ବନ୍ଧ ବିବାହ ଓ ଶିବ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ସମ୍ପନ୍ନ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ସିଲେଟରେ ଦୀର୍ଘ ଚାରିଦିନ ଧରି ଚାଲିଥିବା ଶିବ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଓ ନୂତନ ଭାବରେ ଖୋଲାଯାଇଥିବା ପୋଖରୀ/ ବନ୍ଧର ବିବାହ ମହୋତ୍ସବ ଆଜି ସମ୍ପନ୍ନ ହୋଇଯାଇଛି। ପ୍ରକାଶ ଥାଉକି, ଏହି ମନ୍ଦିର ଓ ପୁଷ୍କରିଣୀ କୌଣସି ସରକାରୀ ଅନୁଦାନରୁ ନିର୍ମାଣ କରା ନଯାଇ ଗ୍ରାମର ଭୁବନ ରୋହିଦାସ ନାମକ ବ୍ୟକ୍ତି ନିଜସ୍ଵ ଜମିରେ ଏହାକୁ ନିର୍ମାଣ କରିଛନ୍ତି। ଚାରି ଡିସିମିଲ ଜମିରେ ୨୧ ଫୁଟ ଉଚ୍ଚର ଏକ ଭବ୍ୟ ଶିବ ମନ୍ଦିର ଓ ୩୦ ଡିସିମିଲ ଜମିରେ ଲୋକେ ଗାଧୋଇବା ପାଇଁ ଏକ ପୋଖରୀ ଖୋଳିଛନ୍ତି । ଏହି ପୋଖରୀରେ ପାଚେରୀ ସହ ଗାଧୁଆ ତୁଠ ନିର୍ମାଣ କରିଛନ୍ତି । ଏଥିପାଇଁ ଆବଶ୍ୟକ ଅର୍ଥରାଶି ମଧ୍ୟ ନିଜେ ବହନ କରିଛନ୍ତି। ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି ନୂତନ ଭାବରେ ଖୋଳାଯାଇଥିବା ପୋଖରୀକୁ ଶୁଭ ଉଦଘାଟନ କରିଥିଲେ।

ଏହି ଅବସରରେ ଜିଲ୍ଲା ପରିଷଦ ସୁଦାମ ଜାଲ, ସରପଞ୍ଚ ନିରୁପମା ଷଣ୍ଢ, ସମିତି ସଭ୍ୟା ଗୀତା ମିର୍ଦ୍ଧା, ଜଙ୍ଗେଡ ସମିତି ସଭ୍ୟ ଅର୍ଜୁନ ବିଭାର, ନାଏବ ସରପଞ୍ଚ ଏ ହରିବାବୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରଥମ ଦିବସରେ ଘଣ୍ଟ ବାଦ୍ୟ ସହିତ ବିଶାଲ ସମାରୋହରେ କଳସ ଶୋଭାଯାତ୍ରା ବାହାରି ପୋଖରୀରୁ ପୂର୍ଣ୍ଣ କଳସ ଅଣାଯାଇ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା। ଅଙ୍କୁରା ରୋପଣ,ମଣ୍ଡଲା କରଣ କରାଯାଇ ଗୋଧୂଳି ସମୟରୁ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଦ୍ଵିତୀୟ ଦିବସରେ ଯଜ୍ଞ ମଣ୍ଡପ ପ୍ରତିଷ୍ଠା, ଲକ୍ଷ୍ମୀ ନାରାୟଣ ପୂଜା, ମହାଦେବଙ୍କ ଗର୍ଭାଧାନ କରାଯାଇଥିଲା । ଠିକ୍ ସେହିପରି ତୃତୀୟ ଦିବସରେ ଅନ୍ନଭିଶେକ, ଧ୍ୱଜାରୋହଣ,ବନ୍ଧ ପ୍ରତିଷ୍ଠା ପୂଜା ଓ ମହା ସ୍ନାନ ପୂର୍ବକ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ପ୍ରତିଷ୍ଠା ମହୋତ୍ସବର ଅନ୍ତିମ ଦିବସର ଅପରାହ୍ନରେ ମନ୍ଦିରରେ ଶିବଲିଙ୍ଗ ସ୍ଥାପନ କରାଯାଇ ଦିଅଁଙ୍କ ଗମ୍ଭିରା ବିଜେ କରାଯାଇ ପୂର୍ଣ୍ଣାହୁତି ଦିଆଯାଇଥିଲା । ଏହି ପ୍ରତିଷ୍ଠା ମହୋତ୍ସବ ପାଇଁ ପ୍ରତିଷ୍ଠାତା ଭୁବନ ରୋହିଡାସ ଓ ଧର୍ମପତ୍ନୀ ଧନମତି ରୋହିଦାଶ ମୁଖ୍ୟ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ । ନବୀନ ମିରିଗ ଓ ଧର୍ମ ପତ୍ନୀ ନଲିନୀ ମିରିଗ, ଗଣେଶ ମିରିଗ ଓ ଧର୍ମ ପତ୍ନୀ ଲକ୍ଷ୍ମୀ ମିରିଗ, ପୁନି ମିରିଗ ଓ ଧର୍ମପତ୍ନୀ କବିତା ମିରିଗ ଏବଂ ଶିଶିର କୁମାର ସାହୁ ଓ ତାଙ୍କ ସହ ଧର୍ମିଣୀ ସହଯୋଗୀ କର୍ତ୍ତା ଭାବେ ଦାୟିତ୍ଵ ତୁଲାଇଥିଲେ । ମନୋଜ ଦେବତା ଓ ସାଥୀ ପ୍ରଶାନ୍ତ ଦାଶ, ଅସିତ୍ ପଣ୍ଡା, ଭୀଷ୍ମ ପଣ୍ଡା ଓ ପ୍ରଦୀପ ଦାଶ ପୂଜା କାର୍ୟ୍ୟ ତୁଲାଇଥିଲେ । ପ୍ରତିଦିନ ସନ୍ଧ୍ୟାରେ କଳାକାର ସୁଶିଲ କୁମାର ନାଏକ ଜଳନ୍ଧର ଭୂମିକାରେ ଅଭିନୟ କରି ତଥା ଅନ୍ୟାନ୍ୟ କଳାକାରଙ୍କୁ ନେଇ ଜଳନ୍ଧର ବଦ୍ଧ ଖୋଲା ରଙ୍ଗମଞ୍ଚ କାର୍ଯ୍ୟକ୍ରମ ପରିବେଷିତ ହେଉଥିଲା । ପ୍ରତିଦିନ ଜଳନ୍ଧର ରାଜାଙ୍କ ନଗର ପରିକ୍ରମା କରିବା ଦର୍ଶକମାନଙ୍କ ପାଇଁ ମୁଖ୍ୟ ଆକର୍ଷଣ ରହିଥିଲା । କୁନି କୁନି ପିଲାଙ୍କ ପାଇଁ ବିଭିନ୍ନ ପ୍ରକାର ଖେଳ କୁଦ ପାଇଁ ବିଭିନ୍ନ ପ୍ରକାର ମନୋରଞ୍ଜନ ଧର୍ମୀ ଝୁଲା, ମୀନା ବଜାର, ନାଚ ଗୀତ ଆଦିର ତାଳେ ତାଳେ ଝଙ୍କୁରିତ ହୋଇ ଉଠିଥିଲା ପରିବେଶ। ଗ୍ରାମର ଚତୁର୍ଦ୍ଦିଗ ଝଲସି ଉଠିଥିଲା ରଙ୍ଗୀନ ଆଲୋକ ମାଲାରେ । ପ୍ରତି ଦ୍ଵାରରେ ବିଭିନ୍ନ ପ୍ରକାରର ରଙ୍ଗୋଳି ସହ ପୂର୍ଣ୍ଣ କୁମ୍ଭ ରଖାଯାଇ ଓଡ଼ିଆ ପରମ୍ପରା ଅନୁସାରେ ସମସ୍ତଙ୍କୁ ଶୁଭ ସ୍ଵାଗତ କରାଯାଇଥିଲା। ପ୍ରତିଦିନ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା। ରାତିରେ ସାଂସ୍କୃତିକ କାର୍ୟ୍ୟକ୍ରମ ଓ ଅନ୍ନପ୍ରସାଦ ପାଇଁ ଅର୍ଥରାଶି ଓ ସମସ୍ତ ପ୍ରକାର କାର୍ୟ୍ୟକ୍ରମକୁ ଗ୍ରାମବାସୀ ମିଳିତ ଭାବରେ ସହଯୋଗ କରିଥିଲେ।।

Comments are closed.