କେନ୍ଦ୍ରାପଡ଼ା : ପୂର୍ବତନ ସାଂସଦ ତଥା ’ଉତ୍କଳ ଭାରତ’ ପାର୍ଟିର ସଭାପତି ଖାରବେଳ ସ୍ବାଇଁଙ୍କ ଉପରେ ବୁଧବାର କେନ୍ଦ୍ରାପଡ଼ାରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଜିଲ୍ଲା ଆଳିରେ ଏକ ସଭାରେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଜଣାପଡିଛି।
ଶ୍ରୀ ସ୍ବାଇଁ ଏହି ସଭାରେ ବିଜେଡି ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରି ଭାଷଣ ଦେଉଥିଲେ । ସେହି ସମୟରେ କେତେକ ଦୁର୍ବୃତ ତାଙ୍କୁ ଆକ୍ରମଣ କରିବା ସହ ଟଣା ଓଟରା କରି ଘୋଷାଡି ପକାଇଥିବା ଅଭିଯୋଗ ହୋଇଛି । ସେ ସଭାରୁ ନଗଲେ ତାଙ୍କୁ ହାଣିବାକୁ ମଧ୍ୟ ଧମକ ଦିଆ ଯାଇଥିବା ଶ୍ରୀ ସ୍ୱାଇଁ ଅଭିଯୋଗ କରିଛନ୍ତି । ଶ୍ରୀ ସ୍ୱାଇଁଙ୍କର ଅନ୍ୟ ୨ଜଣ ସହଯୋଗୀ ଏବଂ ସଭାରେ ସଭାପତିତ୍ୱ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଆକ୍ରମଣ ହୋଇଥିବା କୁହାଯାଉଛି । ଏହି ଅଘଟଣ ପରେ ଶ୍ରୀ ସ୍ୱାଇଁ ସଭାକୁ ଅଧାରୁ ବନ୍ଦ କରିଥିଲେ । ତେବେ ବିଜେଡି ସାଂସଦ ପ୍ରତାପ ଦେବଙ୍କ ପ୍ରରୋଚନାରେ ତାଙ୍କ ଉପରେ ଆକ୍ରମଣ କରାଯାଇଥିବା ଶ୍ରୀ ସ୍ୱାଇଁ ଅଭିଯୋଗ କରିଛନ୍ତି। ବିଜୁ ଗୁଣ୍ଡା ବାହିନୀ ଦ୍ବାରା ତାଙ୍କ ଉପରେ ଆକ୍ରମଣ ହୋଇଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।



