ବଲାଙ୍ଗିର:ଗତ ମାର୍ଚ୍ଚ ମାସରେ ଏଲ୍ଆଣ୍ଡଏସ୍ କ୍ଲବ ପରିସରରେ ୪କୋଟି ଟଙ୍କାର ଏକ ଅଡିଟରିୟମ ନିର୍ମାଣ ପାଇଁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସବିଶେଷ ପ୍ରକଳ୍ପ ରିପୋର୍ଟ ସହ ଏହାର ନିର୍ମାଣ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦକୁ ଅନୁରୋଧ କରିଥିଲେ। ଯାହାକୁ ବୁଧବାର ଦିନ ମଞ୍ଜୁରୀ ମିଳିଯାଇଛି। ପ୍ରଥମ ପର୍ଯ୍ୟାୟରେ କାମ ଆରମ୍ଭ ପାଇଁ ୧କୋଟି ଟଙ୍କାର ଅର୍ଥ ବରାଦ ହୋଇସାରିଥିବା ଜଣାଯାଇଛି। ଏ ସମ୍ପର୍କିତ ଏକ ପତ୍ର ଜିଲାପାଳଙ୍କ କାର୍ଯ୍ୟାଳୟକୁ ମଧ୍ୟ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ପଠାସରିଛି। ବିଧାୟକ ଶ୍ରୀ ମିଶ୍ରଙ୍କ ପ୍ରସ୍ତାବ ମୁତାବକ ସହରର ମଧ୍ୟ ଭାଗରେ ଥିବା ଏଲ୍ଏଣ୍ଡଏସ୍ କ୍ଲବ ପରିସରରେ ନିର୍ମାଣ ହେବାକୁ ଥିବା ଏହି ଅଡିଟରିୟମରେ ୫ଶହରୁ ୭ଶହ ଲୋକଙ୍କ ପାଇଁ ବସିବା ସୁବିଧା କରାଯିବା ସହ ନାଟକ, ସଭା ସମିତି ତଥା ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ରହିବ।
ପ୍ରକଳ୍ପ ନିର୍ମାଣ ପାଇଁ ପ୍ରାରମ୍ଭିକ ଆକଳନ ଅନୁସାରେ ୪ କୋଟି ଟଙ୍କା ରଖାଯାଇଥିବା ବେଳେ ଦରକାର ପଡିଲେ ଏହା ପାଇଁ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟବସ୍ଥା କରାଯିବ ବୋଲି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି। ଏହି ଅତ୍ୟାଧୁନିକ ଅଡିଟରିୟମ ପାଇଁ ଯେମିତି ଆଗକୁ ଆଉ ୬କୋଟି ଟଙ୍କା ମିଳିପାରିବ ସେ ସଂପର୍କରେ ଉନ୍ନୟନ କମିଶନରଙ୍କ ସହ ଆଲୋଚନା ଚାଲିଥିବା ସୂଚନା ମିଳିଛି। ବଲାଙ୍ଗିର ସହର ମଧ୍ୟରେ ସମସ୍ତ ପ୍ରକାର ଭିତ୍ତିଭୂମି ବିକାଶ ଆଗାମୀ ୩ ବର୍ଷ ମଧ୍ୟରେ ନିଶ୍ଚୟ ସମ୍ପୁର୍ଣ୍ଣ କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି। କାମ ଶିଘ୍ର ଆରମ୍ଭ କରିବା ପାଇଁ ଦରକାର ହେଉଥିବା ଏଲ୍ଏଣ୍ଡଏସ୍ କ୍ଲବ ଜମିର ସବିଶେଷ ତଥ୍ୟ, ଜମି ଜବରଦଖଲ ନଥିବାର ପ୍ରମାଣପତ୍ର, ରକ୍ଷଣାବେକ୍ଷଣ କରିବାକୁ ଥିବା ସଂସ୍ଥା ଇତ୍ୟାଦିର ସବିଶେଷ ତଥ୍ୟ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ଜିଲାପାଳଙ୍କୁ ମଗା ଯାଇଛି।



