ବଡ଼ମ୍ବା: ବଡ଼ମ୍ବା ବ୍ଲକ ଅନ୍ତର୍ଗତ ମାଣିଆବନ୍ଧରେ ଆସନ୍ତା ୧୪ ତାରିଖରେ ଅନୁଷ୍ଠିତ ହେବ ଦଶମ ବୁଦ୍ଧ ମହୋତ୍ସବ। ମାଣିଆବନ୍ଧ ବୁଦ୍ଧ ବିହାର ପରିସରରେ ପାଞ୍ଚଦିନ ଧରି ଅନୁଷ୍ଠିତ ହେବାକୁଥିବା ଏହି ମହୋତ୍ସବ ରାଜ୍ୟ ସଂସ୍କୃତି ବିଭାଗ, ଜିଲା ପ୍ରଶାସନ ତଥା ସ୍ଥାନୀୟ ବୌଦ୍ଧ ସଂଘର ମିଳିତ ସହଯୋଗରେ ପାଳନ ହେଉଛି। ମହୋତ୍ସବ ପାଳନନେଇ ଶୁକ୍ରବାର ବୁଦ୍ଧବିହାର ପରିସରସ୍ଥ ପର୍ଯ୍ୟଟନ ବାଖ୍ୟାୟନ କେନ୍ଦ୍ରରେ ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ପୌରୋହିତ୍ୟରେ ଚୁଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ ପାଳନ କମିଟି ତଥା ବୌଦ୍ଧ ସଂଘରୁ ମିଳିଥିବା ସୂଚନାନୁଯାଇ ଉତ୍ସବର ପ୍ରତ୍ୟେକ ସଂଧ୍ୟାରେ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରାଜ୍ୟର ପ୍ରତିଷ୍ଠିତ କଳାକାର ଏବଂ ଅନୁଷ୍ଠାନର ଶିଳ୍ପୀମାନେ ମହୋତ୍ସବ ମଞ୍ଚରେ ଓଡ଼ିଶୀ ନୃତ୍ୟ ସାଙ୍ଗକୁ ଗୋଟିପୁଅ,ସମ୍ବଲପୁରୀ,ଢୋଲ ମହୁରୀ ଆଦି ଲୋକନୃତ୍ୟ ପରିବେଷଣ କରିବେ। ସେହିଭଳି ଭଜନ ଏବଂ ଆଧୁନିକ ନୃତ୍ୟ ସାଙ୍ଗକୁ ସ୍ଥାନୀୟ କଳାକାରମାନେ ମଧ୍ୟ ସେମାନଙ୍କ ପ୍ରତିଭା ପରିବେଷଣ କରିବେ ବୋଲି ଜଣାଯାଇଛି। ଉତ୍ସବର ବିଭିନ୍ନ ସଂଧ୍ୟାରେ ହେବାକୁଥିବା ସାଂସ୍କୃତିକ ସଭାରେ ବିଧାୟକ ଶ୍ରୀ ମିଶ୍ରଙ୍କ ସମେତ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ, ପୂର୍ବତନ ସାଂସଦ ଡ.ପ୍ରଶନ୍ନ ପାଟ୍ଟଶାଣୀ, ଜିଲା ପ୍ରଶାସନ ତଥା ରାଜ୍ୟ ସଂସ୍କୃତି ବିଭାଗର ଉଚ୍ଚ ପଦାଧିକାରୀଙ୍କ ସମେତ ବିଶିଷ୍ଟ ବୌଦ୍ଧ ଗବେଷକ, ନିର୍ବାଚିତ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି ତଥା ବୁଦ୍ଧିଜୀବୀମାନେ ଅତିଥିଭାବେ ଯୋଗଦେବେ ବୋଲି ସ୍ଥିର ହୋଇଛି।
ବୁଦ୍ଧ ପୂର୍ଣ୍ଣିମା ଓ ବୁଦ୍ଧ ଜୟନ୍ତୀ ପାଳନ ଅବସରରେ ଓଡ଼ିଶାର ଅନ୍ୟତମ ବୌଦ୍ଧ ଉପାସନା କ୍ଷେତ୍ରଭାବେ ପରିଚିତ ମାଣିଆବନ୍ଧର ଏହି ପାରମ୍ପରିକ ଉତ୍ସବ ଏବଂ ମହୋତ୍ସବ ପାଳନନେଇ ପ୍ରସ୍ତୁତି ବୌଠକରେ ସମସ୍ତ ଜନସାଧାରଣ ଏବଂ ପ୍ରଶାସନର ସହଯୋଗ କାମନା କରାଯାଇଛି। ଅନୁଷ୍ଠିତ ବୈଠକରେ ବିଧାୟକ ଶ୍ରୀ ମିଶ୍ରଙ୍କ ସମେତ ମାଣିଆବନ୍ଧ ବୌଦ୍ଧ ସଂଘର ସଭାପତି ଅରକ୍ଷିତ ଦେବତା, ମହୋତ୍ସବ ସଂଯୋଜକ ତଥା ଜିଲାପରିଷଦ ସଦସ୍ୟ ରବିନ୍ଦ୍ରକୁମାର ସାହୁ, ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି,ମହୋତ୍ସବ କମିଟି ସଭାପତି ଚକ୍ରଧର ଦଳେଇ, କମିଟି ସହସମ୍ପାଦକ ଦେବରାଜ ଦେବତା, ମାଣିଆବନ୍ଧ ସରପଞ୍ଚଙ୍କ ପ୍ରତିନିଧି ଅଜୟକୁମାର ସ୍ୱାଇଁ, ସମିତି ସଭ୍ୟଙ୍କ ପ୍ରତିନିଧି ବିକାଶ ମନ୍ତ୍ରୀ, ନିକଟସ୍ଥ ସନ୍ତ୍ରରାବାଳି ପଞ୍ଚାୟତ ସମିତି ସଭ୍ୟ ବିଭୁତି ଜେନା, ମହୁଲିଆ ପଞ୍ଚାୟତ ସରପଞ୍ଚ ପ୍ରଭାକର ପ୍ରଧାନ, ସମିତି ସଭ୍ୟ ମନୋଜକୁମାର ନନ୍ଦଙ୍କ ସମେତ ମାଣିଆବନ୍ଧ ବୌଦ୍ଧ ସଂଘର ସଦସ୍ୟ, କର୍ମକର୍ତ୍ତା ତଥା ବିଭିନ୍ନ ବିଭାଗୀୟ ଅଧିକାରୀ ବହୁ ସଂଖ୍ୟାରେ ଯୋଗଦେଇଥିଲେ। ଶେଷରେ ଉତ୍ସବ ପାଳନ କମିଟିର ସମ୍ପାଦକ ଅଜିତପ୍ରସାଦ ଚୌଧୁରୀ ଧନ୍ୟବାଦ ପ୍ରଦାନ କରିଥିଲେ।



