ଯାଜପୁର ସଦର: ତିନିଦିନ ତଳେ ବୈତରଣୀ ନଦୀର ବେଲେଶ୍ୱର ସେତୁ ଦବି ଯାଇଥିଲା। ସେତୁ ଦବିଲା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଘଟଣା ସ୍ଥଳ ପରିଦର୍ଶନ କରିବା ସହ ସେତୁ ଉପରେ ଯାତାୟାତ ନେଇ ବାରଣ କରିଥିଲେ। ଏପରିକି ସେତୁର ଦୁଇ ମୁଣ୍ଡରେ ଲୋକଙ୍କ ଯିବା ଆସିବା କଟକଣା କରାଯିବା ସହ ବାଲି ବସ୍ତା ପକାଯାଇ ବନ୍ଦ କରି ଦିଆଯାଇଥିଲା। କିନ୍ତୁ ଏବେ ସେତୁ ଧିରେ ଧିରେ ଦବିବାରେ ଲାଗିଛି। ଯଦି ବୈତରଣୀ ନଦୀରେ ବନ୍ୟା ଜଳ ପ୍ରବାହିତ ହୁଏ ତେବେ ସେତୁଟି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି। ପଣସା ଓ ଚଇନପୁର ପଞ୍ଚାୟତକୁ ସେବା ଯୋଗାଉ ଦେଉଥିବା ଏହି ବେଲେଶ୍ୱର ସେତୁ ଜିଲାର ପ୍ରଥମ ବିଜୁ ସେତୁ ଭାବେ ପରିଗଣିତ। ପାଖାପାଖି ୧୭ କୋଟି ଟଙ୍କା ବ୍ୟୟ ଅଟକଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସେତୁ ନିର୍ମାଣ କରାଯାଇଥିଲା। ସେତୁ ଦ୍ୱାରା ପଣସା ପଞ୍ଚାୟତର କୁଶି, ବାରଭାଗିଆ, ପଣସା, ବେହେରାପାଟଣା, ବାଲିପୋଖରୀ ଇତ୍ୟାଦି ଗ୍ରାମବାସୀ ସେତୁ ଉପରେ ଯାତାୟାତ କରିଥାନ୍ତି। ୨୦୧୨-୧୩ ଆର୍ଥିକ ବର୍ଷରେ ବିଜୁ ସେତୁ ଯୋଜନାରେ ସେତୁ ନିର୍ମାଣ କାମ ଆରମ୍ଭ ହୋଇ ୨୦୧୬ ମସିହାରେ ଶେଷ ହୋଇଥିଲା। କିନ୍ତୁ ବିଡ଼ମ୍ବନାର ଘଟଣା ନିମ୍ନମାନର କାର୍ଯ୍ୟ ଯୋଗୁଁ ସେତୁଟି ଦବି ଯାଇଛି। ଭାରିଯାନ ବାଲି ବୋଝେଇ କରି ଅନବରତ ଯିବା ଦ୍ୱାରା ଏପରି ଘଟିଲା ବୋଲି କେତେକ କହୁଥିବା ବେଳେ ଅନ୍ୟ କେତେକ ନିମ୍ନମାନର କାର୍ଯ୍ୟ ଯୋଗୁଁ ଏହା ଘଟିଛି ବୋଲି କହୁଛନ୍ତି।
Popular Categories



