www.samajalive.in
Saturday, December 6, 2025
19.1 C
Bhubaneswar

ପଥପ୍ରାନ୍ତ ପକ୍ଷୀବିହାର ସରନାଳର ସୌନ୍ଦର୍ଯ୍ୟକରଣ ଦାବି

ବଡ଼ମ୍ବା: ବଡ଼ମ୍ବାର ସରନାଳ; ମହାନଦୀର ଉଛୁଳା ଜଳରାଶି ଏବଂ ପକ୍ଷୀ ବିହାରରେ ଏହାର ସୁଦୀର୍ଘ ଶୋଭାବର୍ଦ୍ଧିତ ହୁଏ। ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତଥା ବଡ଼ମ୍ବାର ଆରାଧ୍ୟ ଦେବୀ ମା ଭଟ୍ଟାରିକାଙ୍କ ପୀଠକୁ ଗଲାବେଳେ କରଡ଼ିବନ୍ଧ ଗ୍ରାମ ନିକଟରେ ଏହି ସରନାଳ ଅବସ୍ଥିତ। ଭଟ୍ଟାରିକାଠୁ ମାତ୍ର କିଛିବାଟ ଦୂରତାରେ ଅବସ୍ଥିତ ଏହି ନାଳ ମହାନଦୀର ମରାଖାଇ ମୁହାଣଠୁ ଅନୁମାନ ପ୍ରାୟ  ୨କିମି ବ୍ୟାପ୍ତ ଅଞ୍ଚଳର ଜଳାଶୟ ଅଟେ। ନାଳର ଉତ୍ତରପାର୍ଶ୍ବର ବିଭିନ୍ନ ଗଛଲତାର ସବୁଜିମା ରହିଛି। ଯାହାଫଳରେ ନାନା ପ୍ରଜାତିର ପକ୍ଷୀ ଏଠି ବାସ କରିବା ପରିବେଶ ଅନୁକୁଳ ଲକ୍ଷ କରାଯାଇଛି। ହଂସରାଳି, ଗେଣ୍ଡାଳିଆ, ବଗ, ପାଣିକୁଆ ସମେତ ଅନେକ ଜାତିର ପକ୍ଷୀଙ୍କ କଳରବରେ ସରନାଳର ପ୍ରାକୃତିକ ବିଭବ ଦେଖାଣାହାରୀର ମନମୋହେ।

ବନବିଭାଗର ପକ୍ଷୀ ଗଣନା ସମୟରେ ଏହି ନାଳରେ ଶହଶହ ହଂସରାଳି ଦୃଶ୍ୟମାନ ହୁଅନ୍ତି। ମହାନଦୀର ଉଛୁଳା ବନ୍ୟାଜଳ ସରନାଳରେ ଆସିଲେ ଖାଲି ଯେ ଏହା ଅନ୍ୟ ଏକ ଶାଖା ନଈର ଭ୍ରମ ସୃଷ୍ଠି କରେ ତା ନୁହେଁ,ଏଠାରେ ଥିବା କାଶତଣ୍ଡିର ପଠା ଏବଂ ଗଛ ଉପରେ ବସିଥିବା ବଗଙ୍କ ମେଳି ଭ୍ରମଣକାରୀକୁ ଭରପୁର ପ୍ରାକୃତିକ ସୌନ୍ଦର୍ଯ୍ୟର ସୁଖଦ ଅନୁଭବ ଦିଏ। ସୁର୍ଯ୍ୟୋଦୟ ସମୟର ହଂସରାଳିଙ୍କ ରାବ ହେଉ କି ସୂର୍ଯ୍ୟାସ୍ତ ସମୟର ପକ୍ଷୀଙ୍କ ବସା ବାହୁଡ଼ା କଳରବ ସରନାଳର ମନୋଜ୍ଞ ପରିବେଶକୁ ପ୍ରକୃତିସ୍ଥ କରିତୋଳେ। ହେଲେ ପରିତାପର ବିଷୟ ଅନେକଦିନରୁ ଏହି ନାଳର ସୌନ୍ଦର୍ଯ୍ୟ କରଣ, ପାରିପାର୍ଶ୍ବିକ ଉନ୍ନତି ତଥା ଦଳପୂର୍ଣ୍ଣ ଜଳରାଶିର ପୁନରୁଦ୍ଧାର ନେଇ ଗ୍ରାମବାସୀ ଦାବି କରିଆସୁଥିଲେ ସୁଦ୍ଧା କାହାର ହେଲେ ଏଥିପ୍ରତି ଏଯାଏଁ ଦୃଷ୍ଟି ପଡ଼ୁନଥିବା ବିଡ଼ମ୍ବନା। ଏପରିକି ଦଳସଫା କରାଯାଇ ଏହି ନାଳରେ ନୌବିହାର(ବୋଟିଂ)ର ସୁବିଧା କରାଗଲେ ଭଟ୍ଟାରିକା ପୀଠକୁ ଆସୁଥିବା ପର୍ଯ୍ୟଟକ ଏଠାରେ ସାମୟିକ ଜଳକ୍ରୀଡ଼ାର ଆନନ୍ଦ ଉପଭୋଗ କରିପାରିବାର ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରନ୍ତା ବୋଲି ପର୍ଯ୍ୟଟକ ମହଲରେ ଚର୍ଚ୍ଚା ହୁଏ। ତେବେ ପର୍ଯ୍ୟଟନ ବିଭାଗ ହେଉ କି ଜିଲାପ୍ରଶାସନ ଏଥିପାଇଁ ସ୍ୱତନ୍ତ୍ର ଆଗ୍ରହବ୍ୟକ୍ତ କଲେ ହୁଏତ ଲୋକଙ୍କ ଅନେକ ଦିନର କଳ୍ପନା ବାସ୍ତବ ରୁପ ନେଇପାରନ୍ତା ବୋଲି ସ୍ଥାନୀୟ ଲୋକ ମନେକରନ୍ତି। ପକ୍ଷୀବିହାର ଏବଂ ପର୍ଯ୍ୟଟକଙ୍କ ନୌବିହାରକୁ ଦୃଷ୍ଟିରେ ରଖି ଏହି ସରନାଳର ଉନ୍ନତି ଦିଗରେ ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକଙ୍କ ସମେତ ପରିବେଶ ପ୍ରେମୀ ଦୃଢ ଦାବି କରିଛନ୍ତି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories