ଗଡ଼ିଲା ହାୱଡ଼ା-ପୁରୀ ‘ବନ୍ଦେ ଭାରତ’ ରେଳ

ଅଶ୍ବିନୀଙ୍କୁ ଟୁକୁନିଙ୍କ ଅନୁରୋଧ, ‘ଆଉ ୩ ମାର୍ଗରେ ଚଳାଚଳ କରୁ’

ପୁରୀ : ହାୱଡ଼ା-ପୁରୀ ମଧ୍ୟରେ ଶୁକ୍ରବାର ପରୀକ୍ଷାମୂଳକ ଯାତାୟାତ କରିଛି ବନ୍ଦେ ଭାରତ ଏକ୍ସପ୍ରେସ୍‌ (ଦ୍ରୁତଗାମୀ ରେଳ)। ପ୍ରଥମ ପର୍ଯ୍ୟାୟ ଯାତ୍ରା ନିର୍ବିଘ୍ନରେ ଶେଷ ହୋଇଛି। ଦିନ ୧୨ଟା ୩୫ରେ ଏହି ଅତ୍ୟାଧୁନିକ ରେଳଗାଡ଼ି ପୁରୀ ରେଳ ଷ୍ଟେସନରେ ପହଞ୍ଚିଥିଲା। ରେଳ ବିଭାଗର କିଛି ଅଧିକାରୀ ଏବଂ ଯାତ୍ରୀ ସେଥିରେ ଆସିଥିଲେ। ୧୧୨୮ ଆରାମଦାୟକ ଶୀତତାପ ନିୟନ୍ତ୍ରିତ ସିଟ୍ ସେଥିରେ ରହିଛି। ପ୍ରତ୍ୟେକ ବଗିରେ ସିସିଟିଭି, ଡିସ୍‌ପ୍ଲେ ବୋର୍ଡ, ମୋବାଇଲ ଚାର୍ଜିଂ, ଜରୁରୀକାଳୀନ ଆଲାର୍ମ, ୱାଇ ଫାଇ ବ୍ୟବସ୍ଥା ରହିଛି।
ସ୍ୱଦେଶୀ ଜ୍ଞାନ କୌଶଳରେ ବନ୍ଦେ ଭାରତ ରେଳ ନିର୍ମାଣ କରାଯାଇଛି। ସେଥିରେ ରେଳ ଯାତ୍ରୀଙ୍କୁ ବିମାନ ସେବା ପରି ସମସ୍ତପ୍ରକାର ଆରାମଦାୟକ ସେବା ଉପଲବ୍ଧ ହେବ। ଉନ୍ନତମାନର ଶୌଚାଳୟ ଏବଂ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ରହିଛି। ଘଣ୍ଟା ପ୍ରତି ପ୍ରଥମେ ଏହି ରେଳ ୧୩୦ କିମି ବେଗରେ ଚଳାଚଳ କରିବ। ଶୁକ୍ରବାର ଅପରାହ୍ଣ ୧ଟା ୫୦ରେ ବନ୍ଦେ ଭାରତ ଟ୍ରେନ୍‌ ପୁରୀରୁ ହାୱଡ଼ା ଅଭିମୁଖେ ଯାତ୍ରା କରିଛି। ସୂଚନା ଅନୁଯାୟୀ ଆଗାମୀ ୩୦ ତାରିଖ ଦିନ ଏହାର ଦ୍ୱିତୀୟ ପରୀକ୍ଷାମୂଳକ ଯାତ୍ରା କରାଯିବ। ମେ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ଏହି ଟ୍ରେନ୍‌ ପୁରୀରୁ ହାୱଡ଼ା ନିୟମିତ ଚଳାଚଳ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିବେ। ଆଗାମୀ ରଥ ଯାତ୍ରା ପୂର୍ବରୁ ବନ୍ଦେ ଭାରତ ଏକ୍ସପ୍ରେସ୍‌ ପୁରୀରୁ ଚଳାଚଳ କରିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ଶୁକ୍ରବାର ଟ୍ରାଏଲ ରନ୍ ସମୟରେ ଖୋର୍ଦ୍ଧା-ପୁରୀ ରେଳପଥରେ ସାମାନ୍ୟ ତ୍ରୁଟି ଦେଖିବାକୁ ମିଳିଛି। ଏଭଳି ଦ୍ରୁତଗାମୀ ଟ୍ରେନ୍‌ ଚଳାଚଳ ପାଇଁ ଅଳ୍ପ କିଛି ସ୍ଥାନରେ ରେଳ ଧାରଣା ଉପଯୁକ୍ତ ନଥିବାରୁ ଖୁବ୍‌ଶୀଘ୍ର ତାହାର ଆବଶ୍ୟକ ମରାମତି ଏବଂ ସୁଦୃଢ଼ୀକରଣ କରାଯିବ। ତେଣୁ ପୁରୀରୁ ଖୋର୍ଦ୍ଧା ମଧ୍ୟରେ ଏହି ଟ୍ରେନ୍‌ର ବେଗ ଅପେକ୍ଷାକୃତ କମ୍ ରହିବ। ଖୋର୍ଦ୍ଧାଠାରୁ ହାୱଡ଼ା ମଧ୍ୟରେ ପୁଣିଥରେ ୧୬୦ କିମି ବେଗରେ ଚଳାଚଳ କରିବ । ବନ୍ଦେ ଭାରତ ଟ୍ରେ୍‌ରେ ଯାତ୍ରା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ପରିଲକ୍ଷିତ ହୋଇଛି।

ଅଶ୍ବିନୀଙ୍କୁ ଟୁକୁନିଙ୍କ ଅନୁରୋଧ ‘ଆଉ ୩ ମାର୍ଗରେ ଚଳାଚଳ କରୁ’

ଭୁବନେଶ୍ୱର : ଭାରତର ରେଳ ତଥା ଅର୍ଥନୈତିକ ବିକାଶରେ ଓଡ଼ିଶାର ପ୍ରମୁଖ ଭୂମିକା ରହିଛି। ଆଗାମୀ ଦିନରେ ଏହା କିଭଳି ତ୍ବରାନ୍ବିତ ହୋଇପାରିବ, ପଶ୍ଚିମ ଓଡ଼ିଶାବାସୀ ମୁଖ୍ୟସ୍ରୋତରେ ସାମିଲ ହେବେ ଏବଂ ରେଳ ଭିତ୍ତିଭୂମି ବ୍ୟାପକ ହେବ ସେନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ମନ୍ତ୍ରୀ ଶ୍ରୀମତୀ ସାହୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଶୁକ୍ରବାର ଏକ ଚିଠି ଲେଖି ଅନୁରୋଧ କରିଛନ୍ତି ଯେ, ଗତ ଦୁଇ ଦଶନ୍ଧିରେ ରାଜ୍ୟର ବିକାଶ ତ୍ବରାନ୍ବିତ ହୋଇଛି। ପୂର୍ବ ଭାରତରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ରୂପେ ପରିଗଣିତ ହୋଇଛି। ଜନସାଧାରଣଙ୍କ ଆଶା ଓ ଆକାଂକ୍ଷା ଦିନକୁ ଦିନ ବୃଦ୍ଧି ପାଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ଅଧିକ ବିକଶିତ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଭାରତ ସରକାରଙ୍କ ରେଳ ମନ୍ତ୍ରାଳୟ ପକ୍ଷରୁ ହାୱଡ଼ା-ପୁରୀ ‘ବନ୍ଦେ ଭାରତ ଏକ୍ସପ୍ରେସ’ର ପରୀକ୍ଷାମୂଳକ ଭାବେ ଚଳାଚଳ ଆରମ୍ଭ ହୋଇଛି। ଆଗାମୀ ଦିନରେ ଏହି ଟ୍ରେନ୍‌କୁ ରାଜ୍ୟର ୩ଟି ମାର୍ଗ(ରୁଟ୍‌)ରେ ଚଳାଚଳ କରାଯିବାର ଆବଶ୍ୟକତା ରହିଛି।ଶ୍ରୀମତୀ ସାହୁ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ,ପଶ୍ଚିମ ଓଡ଼ିଶା ଓ ରାଜଧାନୀ ଦେଇ କମ୍‌ସଂଖ୍ୟକ ଦ୍ରୁତଗାମୀ ଟ୍ରେନ୍‌ ଚଳାଚଳ କରୁଛି। ଆଗାମୀ ଦିନରେ ‘ବନ୍ଦେ ଭାରତ ଏକ୍ସପ୍ରେସ’ ଯଦି ପୁରୀ-ରାଉରକେଲା ଭାୟା ସମ୍ବଲପୁର ଦେଇ ଚଳାଚଳ କରିବ ତେବେ ପଶ୍ଚିମ ଓଡ଼ିଶାବାସୀ ରାଜଧାନୀ ସହିତ ଯୋଡ଼ି ହେ‌େ‌ବ ଏବଂ ବିଭିନ୍ନ ଦୃଷ୍ଟିରୁ ଉପକୃତ ହୋଇପାରିବେ। ସେହିପରି ଓଡ଼ିଶାର ବହୁସଂଖ୍ୟକ ଲୋକେ ହାଇଦରାବାଦରେ ବସବାସ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ‘ବନ୍ଦେ ଭାରତ ଏକ୍ସପ୍ରେସ’କୁ ଭୁବନେଶ୍ବରରୁ ହାଇଦରାବାଦ ମଧ୍ୟରେ ଚଳାଚଳ କରାଯିବାର ଆବଶ୍ୟକତା ରହିଛି। ଏହାଦ୍ବାରା ଯାତ୍ରୀମାନେ କମ୍ ସମୟ ମଧ୍ୟରେ ଦୁଇଟି ରାଜ୍ୟର ରାଜଧାନୀକୁ ଛୁଇଁ ପାରନ୍ତେ। ରାଜ୍ୟ ସରକାରଙ୍କ ଜଣେ ବରି‌ଷ୍ଠ ଅଧିକାରୀ କହିଛନ୍ତି ଯେ, ଓଡ଼ିଶା ଦେଇ ତେଜସ୍ ଓ ଶତାବ୍ଦୀ ଭଳି ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ କରୁନାହିଁ। ଏହି ପରିପ୍ରେକ୍ଷୀରେ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ତିନୋଟି ରୁଟ୍‌ରେ ଚଳାଚଳ କଲେ ବାଣିଜ୍ୟ, ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ଦୃଷ୍ଟିରୁ ଓଡ଼ିଶା ସମୃଦ୍ଧ ହୋଇପାରନ୍ତା।

 

Comments are closed.