www.samajalive.in
Friday, December 12, 2025
15.1 C
Bhubaneswar

ଭିନ୍ନ ପେସା ଓ ନିଶା: ଗପ-କବିତାର ସମନ୍ୱୟ ‘ସୁଜିତ-ମିନାକ୍ଷୀ’

ବଲାଙ୍ଗିର :ପେଟ ପାଇଁ ପେସା। ଆଉ ଗପ-କବିତା ଲେଖିବା ନିଶା। ଶବ୍ଦକୁ ଶବ୍ଦ ସହ ଯୋଡି ଦିଅନ୍ତି। ସେଥିରୁ ଭାବ ତିଆରି କରନ୍ତି। ଜଣେ କବିତା ଲେଖନ୍ତି ତ ଆଉ ଜଣେ ଗପ। ଶବ୍ଦର ଖେଳ ଖେଳୁ ଖେଳୁ ଉଭୟ ଏକାକାର ହୁଅନ୍ତି। ନିଜ ଗପ ଓ କବିତା ଭିତରେ ପରସ୍ପରକୁ ଖୋଜନ୍ତି। ସୁଖ ଦୁଃଖକୁ ନିଜର କରିନିଅନ୍ତି। ସଂସାର ଜଞ୍ଜାଳରେ ବାନ୍ଧି ହୋଇଥିଲେ ବି ସେମାନଙ୍କ ନିଶା ଯେମିତି ଲେଖିବା, ପେସା ବି ସମାନ। ସେ ଦୁଇଜଣ ହେଉଛନ୍ତି ବଲାଙ୍ଗିର ଜିଲା ଆଗଲପୁର ବ୍ଲକ ସାଲେଭଟା ମାଉସୀ ମା ମନ୍ଦିର ପଡ଼ାରେ ରହୁଥିବା କବି ସୁଜିତ ଶତପଥୀ ଓ ଗାଳ୍ପିକା ମିନାକ୍ଷୀ ମିଶ୍ର।
ଏକଲା ରହିବା, ଅନ୍ୟମନସ୍କତା ସୁଜିତଙ୍କୁ ରଙ୍ଗ ପେନ୍ସିଲ୍ ଆଡକୁ ଟାଣି ନେଇଥିଲା ସ୍କୁଲ ବେଳେ। ସେଥିରୁ ସେ ଢଳିଥିଲେ କବିତା ଆଡକୁ ଧୀରେ ଧୀରେ। ଅନ୍ୟକୁ ବୁଝିବା ଆଗରୁ ସେ ନିଜକୁ ବୁଝାଉଥିଲେ। ଏ ଶବ୍ଦର ଖେଳ ଭିତରେ ସେ ବଲାଙ୍ଗିର ବିଏଡ୍ କଲେଜର ଛାତ୍ର ହୋଇ ସାରିଥିଲେ।

 

- Advertisement -

ସେହି କଲେଜରେ ତାଙ୍କ ସହ ଅନ୍ୟମାନଙ୍କ ଭଳି ପଢୁଥିଲେ ବଲାଙ୍ଗିର ସତ୍ୟ ନାରାୟଣ ପଡ଼ାର ମିନାକ୍ଷୀ ମିଶ୍ର। ମିନାକ୍ଷୀ ଗପ ଲେଖନ୍ତି। ଜଣେ ଶବ୍ଦ ଭିତରେ କବିତା ଓ ଆରଜଣଙ୍କ ଶବ୍ଦ ସହ ଗପର ସମ୍ଭାର ତିଆରି କରନ୍ତି। ଏ ଶବ୍ଦର ଖେଳରୁ ଉଢିଥିଲା ସୁଜିତ ଓ ମିନାକ୍ଷୀଙ୍କ ପ୍ରେମ ସଂପର୍କ। ଖୁବ କ୍ୱଚିତ ଲୋକଙ୍କର ଶବ୍ଦରୁ ପ୍ରେମ ଓ ବିବାହ ହୁଏ। ଆଉ ସେଥିରୁ ଜଣେ ହେଲେ ସୁଜିତ-ମିନାକ୍ଷୀ। ପୂର୍ବରୁ ନିଜେ କବିତା ଲେଖି ଏକ୍ଲା ପଢୁଥିଲେ ସୁଜିତ। ଏବେ ଦୁହେଁ ପଢୁଛନ୍ତି। ସ୍ତ୍ରୀଙ୍କ ଭିତରେ ନିଜ କବିତାକୁ ଓ ସତ ପାଠକକୁ ଅନୁଭବ କରନ୍ତି ସୁଜିତ। ତାଙ୍କ କବିତା ସଂକଳନ ‘ଇଚ୍ଛାଭାଟି’ ୨୦୧୫ରେ ସାହିତ୍ୟ ଏକାଡେମୀ ନବୋଦୟ ପ୍ରକଳ୍ପ ପାଇଁ ମନୋନୀତ ହେବା ସହ ପ୍ରକାଶିତ ହୋଇଥିଲା। ଏହାପରେ ‘ଚତୁର୍ଥ ପୁରୁଷ, ଶବ୍ଦରେ ଶବ୍ଦରେ’ ଆଉ ସଦ୍ୟ ଭାବେ ‘ଛୁଟି ଦେବାର ସମୟକୁ’ କବିତା ସଂକଳନ ପ୍ରକାଶିତ ହୋଇଛି। ଏହି ସଙ୍କଳନକୁ ପଦ୍ମଶ୍ରୀ ଡ.ଶ୍ରୀନିବାସ ଉଦ୍ଗାତାଙ୍କ ବାସଭବନରେ ଡ.ଉଦ୍‌ଗାତା, ଡ.ସଞ୍ଜୟ ମିଶ୍ର, କବି ସନ୍ଦୀପ କୁଅଁର, ଜ୍ୟୋତିରଞ୍ଜନ ମିଶ୍ର ଓ ରଞ୍ଜିତ ମିଶ୍ର ଉନ୍ମୋଚିତ କରିଛନ୍ତି। କବିତା ନିଶାରେ ମସଗୁଲ ସୁଜିତ ସୋନପୁର ଜିଲା ତରଭା କଟାପାଲି ସ୍କୁଲରେ ଶିକ୍ଷକତା କରୁଛନ୍ତି।
ସେହିପରି ସ୍ତ୍ରୀ ମିନାକ୍ଷୀଙ୍କର ପିଲାଦିନ ଅନେକ ପ୍ରତିକୂଳ ପରିସ୍ଥିତିରେ କଟିଛି। ସମୟର ଆହ୍ୱାନକୁ ଗପରେ ଉତାରି ଦେଉଥିବା ମିନାକ୍ଷୀ ପ୍ରାୟ ୧୦ରୁ ୧୨ଟି ଗପ ଲେଖିଛନ୍ତି। ରାଜ୍ୟସ୍ତରୀୟ ପତ୍ର ପତ୍ରିକାରେ ତାହା ପ୍ରକାଶିତ ହୋଇଛି। ସ୍ୱାମୀ ସୁଜିତଙ୍କ ପ୍ରତି ତାଙ୍କର ଅଖଣ୍ଡ ବିଶ୍ୱାସ। ମା’ଙ୍କୁ ଛାଡିଦେଲେ ଆଖି ବୁଜି ଯଦି ଆଉ କାହାକୁ ସେ ବିଶ୍ୱାସ କରନ୍ତି, ତାହେଲେ ସେ ସ୍ୱାମୀ ସୁଜିତ ବୋଲି କହନ୍ତି ମିନାକ୍ଷୀ। ସେ ଖ୍ୟାତାନାମା ଗାଳ୍ପିକା ନୁହନ୍ତି। ତେବେ ସ୍ୱାମୀ ସୁଜିତ ତାଙ୍କର ପ୍ରସିଦ୍ଧ ପାଠକ। ବର୍ତ୍ତମାନ ଲୋଇସିଂହା ସଦର ସ୍ଥିତ ଏଚ୍.କେ.ମହତାବ ସ୍କୁଲରେ ସେ ଶିକ୍ଷୟିତ୍ରୀ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories