ଘାସିପୁଟ ଜାତୀୟ କୃଷି ବଜାର : ନୂତନ ଗୃହ ଓ ସାପ୍ତାହିକ ହାଟର ଶୁଭ ଉଦଘାଟନ

ବାଙ୍କୀ : ବାଙ୍କୀ ନିୟନ୍ତ୍ରିତ ବଜାର କମିଟି ଅଧିନସ୍ଥ ଘାସିପୁଟ ଠାରେ କୃଷକ ମାନଙ୍କର ଉତ୍ପାଦିତ ପନିପରିବା,ଶଷ୍ୟ ଓ ଅନ୍ୟାନ୍ୟ ସାମଗ୍ରୀକୁ ବିକ୍ରୀବଟାର ସୁବିଧା ଯୋଗାଇ ଦେବାପାଇଁ ନିର୍ମାଣ ହୋଇଥିବା ଜାତୀୟ କୃଷି ବଜାରର ନୂତନ ଗୃହ ଓ ସାପ୍ତାହିକ ହାଟର ଶୁଭ ଉଦ୍ଦ୍‍ଘାଟନ ହୋଇଛି। ରବିବାର ସକାଳେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଫିତା କାଟି ନଡିଆ ବାଡେଇ ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ।

prayash

ବହୁ ଦିନର ପ୍ରତୀକ୍ଷା ପରେ ଆଜି ଏହି କାର୍ଯ୍ୟ ସମାହିତ ହୋଇଥିବାରୁ ସରଣ୍ଡାଗଡ  ଅନ୍ତର୍ଗତ ସୁବର୍ଣ୍ଣପୁର, ରତାଗଡ, କନ୍ତପହଁରା, କଦଳୀବାଡି,ବାଉଁଶପୁଟ,ବନ୍ଦାଳ, କୁଶପଙ୍ଗି ,ଡମପଡା, ଶିମିଳିପୁର ,ହରିରାଜପୁର, ଦୁଲଣାପୁର, ତାଳବସ୍ତ, ପାଥପୁର, ଭଗିପୁର ଓ ବାଆଁରା ପଞ୍ଚାୟତ ଅଞ୍ଚଳର କୃଷକ ମାନେ ଆଉ କୃଷି ଉତ୍ପାଦନ ବିକ୍ରୀବଟାରେ ଶୋଷିତ ନହୋଇ ଉଚିତ୍‍ ବଜାରଦର ପାଇବେ ବୋଲି ବିଶ୍ୱାସ ପ୍ରକଟ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜାତୀୟ କୃଷି ବଜାର ପରିସରରେ ନିୟନ୍ତ୍ରିତ ବଜାର କମିଟି ସଞ୍ଚାଳନରେ କୋଭିଡ୍‍ ନିୟମ ଅନୁପାଳନ କରାଯାଇ ଏକ ସଂକ୍ଷିପ୍ତ ଉଦ୍ଦ୍‍ଘାଟନୀ ସଭା ଓ ସଚେତନତା କାର୍ଯ୍ୟକ୍ରମ ନିୟନ୍ତ୍ରିତ ବଜାର କମିଟିର ସଭାପତି ତଥା ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ସମ୍ମାନିତ ଅତିଥି ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ,ଡମପଡା ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର,ଜିଲ୍ଲାପରିଷଦ ସଦସ୍ୟ ମାନସ ମହାପାତ୍ର, ତ୍ରିଲୋଚନ ରାଉତ,କୁଶପଙ୍ଗି ସରପଞ୍ଚ ପୁଷ୍ପଲତା ପରିଡା,ସମିତିସଭ୍ୟ ଅଜିତ କୁମାର ଜେନା,ସମାଜସେବୀ ଗୌରୀଶଙ୍କର ନନ୍ଦ ପ୍ରମୁଖ ଉପସ୍ଥିତ ରହି ଚାଷୀଙ୍କ ଉଚିତ୍‍ ପ୍ରାପ୍ୟ ଓ ଦର ପାଇବାରେ ସର୍ବଭାରତୀୟ ସ୍ତରରେ ସବୁଜ ପନିପରିବାର ବଜାର ଦର ଓ କୃଷିଜାତ ଦ୍ରବ୍ୟର ମାନ ଓ ଗୁଣାବତ୍ତା ବାହାରେ ଚାହିଦା ହେବ ବୋଲି ପ୍ରକାଶ କରିଥିଲେ।

ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ଅଜୟ କୁମାର ରାଉତ ଅତିଥି ପରିଚୟ ପ୍ରଦାନ କରି ବିବରଣୀ ପାଠ କରିଥିଲା ବେଳେ ଘାସିପୁଟ ଠାରେ ତ୍ରୟୋଦଶ ଅର୍ଥ କମିଶନ ଓ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ସହାୟତାରେ ଉଦ୍ଦ୍‍ଘାଟିତ ହୋଇଥିବା କୃଷି ବଜାର ଅଞ୍ଚଳର ପ୍ରାୟ ୧୦ହଜାର କୃଷକ ଭାଇ ମାନଙ୍କର ଉପକାରରେ ଲାଗିବ ବୋଲି ସୂଚନା ଦେଇଥିଲେ। ପ୍ରତି ବୁଧବାର ଓ ରବିବାର ସପ୍ତାହକୁ ୨ଦିନ ସାପ୍ତାହିକ ହାଟ ସଞ୍ଚାଳିତ ହେବା ସହିତ ପ୍ରତିଦିନ ମଧ୍ୟ ଚାଷୀ ମାନେ ରାସ୍ତା ପାର୍ଶ୍ବରେ ପରିବା ବିକିବା ଅପେକ୍ଷା ଏଠାରେ ବ୍ୟବସାୟ କରିବା ପାଇଁ ସୁଯୋଗ ଥିବା ସମ୍ପର୍କରେ ଉପଜିଲ୍ଲାପାଳ ଉପସ୍ଥିତ କୃଷକ ମାନଙ୍କୁ ଆହ୍ୱାନ ଦେଇଥିଲେ। ରାଷ୍ଟ୍ରର ଅଭିବୃଦ୍ଧି ପାଇଁ କୃଷକର ଦାୟିତ୍ୱ ସର୍ବାଗ୍ରେ ଅଛି। ଅଞ୍ଚଳର ବିକାଶ ପାଇଁ କୃଷକର ମାନସିକତାରେ ପରିବର୍ତ୍ତନ ଆଜିର ଆହ୍ୱାନ ହେଉ ବୋଲି ସଂକ୍ଷିପ୍ତ ବକ୍ତବ୍ୟରେ ପୂର୍ବତନ ବିଧାୟକ ଶ୍ରୀ ତ୍ରିପାଠୀ ପ୍ରକାଶ କରି ବାଙ୍କୀ ବ୍ଲକ ଅଧିନ ବ୍ରହ୍ମପୁରା ପଞ୍ଚାୟତର ତାରେଣୀ ଛକ ଠାରେ ଅନୁରୂପ ୨ୟ କୃଷି ବଜାର ନିର୍ମାଣ କରିବାର ଆବଶ୍ୟକତା ଥିବା ସମ୍ପର୍କରେ ପ୍ରକାଶ କରିଥିଲେ। ନିୟନ୍ତ୍ରିତ ବଜାର କମିଟିର ବରିଷ୍ଠ ପଦାଧିକାରୀ ଅଶୋକ କୁମାର ପ୍ରଧାନ ସମସ୍ତଙ୍କୁ ଧର୍ନବାଦ ଦେଇଥିଲେ। ସୁବର୍ଣ୍ଣପୁର ସରପଞ୍ଚ ତରୁଣ କୁମାର ମହାପାତ୍ର,ବନ୍ଦାଳ ସରପଞ୍ଚ ପ୍ରଦୀପ କୁମାର ବେହେରା,ଓସ୍ତିଆ ପୂର୍ବତନ ସରପଞ୍ଚ ଆର୍ତ୍ତବନ୍ଧୁ ବେହେରା,ଭରତ ବେହେରା,କଦଳୀବାଡି ସରପଞ୍ଚ ପ୍ରକାଶ କୁମାର ବେଉରା,ସମାଜସେବୀ ସୁକାନ୍ତ ବେହେରା,ନରେନ୍ଦ୍ର ସାହୁ,ପ୍ରମୋଦ ସାହୁ,ପୂର୍ଣ୍ଣଚନ୍ଦ୍ର ଦଳେଇଙ୍କ ସମେତ ବହୁ ପ୍ରମୁଖ ଆଗୁଆ କୃଷକ ଓ ମହିଳା କୃଷକ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସାପ୍ତାହିକ ହାଟର ଶୁଭାରମ୍ଭ ପାଇଁ ଅଭିନନ୍ଦନ ଜଣାଇଛନ୍ତି।

Comments are closed.