ହାତୀଦାନ୍ତ ଚୋରୀରେ ସଂପୃକ୍ତ ଜଣେ ଅଭିଯୁକ୍ତ ଗିରଫ
ବଡ଼ମ୍ବା ବନାଞ୍ଚଳରେ ଏସଟିଏଫ୍ ଦ୍ୱାରା ମାଟିତଳୁ ଜବତ ଦନ୍ତାହାତୀ କଙ୍କାଳ ଘଟଣା
ବଡ଼ମ୍ବା : ବଡ଼ମ୍ବା ବନାଞ୍ଚଳ ଅନ୍ତର୍ଗତ ଚନ୍ଦ୍ରଗିରୀ ସଂରକ୍ଷିତ ଜଙ୍ଗଲ ସନ୍ନିକଟ ମହତାବନ୍ଧରୁ ଏସଟିଏଫ୍ ଦ୍ୱାରା ମାଟିତଳୁ ଦନ୍ତାହାତୀ କଙ୍କାଳ ଜବତ୍ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ବନବିଭାଗ ଗିରଫ କରିଛି । ସଂପୃକ୍ତ ଅଭିଯୁକ୍ତ ଉକ୍ତ ହାତୀର ଦାନ୍ତ ଚୋରୀ ଘଟଣାରେ ସାମିଲ ଥିବା ବନବିଭାଗ ଜାଣିବାକୁ ପାଇଛି। ଗିରଫ ଅଭିଯୁକ୍ତ ହେଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଜେନାପାଳ ଗ୍ରାମର ସୁବାଷ ସାହୁ (୫୩) । ତଦନ୍ତାଧିନ ଏହି ଘଟଣାରେ ଆଠଗଡ଼ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ କୌଣସି ବିଶେଷ ସୂତ୍ରରୁ ଖବରପାଇ ଅଭିଯୁକ୍ତ ସୁବାଷକୁ ଗିରଫ କରିବାକୁ ନିର୍ଦେଶ ଦେଇଥିଲେ । ସହକାରୀ ବନଖଣ୍ଡ ଅଧିକାରୀ ଘନଶ୍ୟାମ ମୁଦୁଲି ଏବଂ ବଡ଼ମ୍ବା ସଦର ବନପାଳ ସବିତା ରାଉତ ଅଭିଯୁକ୍ତକୁ ଗିରଫ କରିବା ସହ ଶନିବାର ବଡ଼ମ୍ବା କୋର୍ଟରେ ହାଜର କରାଇଥିଲେ । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ଜେଲ ପଠାଇଦିଆଯାଇଛି ।
ପ୍ରକାଶଥାଉକି ଗତ ଜୁନ ୨ ତାରିଖରେ ଏସଟିଏଫ୍ ଦଳ ବିଶେଷ ସୂତ୍ରରୁ ଖବରପାଇ ବଡ଼ମ୍ବା ବନାଞ୍ଚଳରେ ଖାନତଲାସି କରିବାରେ ମାଟି ତଳେ ଏକ ଦନ୍ତାହାତୀ ମରାଯାଇ ପୋତାଯାଇଥିବା ଦେଖିବାକୁ ପାଇଥିଲେ। ଉକ୍ତ ହାତୀର କଙ୍କାଳକୁ ଏସଟିଏଫ୍ ଜବତ୍ କରିଥିବା ବେଳେ ତାର ଦାନ୍ତ ଚୋରୀ ଯାଇଥିବା ସ୍ପଷ୍ଟ ହୋଇ ଥିଲା । କେବଳ ସେତିକି ନୁହେଁ ଏହି ସମ୍ବେଦନଶୀଳ ଘଟଣା ଜଣାପଡ଼ିବା ପରେପରେ ଆଉ ୩ଟି ଏହିଭଳି ଘଟଣା ଲୋକଲୋଚନକୁ ଆସିଥିଲା। ବଡ଼ମ୍ବା ବନାଞ୍ଚଳରେ ହାତୀକୁ ମାରି ପୋତି ଦିଆଯାଇଥିବା ଏଯାବତ୍ ୪ଟି ଘଟଣା ଜଣାପଡ଼ିଥିବା ବେଳେ ସେଥିମଧ୍ୟରୁ ୨ଟି ଦନ୍ତାହାତୀର ଶବ ବୋଲି ଜଣାଯାଇଛି। ଆଉ ଦୁଇଟିର କଙ୍କାଳ ଲିଙ୍ଗ ନିରୁପଣ ଲାଗି ସ୍ୱତନ୍ତ୍ର ପରୀକ୍ଷାଗାରକୁ ପଠାଯାଇଥିବା ବେଳେ ଏହି ସମସ୍ତ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ବନ କର୍ମଚାରୀ, ଶିକାରୀ ଏବଂ ସଂଶ୍ଳିଷ୍ଟ ଅନ୍ୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ତଦନ୍ତ, କାର୍ଯ୍ୟାନୁଷ୍ଠାନ ଓ ଗିରଫଦାରୀ ଜାରି ରହିଛି । ଇତିମଧ୍ୟରେ ୧୦ରୁ ଅଧିକ ଅଭିଯୁକ୍ତ ଗିରଫ ହୋଇ ସାରିଥିବା ବେଳେ କାର୍ଯ୍ୟରେ ଅବହେଳା ଏବଂ ଘଟଣାରେ ସଂପୃକ୍ତି ଅଭିଯୋଗରେ ଅନେକ ବିଭାଗୀୟ କର୍ମଚାରୀ ମଧ୍ୟ ଗିରଫ ତଥା ନିଲମ୍ବନ ହୋଇଥିବା ପ୍ରକାଶ।
Comments are closed.