ବିଦ୍ୟାଳୟ ଆଗରେ ତାଲା, ପଛରେ ଖୋଲା: ରାତିରେ ଚାଲିଛି ଚୋରଙ୍କ ପାଲା

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଏନ୍ଏସି ସ୍ଥିତ ୱାର୍ଡ ନଂ ୮ରେ ୫୩ ନଂ ଜାତୀୟ ରାଜପଥରୁ ମାତ୍ର ୫୦୦ ମିଟର ଦୂରତାରେ ରହିଛି ବୈମାନଟିକ୍ରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଏହି ବିଦ୍ୟାଳୟର ସମସ୍ୟା କହିଲେ ନସରେ । ସୁରକ୍ଷା ବୋଲି କିଛି ନାହିଁ। ଆଗରେ ଥିବା ଗେଟରେ ତାଲା ପକାଯାଉଛି ସ୍କୁଲ୍ ବନ୍ଦ ହେବା ପରେ । କିନ୍ତୁ ତାର ଚାରିପଟେ ଥିବା ପାଚେରୀର ଉଚ୍ଚତା ଅତ୍ୟନ୍ତ କମ ଥିବାରୁ ଟିକିଏ ଅନ୍ଧାର ହେଲା ମାତ୍ରେ ବିଦ୍ୟାଳୟଟି ପାଲଟିଯାଏ ମଦୁଆ ଓ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ । ଚୋରି ଯେମିତି ଏହି ବିଦ୍ୟାଳୟ ପାଇଁ ସାଧାରଣ କଥା ହୋଇ ଗଲାଣି । ଗୋଟିଏ ବର୍ଷ ଆଗରୁ ଚାଉଳ ଚୋରି ଉଦ୍ୟମ ହୋଇ ଥାନାରେ ଅଭିଯୋଗ ହୋଇ ସାରିଛି । ପୁଣି ଗତ ରବିବାର ଦିନ ଚୋରମାନେ ଚୋରି କରିବା ଉଦ୍ୟମ କରି ଫେରିଯାଇଥିଲେ । ପରଦିନ ଅର୍ଥାତ୍ ସୋମବାର ଦିନ ପୁଣି ଯମୁନା କକ୍ଷ କୋଠରୀର ତାଲା ଭାଙ୍ଗି ଲାଗିଥିବା ପଙ୍ଖା ଖୋଲି ଚୋରି କରି ନେଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି ।

