www.samajalive.in
Sunday, December 14, 2025
14.1 C
Bhubaneswar

ବେଆଇନ ମାଦକ ଦ୍ରବ୍ୟ କାରବାରକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ:ମନ୍ତ୍ରୀ 

ଭୁବନେଶ୍ୱର : ନୂଆ ସରକାର ରାଜ୍ୟର ଶାସନ ଭାର ହାତକୁ ନେବା ପରେ ବେଆଇନ ମାଦକ ଦ୍ରବ୍ୟ କାରବାର ଆନେକାଂଶରେ ହ୍ରାସ ପାଇଛି । ଅବକାରୀ ବିଭାଗ, ପୋଲିସ ପ୍ରଶାସନ ଏବଂ ସ୍ପେସାଲ୍‌ ସ୍କ୍ୱାର୍ଡ ଜରିଆରେ ନିୟମିତ ଚଢ଼ାଉ କରାଯାଇ ଅନେକ ବେଆଇନ ମଦଭାଟିକୁ ବନ୍ଦ କରାଯିବା ସହ ପ୍ରସ୍ତୁତି ସାମଗ୍ରୀ ଓ ଗାଡ଼ି ଜବତ କରାଯିବା ସହିତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ତଥାପି ଏ ଦିଗରେ ଅଧିକ କାର୍ଯ୍ୟ କରି ରାଜ୍ୟରୁ ବେଆଇନ ମାଦକ ଦ୍ରବ୍ୟ କାରବାରକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ଆମ ସମସ୍ତଙ୍କୁ ଉଦ୍ୟମ କରିବାକୁ ପଡ଼ିବ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଚଳିତ ୨୦୨୫ ମଇ ୩୧ରୁ ଜୁନ୍‌ ୨୬ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବେଆଇନ ମାଦକ ଦ୍ରବ୍ୟ ସେବନ ଓ କାରବାର ରୋକିବା ଦିଗରେ ସଚେତନତା କାର୍ଯର୍କ୍ରମ ନେଇ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ଯେ ବେଆଇନ ମାଦକ ଦ୍ରବ୍ୟ ସେବନ ଓ କାରବାର ବିରୋଧରେ ସାରା ରାଜ୍ୟରେ ହେବାକୁ ଥିବା କାର୍ଯ୍ୟକ୍ରମରେ ପ୍ରତ୍ୟେକ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

- Advertisement -

ତେଣୁ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରି ଗ୍ରାମପଞ୍ଚାୟତ ପର୍ଯ୍ୟନ୍ତ ରାଜ୍ୟର କୋଣ ଅନୁକୋଣରେ ସଚେତନତାର ବାର୍ତ୍ତାକୁ ପହଞ୍ଚାଇବାକୁ ପଡ଼ିବ । ପାଲା, ଦାସକାଠିଆ, ଘୋଡ଼ାନାଚ ଆଦି ସହ ବିଭିନ୍ନ ହାଟବଜାର ଅଞ୍ଚଳରେ ପଥପ୍ରାନ୍ତ ନାଟକ ଜରିଆରେ ବେଆଇନ ନିଶା ସେବନ କାରବାରର କୁପରିଣତି ନେଇ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମକୁ ସଫଳ କରିବାକୁ ହେବ। ଏଥିସହ ଜିଲା, ଉପଖଣ୍ଡ ଓ ବ୍ଲକ୍‌ ସ୍ତରରେ ସଚେତନତା ରଥ ଜରିଆରେ ସବୁବର୍ଗଙ୍କୁ ସଚେତନ କରାଇବା ନେଇ ଉପସ୍ଥିତ ସମସ୍ତ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଥିଲେ ।ଏଥିସହ ପ୍ରତ୍ୟେକ ଦିନ କ’ଣ ସବୁ କାର୍ଯ୍ୟକ୍ରମ କରାଯିବ ସେଥିନେଇ ତାଲିକା ପ୍ରସ୍ତୁତ କରିବାକୁ ବିଭାଗକୁ ନିର୍ଦେଶ ଦେଇଥିଲେ।

ବୈଠକରେ ମୁଖ୍ୟ ଶାସନ ସଚିବ  ମନୋଜ ଆହୂଜା ଗ୍ରାମାଞ୍ଚଳରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରି ବିଦ୍ୟାଳୟ ସ୍ତରରେ ବେଆଇନ ନିଶା ସେବନ ସମ୍ବନ୍ଧରେ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରିବା ସହ ବେଆଇନ ମାଦକ ଦ୍ରବ୍ୟ କାରବାର ଓ ସେବନ ବିରୁଦ୍ଧରେ ନିୟମିତ ସଚେତନତା କରିବାକୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ଅବକାରୀ ବିଭାଗ କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ଆୟୋଜିତ ହେବାକୁ ଥିବା ଏହି ସଚେତନତା କାର୍ଯ୍ୟକ୍ରମର ଆଭିମୁଖ୍ୟ ସହ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ବିଭାଗର ସମ୍ପୃକ୍ତି ବିଷୟରେ ବୈଠକରେ ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ, ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଆର୍‌.କେ. ଶର୍ମା, ପୋଲିସ ଡିଆଇଜି(ଏସ୍‌ଟିଏଫ୍‌) ପିନାକ ମିଶ୍ରଙ୍କ ସମେତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ବାଣିଜ୍ୟ ଓ ପରିବହନ, କ୍ରୀଡ଼ା ଓ ଯୁବସେବା, ବିଦ୍ୟାଳୟ ଓ ଗଣଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ପଞ୍ଚାୟତିରାଜ ଓ ପାନୀୟ ଜଳ, ମିଶନ ଶକ୍ତି, ଓର୍‌ସାକ୍‌, ଏନ୍‌ସିବି, ଭୁବନେଶ୍ୱର, ଓଡ଼ିଶା ରାଜ୍ୟ ପାନୀୟ ନିଗମ ଲିଃର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଅବକାରୀ କମିଶନର ଧର୍ମେନ୍ଦ୍ର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

Related Articles

Popular Categories