www.samajalive.in
Thursday, December 11, 2025
26.1 C
Bhubaneswar

ଅଙ୍ଗନବାଡ଼ି କେନ୍ଦ୍ରକୁ ଚାଉଳ ଯୋଗାଣରେ ଚଞ୍ଚକତା ଅଭିଯୋଗ

ବଡ଼ସାହି : ମୟୁରଭଞ୍ଜ ଜିଲା ବଡସାହି ଠାରେ ଅଙ୍ଗନବାଡ଼ି ପିଲାଙ୍କ ପାଇଁ ପୁଷ୍ଟିକର ଆହାର ପ୍ରଦାନ ପାଇଁ କେନ୍ଦ୍ରକୁ ଦିଆଯାଉଥିବା ଚାଉଳ ଯୋଗାଣରେ ଚଞ୍ଚକତା ହେଉଥିବା ଅଭିଯୋଗ ହୋଇଛି। ସୋମବାର ପ୍ରତାପପୁର ଠାରେ ଏନେଇ ଉତ୍ତେଜନା ପ୍ରକାଶ ପାଇବା ସହିତ ଗ୍ରାମବାସୀ ଅଟକ ରଖିଥିବା ଚାଉଳ ବୋଝେଇ ଭ୍ୟାନ ଓ ୱେବିଲ ବହିକୁ ସଦର ଉପଜିଲାପାଳଙ୍କ ନିର୍ଦେଶରେ ଜବତ କରାଯାଇଥିବା ବେଳେ ବଡ଼ସାହି ସିଡ଼ିପିଓଙ୍କ ଦାୟିତ୍ୱରେ ଥିବା ଗୋଦାମ ଗୃହକୁ ସିଲ୍‍ କରାଯାଇଛି।
ପ୍ରକାଶ ଯେ, ବଡ଼ସାହି ସିଡ଼ିପିଓଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ୩୨୩ଟି ଅଙ୍ଗନବାଡ଼ି କେନ୍ଦ୍ରର ଅଧ୍ୟୟନରତ ୬୭୬୧ପିଲାଙ୍କ ପାଇଁ ମାସକୁ ୫୪୦କୁଇଣ୍ଟାଲ ଚାଉଳ ଦରକାର ପଡ଼ିଥାଏ। ପିଲାଙ୍କ ଉପସ୍ଥିତି କ୍ରମେ ଦିଆଯାଉଥିବା ଇଣ୍ଡେଣ୍ଟ ଅନୁଯାୟୀ ବାରିପଦାର ଯୋଗାଣକାରୀ ସଂସ୍ଥା ସିଡ଼ିପିଓଙ୍କୁ ପ୍ରତି ମାସରେ ଚାଉଳ ଯୋଗାଇଥାଏ। ସିଡ଼ିପିଓଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ଗୋଦାମ ଗୃହରୁ ଏଜେଣ୍ଟ ଜରିଆରେ ପ୍ରତି ଅଙ୍ଗନବାଡ଼ି କେନ୍ଦ୍ରରେ ଚାଉଳ ବଣ୍ଟନ କରାଯାଇଥାଏ। ତଦନୁଯାୟୀ ସୋମବାର ଏଜେଣ୍ଟ ଜଣଙ୍କ ଗୋଦାମକୁ ଚଳିତ ମାସ ଦ୍ୱିତୀୟ ପର୍ଯ୍ୟାୟରେ ଆସିଥିବା ୩୩୨ବୁରା ଚାଉଳରୁ ୭୯ ବୁରା ଚାଉଳ ପିକଅପ୍‍ ଭ୍ୟାନରେ ନେଇ ପ୍ରତାପପୁର ସେକ୍ଟରର ବିଭିନ୍ନ କେନ୍ଦ୍ରରେ ବାଣ୍ଟୁ ଥିଲେ। ତେବେ ପ୍ରତ୍ୟେକ ୫୦କିଗ୍ରା ଚାଉଳ ବୁରାରେ ୫/୬କିଗ୍ରା କମ୍‍ ଥିବା ଜଣା ପଡ଼ିବା ପରେ ଗ୍ରାମବାସୀଙ୍କ ଠାରୁ ଖବର ପାଇ ସମିତିସଭ୍ୟ ପାର୍ଥସାରଥି ପଣ୍ଡା, ନାଏବ ସରପଞ୍ଚ ଖଗେଶ୍ୱର ନାୟକ, କଂଗ୍ରେସ ନେତା ପ୍ରକାଶ କର ମହାପାତ୍ରଙ୍କ ସମେତ ଶତାଧିକ ଗ୍ରାମବାସୀ ପିକଅପ୍‍ ଭ୍ୟାନକୁ ଅଟକ ରଖି ଚାଉଳ ଓଜନ କରିଥିଲେ। ଚାଉଳ ଓଜନରେ କମ୍‍ ଥିବାରୁ ଗାଡ଼ିକୁ ଅଟକ ରଖି ସଦର ଉପଜିଲାପାଳଙ୍କୁ ଜଣାଇଥିଲେ। ତାଙ୍କ ନିର୍ଦ୍ଦେଶ କ୍ରମେ ୩ଘଣ୍ଟା ପରେ ବଡ଼ସାହି ତହସିଲଦାର ଅମୀୟ କୁମାର ରାଉତ ଓ ସିଡିପିଓ କୁନ୍ତିମଣୀ ପାତ୍ର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ପୂର୍ବକ ଚାଉଳ ବୋଝେଇ ଭ୍ୟାନ୍‍ ଓ ଟେମ୍ପାରିଂ କରାଯାଇଥିବା ୱେବିଲ ବହିକୁ ଜବତ କରବା ସହିତ ଗଚ୍ଛିତ ଥିବା ଚାଉଳ ଗୋଦାମ ଗୃହକୁ ସିଲ୍‍ କରିଛନ୍ତି। ଅଙ୍ଗନବାଡି କେନ୍ଦ୍ରରେ ଏପରି ଚାଉଳ ଓଜନ କମ୍‍ ହେଉଥିବା ସମ୍ପର୍କରେ ପୂର୍ବରୁ ଏକାଧିକ କର୍ମୀମାନେ ମିଳିତ ଭାବେ ସୁପରଭାଇଜର ଓ ସିଡ଼ିପିଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ସିଡିପିଓ ମଧ୍ୟ ଅଭିଯୋଗ ସମ୍ପର୍କରେ ଉପରିସ୍ଥ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ ଏହାର କୌଣସି ପ୍ରଭାବ ପଡିନାହିଁ। ନିୟମ ଅନୁଯାୟୀ ଚାଉଳ ଗ୍ରହଣ ସମୟରେ କର୍ମୀ/ସ୍ବୟମସହାୟିକା ଗୋଷ୍ଠୀର ସଭାପତି, ମାତୃକମିଟି ସଭାପତି ଓ ଯାଞ୍ଚ କମିଟିର ମୁଖ୍ୟ ଉପସ୍ଥିତି ପୂର୍ବକ ୱେବିଲ ରସିଦରେ ସ୍ୱାକ୍ଷର କରିଥାନ୍ତି। ତେବେ ୫୦କେଜି ଚାଉଳରୁ ୫/୬କିଗ୍ରା ଓଜନ କମ୍‍ ଥାଇ ସେମାନେ ସ୍ୱାକ୍ଷର କରିବା ତଦନ୍ତ ସାପେକ୍ଷ। କୋମଳମତି ପିଲାଙ୍କ ଖେଳନା କିଟ୍‍ ଦୁର୍ନିତୀରେ ଛନ୍ଦି ରହିଥିବା ବଡ଼ସାହି ସିଡିପିଓ କାର୍ଯ୍ୟାଳୟ ନାମରେ ଏବେ ଚାଉଳ ଯୋଗାଣରେ ଚଞ୍ଚକତା ନୂଆ ବିବାଦ ଯୋଡି ଯାଇଛି। ସିଡିପିଓଙ୍କ କାର୍ଯ୍ୟାଳୟରେ ଥିବା ଗୋଦାମରେ ଯୋଗାଣକାରୀ ସଂସ୍ଥା କମ୍‍ ଓଜନ ଥିବା ଚାଉଳ ମହଜୁଦ କରି ରଖିବା ବର୍ତ୍ତମାନ ତଦନ୍ତ ସାପେକ୍ଷ। ତେବେ ଜବତ ଚାଉଳ ତଦନ୍ତ ପାଇଁ ଜିଲାରୁ ସ୍ୱତନ୍ତ୍ର ଦଳ ଆସି ଯାଞ୍ଚ ପରେ ସତ୍ୟତା ଜଣାପଡ଼ିବ। ଭ୍ୟାନ ଜବତ ଓ ଗୋଦାମ ସିଲ ହେବା ଫଳରେ ଚାଉଳ ବଣ୍ଟନ ପ୍ରକ୍ରିୟା ବ୍ୟାହାତ ହୋଇଥିବାରୁ ଅଙ୍ଗନବାଡ଼ି ପିଲାମାନେ ପୃଷ୍ଟିକର ଆହାରରୁ ବଞ୍ଚିତ ରହିବେ। କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ବ୍ଲକ କଂଗ୍ରେସ ସଭାପତି ଗୁଣନିଧି ମହାନ୍ତି ନିବେଦନ କରିଛନ୍ତି।

Hot this week

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

Related Articles

Popular Categories