prayash

ଘଟଣା ସୂତ୍ରରୁ ଜଣା ପଡ଼ିଛି ଯେ, ମଙ୍ଗଳବାର ସକାଳୁ ସ୍କୁଲ ପରିସର ଭିତରେ ଥିବା ଅଙ୍ଗନୱାଡିର କର୍ମୀ ସୂର୍ଯ୍ୟକାନ୍ତ ଦେଇ ଆସି କୋଠରୀର ତାଲା ଭଙ୍ଗା ଯାଇଥିବା ତଥା କବାଟ ମେଳା ପଡ଼ିଥିବା ଦେଖି ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ସାହୁଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲେ । ପରେ ସ୍କୁଲ୍ ପରିଚାଳନା କମିଟିର ଅଧ୍ୟକ୍ଷ ମହାବୀର ସ୍ୱାଇଁ ମଧ୍ୟ ଖବର ପାଇ ସ୍କୁଲକୁ ଆସି ସତ୍ୟାସତ୍ୟ ଦେଖିଥିଲେ । ଏନେଇ ଅତାବିରା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ତଥା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିବା ଜଣାପଡିଛି । ଫଳରେ ଅତାବିରା ଥାନା ଅଧିକାରୀ ଅନିଲ ପ୍ରଧାନ ବିଦ୍ୟାଳୟକୁ ଆସି ତାର ଚାରିଆଡ଼େ ବୁଲି ଦେଖିଥିଲେ । ବିଦ୍ୟାଳୟର ଡାହାଣ ପାର୍ଶ୍ଵ ତଥା ପଛ ପଟର ପାଚେରୀ ସବୁ ଖୋଲା ପଡ଼ିଛି। ପାଚେରୀ ନଥିବା ସହ ସମାନ । ତେଣୁ ସେହି ରାସ୍ତା ଦେଇ ଚୋରମାନେ ସ୍କୁଲ୍ ଭିତରେ ପଶୁଛନ୍ତି ବୋଲି ସ୍ପଷ୍ଟ ଅନୁମାନ କରିହେଉଛି । ପୁଲିସ ସବୁ ଦେଖି ତାର ତଦନ୍ତ ଜାରି ରଖିଛି ଏବଂ ଚୋର ନିଶ୍ଚିତ ରୂପେ ଧରାପଡ଼ିବା ବୋଲି କହିଛନ୍ତି । ଚୋରି ବ୍ୟତୀତ ବିଦ୍ୟାଳୟ ଭିତରକୁ ଅନେକ ଲୋକ ପଶି ଆସୁଛନ୍ତି ପାଚେରୀର ସୁରକ୍ଷା ନ ଥିବାରୁ। ପିଲାଙ୍କ ପାଇଁ ତିଆରି ହୋଇଥିବା ପାନୀୟ ଜଳ ପୋଷ୍ଟ ମଧ୍ୟ ସବୁ ଭାଙ୍ଗି ଦେଲେଣି । ସ୍କୁଲ୍ ଭିତରେ ପଶି ଲୋକ ଝାଡା କରୁଛନ୍ତି । କହିବାକୁ ଗଲେ ବିଦ୍ୟାଳୟର ସୁରକ୍ଷା ବୋଲି କିଛି ନାହିଁ। ଏହା ପରେ ବିଦ୍ୟାଳୟର ବହୁବିଧ ସମସ୍ୟା ରହିଛି। ପିଲାଙ୍କ ପାଇଁ ଆବଶ୍ୟକ ପରିମାଣର କୋଠରୀ ନାହିଁ।ଗୋଟିଏ କୋଠରୀରେ ଦୁଇ ଦୁଇଟି ଶ୍ରେଣୀର ଛାତ୍ରଛାତ୍ରୀ ବସି ପାଠ ପଢ଼ୁଛନ୍ତି । ପିଲାଙ୍କ ପାଇଁ ଥିବା ଶୌଚାଳୟର କବାଟ ଝରକା ମଧ୍ୟ ଭାଙ୍ଗି ଦେଇ ନଷ୍ଟ କରିଦେଉଛନ୍ତି । କେବଳ ଆଗରେ ନାମକୁ ମାତ୍ର ଝୁଲୁଛି ତାଲା । ଏନେଇ ଶିକ୍ଷକ ଶିକ୍ଷୟିତ୍ରୀମାନେ ଚିନ୍ତାରେ ପଡିଯାଇଛନ୍ତି । ବିଦ୍ୟାଳୟର ଏହି ଅବସ୍ଥା ସାଙ୍ଗକୁ ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଚାଉଳର ସୁରକ୍ଷା ନେଇ ସବୁ ବେଳେ ମନରେ ଭୟ ରହୁଛି, ସ୍କୁଲରୁ ଘରକୁ ଫେରିବା ପରେ ମଧ୍ୟ ସ୍କୁଲର ସୁରକ୍ଷା ପାଇଁ ଚିନ୍ତା ରହୁଛି ବୋଲି ସେମାନେ ପ୍ରକାଶ କରିଛନ୍ତି । ତେବେ ବ୍ଲକ ତଥା ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏହି ବିଦ୍ୟାଳୟ ତଥା ଛାତ୍ର ଛାତ୍ରୀମାନଙ୍କର ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ଅଭିଭାବକ ମହଲରେ ଦାବି ରହୁଛି। ଯଦି ତୁରନ୍ତ ପଦକ୍ଷେପ ନିଆ ନଯାଏ ତେବେ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରି ସ୍କୁଲ୍ ତଥା ଅଫିସରେ ତାଲା ପକାଇବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

kalyan agarbati

Comments are closed.