ଭୈରବୀ ମନ୍ଦିର ପରିସର ପାଲଟିଲା ରଣକ୍ଷେତ୍ର, ପୂଜକଙ୍କୁ ମରଣାନ୍ତକ ଆକ୍ରମଣ

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ହରଡଙ୍ଗଠାରେ ଥିବା ଭୈରବୀ ମନ୍ଦିର ପରିସର ରଣକ୍ଷେତ୍ର ପାଲିଟିବା ସହ ମନ୍ଦିର ପୂଜକଙ୍କୁ କିଛି ଲୋକ ଆକ୍ରମଣ କରିଥିବା ଓ ସେଠାରେ ଉପସ୍ଥିତ ରହିଥିବା କିଛି ମହିଳାଙ୍କୁ ଟଣାଓଟରା କରିବା ସହ ମାଡ଼ ମାରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ କରୁଥିବାବେଳେ ଆକ୍ରମଣରେ ୫ ପୂଜକ ଆହତ ହୋଇଥିବା ଜଣାପଡିଛି। ଦୀର୍ଘ ବର୍ଷ ଧରି ମନ୍ଦିର ପରିଚାଳନା ନେଇ ପୂଜକ ଓ ସଂକ୍ରାନ୍ତି ପୂଜା କମିଟି ମଧ୍ୟରେ ବାଦବିବାଦ ଲାଗି ରହିଥିବାବେଳେ ଆଜି ଦେବୋତ୍ତର ବିଭାଗ ଡେପୁଟି କମିଶନର ମନ୍ଦିରରେ ଲାଗିରହିଥିବା ବାଦବିବାଦ ନେଇ ତଦନ୍ତ କରିବାକୁ ପହଞ୍ଚି ଥିଲେ। ପ୍ରାୟ ମଧ୍ୟାହ୍ନ ସାଢେ଼ ୧୨ ଟା ବେଳେ ଡେପୁଟି କମିଶନର ମନ୍ଦିରରେ ପୂଜାର୍ଚ୍ଚନା କରି ପୂଜକଙ୍କ ସହ ମନ୍ଦିରର କେଉଁ କେଉଁ ସ୍ଥାନ  ଭଙ୍ଗା ଯାଇଛି ତାହା ନେଇ ଆଲୋଚନା କରିବା ସମୟରେ ସେଠାରେ ଉପସ୍ଥିତ ଥିବା କିଛି ବ୍ୟକ୍ତିବିଶେଷ ଅଚାନକ ମନ୍ଦିରର ପୂଜକ  ରହିଥିବା ଭୈରବ ରଣାଙ୍କୁ ସଂଘବଦ୍ଧ ଭାବରେ ଆକ୍ରମଣ କରିଥିଲେ। ଏଥିରେ ଭୈରବ ଆହତ ହେବା ସହ ଲୋକଙ୍କ ମାଡରେ ଅଜିତ ରଣା, ଭାସ୍କର ରଣା, ଭଗବାନ ରଣା ଓ ପ୍ରଶାନ୍ତ ରଣା ପ୍ରମୁଖ ମଧ୍ୟ ଆହାତ ହୋଇଥିବା ନେଇ ସମିର ରଣାଙ୍କ ପକ୍ଷରୁ ପୂର୍ଣଚନ୍ଦ୍ର ସାହୁଙ୍କ ସମେତ ଅନ୍ୟ ୫ ଜଣଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୩୧୪/୨୪ ରେ ଏକ ମାମଲା ରୁଜୁ କରିଛି ।

