ସରପଞ୍ଚଙ୍କ ଗଣାଧାରଣା, ତଦନ୍ତ ପ୍ରତିଶ୍ରୁତିପରେ ଧାରଣା ପ୍ରତ୍ୟାହୃତ

ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନକୁ କେନ୍ଦ୍ରକରି ବିବାଦ

ବଡ଼ମ୍ବା :  ଏହି ବ୍ଲକ ଅନ୍ତର୍ଗତ ଗଡ଼ାପୋଖରୀ ପଞ୍ଚାୟତର ଚମ୍ପେଇଦ୍ୱାର ଗ୍ରାମ ୟୁଜିଏମଇ ସ୍କୁଲରେ ମଧ୍ୟାହ୍ନ ଭୋଜନକୁ କେନ୍ଦ୍ର କରି ବିବାଦ ସୃଷ୍ଟି ହୋଇଛି। ଫଳସ୍ୱରୁପ ଏହି ଘଟଣାକୁ ନେଇ ସ୍ଥାନୀୟ ସରପଞ୍ଚ ଏଲିନା ଦାସ ନିଜ ସମର୍ଥକଙ୍କ ସହିତ ସୋମବାର ବଡ଼ମ୍ବା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ । ତେବେ ପୁଲିସ ଏବଂ ବିଭାଗୀୟ ପ୍ରଶାସନ ଅଧିକାରୀ ଏହି ଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେବାରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଲୋକଙ୍କ ଅଭିଯୋଗ ପାଇ ସରପଞ୍ଚ ଏବଂ ତାଙ୍କର ସମର୍ଥକଙ୍କ ସହ ସଂପୃକ୍ତ ସ୍କୁଲକୁ ତଦାରଖ କରିବାକୁ ଯାଇଥିଲେ। ଏହାକୁ କେନ୍ଦ୍ରକରି ସ୍କୁଲ ପରିଚାଳନା କମିଟି,କର୍ତ୍ତୃପକ୍ଷ ତଥା ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ମଧ୍ୟରେ ବିବାଦର ସୂତ୍ରପାତ ଘଟିଥିବା ପ୍ରକାଶ । ତେବେ ପରସ୍ପର ବିରୋଧି ଅଭିଯୋଗ ହେବାରେ ଘଟଣାକୁ ନେଇ ଅସନ୍ତୋଷର ବାତାବରଣ ସୃଷ୍ଟି ହେବାରୁ ବାଧ୍ୟହୋଇ ଘଟଣାର ନିରପେକ୍ଷ ତଦନ୍ତ ଏବଂ ନ୍ୟୟ ପାଇଁ ସରପଞ୍ଚ ଶ୍ରୀମତୀ ଦାସ ସୋମବାର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯାଳୟ ସମ୍ମୁଖରେ ଅଭିଯୋଗକାରୀ ସଂପୃକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅବିଭାବକ ଏବଂ ସମର୍ଥକଙ୍କ ଗହଣରେ ଗଣାଧାରଣା ଦେଇଥିଲେ । ତେବେ ଆଶ୍ଚର୍ଯ୍ୟର ବିଷୟ ଅନୁସନ୍ଧାନରୁ ଜଣାଯାଇଛି ଯେ ଏହି ଅପ୍ରତ୍ୟାଶିତ ଗଣଧାରଣା ସମ୍ପର୍କରେ ପୁଲିସ ବ୍ୟତିରକେ ନାଁ ବିଭାଗୀୟ ଅଧିକାରୀ, ପ୍ରମୁଖ ଗଣମାଧ୍ୟମ ନାଁ ସରକାରଙ୍କ ସ୍ୱତନ୍ତ୍ର ଗୁଇନ୍ଦା ବିଭାଗ ଅବଗତ ଥିଲେ। ଘଟଣା ଯାହା ହେଉନାଁ କାହିଁକି ଖବର ପାଇ ଗଣଧାରଣା ସ୍ଥଳରେ ପୁଲିସ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କ କର୍ତ୍ତୃପକ୍ଷ ପହଞ୍ଚିଥିଲେ। ଆଲୋଚନା ପରେ ଉପୁଜିଥିବା ବିବାଦର ତଦନ୍ତ ସହିତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରଶାସନ ତରଫରୁ ପ୍ରତିଶ୍ରୁତି ଦିଆଯିବା ପରେ ଗଣାଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି । ତେବେ ଘଟଣା ସମ୍ପର୍କିତ ସବିଶେଷ ତଥ୍ୟ ଜାଣିବା ଲାଗି ଯୋଗାଯୋଗ କରିବାରେ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ କର୍ତ୍ତୃପକ୍ଷଙ୍କ ଫୋନ ବନ୍ଦ ରହିଥିବାରୁ ଏନେଇ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିନାହିଁ।

Comments are closed.