ଭତ୍ତା ଟଙ୍କା ଦୁର୍ନୀତି, ବିଡିଓଙ୍କ ଦ୍ୱାରା ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ
କେବଳ ମୃତ ବ୍ୟକ୍ତି ନୁହଁତି ପୁରୁଷବି ପାଉଥିଲେ ବିଧବା ଭତ୍ତା
ବଲାଙ୍ଗୀର :କେନ୍ଦ୍ର ସରକାର ବିଧବା, ବୃଦ୍ଧ ତଥା ଦିବ୍ୟାଙ୍ଗମାନଙ୍କୁ ଇନ୍ଦିରା ଗାନ୍ଧୀ ଜାତୀୟ ଭତ୍ତା ଯୋଜନାରେ ସାମିଲ କରୁଛନ୍ତି। ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ତେବେ ବଲାଙ୍ଗୀର ଜିଲ୍ଲାରେ ଏହି ଯୋଜନାରେ ବ୍ୟାପକ ହେରଫେର ହୋଇଥିବା ସାମ୍ନାକୁ ଆସିଛି। ପ୍ରଥମ ଲୋଇସିଂହା ବ୍ଲକରେ ଓ ପରେ ପୁଇଁନ୍ତଲା ବ୍ଲକରେ ସାମାଜିକ ସମୀକ୍ଷା ବେଳେ ସଧବା ମହିଳାଙ୍କୁ ବିଧବା ଭତ୍ତା ଏପରିକି ପୁରୁଷ ବି ବଧବା ଭତ୍ତା ପାଉତିବା ଭଳି ସଙ୍ଗୀନ ତଥ୍ୟ ସାମ୍ନାକୁ ଆସିଥିଲା। ସେହିପରି ବର୍ଷ ବର୍ଷ ଧରି ମୃତ ଲୋକଙ୍କ ନାଁରେ ଭତ୍ତା ଟଙ୍କା ଉଠାଯାଇ ହଡପ କରାଯାଇଥିବା । ଏହି ତଥ୍ୟ ବି ଲୋକଲୋଚନକୁ ଆସିଛି ସାମାଜିକ ସମୀକ୍ଷା ବେଳେ। ଗ୍ରାମ ସଭାରେ ଏହି ସବୁ ତଥ୍ୟ ପଦାକୁ ଆସିଥିବା ବେଳେ ‘ସମାଜ’ ବି ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ କରିଥିଲା । ତେବେ ଏହି ସମସ୍ୟାର ସମାଧାନ କରିବା ବଦଳରେ ବିଭାଗୀୟ ବାବୁମାନେ ତଥ୍ୟ ଲୁଚାଇବାକୁ ଜୋରସୋର କସରତ ଆରମ୍ଭ କରିଦେଇଛନ୍ତି । ସୂଚନାଯୋଗ୍ୟ ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ବ୍ଲକ ରଣ୍ଡା ପଞ୍ଚାୟତ ଗଣ୍ଡବାହାଲ ଗାଁର ସ୍ୱର୍ଗତ ମେନା ନନ୍ଦଙ୍କ ସ୍ତ୍ରୀ ଘସନ ନନ୍ଦଙ୍କର ୨୦୧୫ ଏପ୍ରିଲ ୨୧ ତାରିଖରୁ ମୃତ୍ୟୁ ହେଲାଣି। ଅଙ୍ଗନବାଡି ରିପୋର୍ଟରେ ବି ତାହା ଉଲ୍ଲେଖ ରହିଛି। କିନ୍ତୁ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ/ବିଧବା ଓ ଭିନ୍ନକ୍ଷମ ଭତ୍ତା ଯୋଜନାରେ ମୃତା ଘସନ ଜୀବିତ। ଗଲା ଫେବ୍ରୁଆରି ମାସ ଯାଏ ଘସନ ଟିପ ଚିହ୍ନ ଦେଇ ୪୫ ମାସ ପାଇଁ ୫ଶହ ଟଙ୍କା ଲେଖାଏଁ ଭତ୍ତା ବାବଦକୁ ୨୨ହଜାର ୫ଶହ ଟଙ୍କା ଉଠାଇଥିବା ରିପୋର୍ଟ ପ୍ରକାଶ ପାଇଥିଲା କିନ୍ତୁ ମୃତ ଘସନଙ୍କ ପରିବାର ନିକଟରେ ଥିବା ହିତାଧିକାରୀ କାର୍ଡରେ କିଛି ବି ଉଲ୍ଲେଖ ହୋଇ ନାହିଁ । ଘସନଙ୍କ ଘରେ ଥିବା ଖାତାରେ କିଛି ଉଲ୍ଳେଖ ନଥିବାବେଳ କିଏ ଏବଂ କାହିଁକି ୨୨.୫୦୦ ଟଙ୍କା ଉଠାଇଲା ତାକୁ ନେଇ ପ୍ରଶ୍ନ ଉଠିଛି। ଖବର ସମାଜରେ ଏହି ରିପୋର୍ଟ ପ୍ରକାଶ ପାଇବାପରେ ମୃତ ହାସନଙ୍କ ଗଣ୍ଡବାହାଲ ସ୍ଥିତ ଘରକୁ ୩ ଜଣ ଅଧିକାରୀ ପହଞ୍ଚି ମୃତ ହସନଙ୍କ ନାତି କୃପା ଏବଂ ନାତୁଣୀ ଅମୂଲ୍ୟଙ୍କୁ ଭତ୍ତା କାର୍ଡ ମାଗିଥିଲେ । ସେମାନେ କାର୍ଡ ନାହିଁ କହିବାରୁ ଅଧିକାରମାନେ ସାଧା କାଗଜରେ ହାସନଙ୍କ ନାତି ନାତୁଣୀଙ୍କ ଟିପ ଚିହ୍ନ ନେଇଥିଲେ । କାରଣ ପଚାରିବାରୁ ଅଧିକାରୀ ମାନେ କହିଥିଲେ ଭତ୍ତା ଟଙ୍କା ଉଠାଣ ସମୟରେ ଦିଆ ଯାଇଥିବା ଟିପ ଚିହ୍ନ ସହ ମେଳ ଖାଉଛି କି ନାହିଁ ଦେଖାଯିବ । କେବଳ ହସନ ନୁହଁନ୍ତି ବଲାଙ୍ଗୀର ଜିଲ୍ଲାରେ ଏମିତି ବହୁ ଘଟଣା ସାମ୍ନାକୁ ଆସିଥିଲା । ଏସବୁ ଘଟଣା ଉପରେ ଜିଲ୍ଲାପାଳ ତାଙ୍କ ପ୍ରତିକ୍ର୍ରିୟାରେ କହିଛନ୍ତି ଯେ, ଏଭଳି ଘଟଣା ଦୁର୍ଭାଗ୍ୟଜନକ। ଯଦି ସଧବା ବିଧବା ଭତ୍ତା ନେଉଛି, ପୁରୁଷ ଲୋକ ବି ବିଧବା ଭତ୍ତା ପାଉଛନ୍ତି, ମଲା ଲୋକଙ୍କ ନାଁରେ ଭତ୍ତା ନିଆଯାଇଛି ତାହାହେଲେ ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଜଣାପଡୁଛି। ଆମେ ଏନେଇ ସଂପୃକ୍ତ ବ୍ଲକର ବିଡିଓମାନଙ୍କୁ ନୋଟିସ୍ କରିବୁ। କାର୍ୟ୍ୟରେ ଖିଲାପ କରିଥିବା ଅଧିକାରୀମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ଡାକୁଆ କହିଛନ୍ତି
Comments are closed.