ସୂଚନା ଯୋଗ୍ୟ ଦେବୋତ୍ତର ବିଭାଗ ପକ୍ଷରୁ ଚିଠି ନଂ ୬୮୩୬ ତାରିଖ ୩/୦୮/୨୪ ପ୍ରକାରେ ଡେପୁଟି କମିଶନରଙ୍କ ଭୈରବୀ ମନ୍ଦିର ପରିଦର୍ଶନ ସହ ଅଭିଯୋଗ କାରୀ ଭାସ୍କର ରଣା ଓ ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ଉପସ୍ଥିତ ରହିବାକୁ ଚିଠି କରାଯାଇଥିଲା। ଏହାକୁ ଆଧାର କରି ଭାସ୍କର ସମେତ ତାଙ୍କର କିଛି ପୂଜକ ସମର୍ଥକ ଏବଂ ପୂର୍ଣ୍ଣଚନ୍ଦ୍ର ସମେତ କମିଟିର କିଛି ସଦସ୍ୟ ଓ ହରଡଙ୍ଗ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ମନ୍ଦିର ପରିସରରେ ଉପସ୍ଥିତ ରହିଥିଲେ। ଆଲୋଚନା ଚାଲିଥିବାବେଳେ ଏପରି ଗଣ୍ଡଗୋଳ ଘଟିବା ସହ ପରିସ୍ଥିତି ଅଣାୟତ୍ତ ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଘଟଣା ନେଇ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତରେ ରହିଥିବା ପରିବହନ ଖଣି ଓ ଇସ୍ପାତମନ୍ତ୍ରୀ ବିଭୂତି ଭୂଷଣ ଜେନା ବ୍ରହ୍ମପୁର ବଡ ମେଡିକାଲ ଯାଇ ଆହତଙ୍କୁ ସେଠାରେ ଭେଟିବା ସହ ସେମାନଙ୍କ ସ୍ବାସ୍ଥ୍ୟସେବା ନେଇ ବଡ ମେଡିକାଲ କର୍ତ୍ତୃପକ୍ଷଙ୍କୁ ସହ ଆଲୋଚନା କରିଥିଲେ। ଏହା ସହ ଏହି ଘଟଣାକୁ ନିନ୍ଦା କରିବା ସହ ମନ୍ଦିର ପରିସରରେ ଡେପୁଟି କମିଶନରଙ୍କ ସମ୍ମୁଖରେ ପୂଜକ ମାନଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ପୁଲିସ ପକ୍ଷରୁ ଉପଯୁକ୍ତ ତଦନ୍ତ କରାଯାଇ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ମତପୋଷଣ କରିଛନ୍ତି। ଏହି ଘଟଣାରେ ହରଡଙ୍ଗ ଗ୍ରାମର ଡି ଡିଲେୟା ରେଡ୍ଡୀଙ୍କ ପକ୍ଷରୁ ମଧ୍ୟ ଏକ ଅଭିଯୋଗ ପୂଜାରୀ ମାନଙ୍କ ନାମରେ ଦେବା ସହ ସନ୍ତୋଷ ରଣା ଓ ଅନ୍ୟ ୧୫ ଜଣ ସେଠାରେ ଉପସ୍ଥିତ ଥିବା ସେମାନଙ୍କ କିଛି ମହିଳାଙ୍କୁ ଟଣା ଓଟରା କରିବା ସହ ମାଡ଼ ମାରିଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୩୧୫/୨୪ ରେ ଏକ ମାମଲା ରୁଜୁ କରିଛି। ଏହି ଘଟଣା ପରେ ହରଡଙ୍ଗ ଓ ମନ୍ତ୍ରିଡି ଗ୍ରାମରେ ଚାପା ଉତ୍ତେଜନା ଦେଖା ଦେଇଥିବା ବେଳେ ପ୍ରଶାସନ ଓ ପୁଲିସ ପକ୍ଷରୁ ଘଟଣା ନେଇ ହସ୍ତକ୍ଷେପ କରାଯାଇ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ବିବାଦର ସମାଧାନ କରିବାକୁ ମନ୍ତ୍ରୀଡି ସରପଞ୍ଚ ପ୍ରଶାନ୍ତ ଦାସ କହିଛନ୍ତି।

 

Comments are closed.