲକ୍ ମୁଖ୍ୟ ଦପ୍ତରରେ ମଧ୍ୟ ନିୟମର  ଖୁଲାମ୍ ଖୁଲା  ଉଲ୍ଲଂଘନ କରାଯାଉଛି । ଦିବାଲୋକରେ ସେଠାରେ କାମ ଚାଲିଥିବା ବେଳେ ଏହା ଟେଣ୍ଡର ନିୟମକୁ ଉଲ୍ଲଂଘନ କରି ଗୋଟିଏ କାର୍ଯ୍ୟକୁ ୯ ଲକ୍ଷ ଲେଖାଏଁ ଦୁଇଟି  ରିଚ୍  କରାଯାଇଛି । ଏଥିନେଇ ଯନ୍ତ୍ରୀ ହେମନ୍ତ କୁମାର ସାମନ୍ତରାୟ କହିଛନ୍ତି, ପ୍ରକଳ୍ପ ନିର୍ମାଣ ପାଇଁ ଗୋଟିଏ କିସ୍ତିରେ ଟଙ୍କା ଆସିନଥିବାରୁ ତାକୁ ରିଚ୍ କରାଯାଇଛି । ଅନ୍ୟ ପକ୍ଷରେ  ବାଙ୍କୀ ଏନ୍ଏସି ନିର୍ବାହୀ ଅଧିକାରୀ ସମ୍ପଦ ସ୍ଵାଇଁଙ୍କୁ ପଚାରିବାରେ ସେ କହିଲେ,  ଯଦି ଅଭିଯୋଗ ଆସିବ ତେବେ ମୁଁ ଦେଖିବି । ଅନ୍ୟ ପକ୍ଷରେ ବାଙ୍କୀ ଡମପଡ଼ା ବ୍ଲକ ବିଡ଼ିଓ ଅଂଶୁମାନ ଦାସ କହିଲେ , ଆମେ ଦେଖିବୁ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ପ୍ରତ୍ୟେକ ବ୍ଲକରେ ଜଣେ ଲେଖାଏଁ ସହକାରୀ ଯନ୍ତ୍ରୀ ରହିଛନ୍ତି । ବିଲ୍ ପାରିତ ହେବା ପୂର୍ବରୁ ସେମାନଙ୍କ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରି ସାରିବା ପରେ ବିଲ୍ କରିବାର ନିୟମ ରହିଥିବା ବେଳେ ଏଠାରେ ଅବସ୍ଥାପିତ ସହକାରୀ ଯନ୍ତ୍ରୀ କୌଣସି ପ୍ରକଳ୍ପ ପରିଦର୍ଶନ କରୁନଥିବା ଅଭିଯୋଗ ହେଉଛି।

Comments are closed.