ଦୁର୍ନୀତିର ମୂଳୋତ୍ପାଟନ ପାଇଁ ଛାତ୍ରୀ ସମାଜ ଦେଶବ୍ୟାପୀ ଜନଜାଗରଣ ସୃଷ୍ଟି କରିବା ଦରକାର
ମହିଳା ସ୍ନାତକ କଲେଜରେ ଦୁର୍ନୀତି ନିବାରଣ ସଚେତନତା
ଆଠଗଡ: ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ସ୍ନାତକ କଲେଜରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ପୌରୋହିତ୍ୟ କରି କଲେଜ ଅଧ୍ୟକ୍ଷା ସଂଗୀତା ମହାପାତ୍ର ଦୁର୍ନୀତି ଓ ଭ୍ରଷ୍ଟାଚାର ଦେଶ ବିକାଶରେ ଅନ୍ତରାୟ ସାଜୁଛି ବୋଲି ମତପ୍ରକାଶ କରିଥିଲେ । ଆଜିର ଯୁବ-ଛାତ୍ର ସମାଜ ବିଭିନ୍ନ କ୍ଷେତ୍ରରେ ଚାଲିଆସିବା ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବା ସହ ଭ୍ରଷ୍ଟାଚାର ଓ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ପ୍ରତିଜ୍ଞାବଦ୍ଧ ହେବା ଆବଶ୍ୟକ ବୋଲି ଅଧ୍ୟକ୍ଷା ମତପୋଷଣ କରିଥିଲେ ।
ଅଧ୍ୟାପିକା ବବିତା ସାହୁ ଓ ଅଧ୍ୟାପିକା ଟ୍ଵିଙ୍କିଲ ମିଶ୍ର ଦୁର୍ନୀତି, ଭ୍ରଷ୍ଟାଚାର ନୁହେଁ ବରଂ ସାଧୁତା ଓ ସତ୍ଯନିଷ୍ଠର ସଂସ୍କୃତି ଦ୍ବାରା ରାଷ୍ଟ୍ର ସମୃଦ୍ଧ ହୋଇଥାଏ ବୋଲି ପ୍ରକାଶ କରିଥିଲେ । ଦୁର୍ନୀତିର ମୂଳୋତ୍ପାଟନ ପାଇଁ ଛାତ୍ରୀ ସମାଜ ଦେଶବ୍ୟାପୀ ଜନଜାଗରଣ ସୃଷ୍ଟି କରିବା ଦରକାର ବୋଲି ସେମାନେ ମତପ୍ରକାଶ କରିଥିଲେ । ଅଧ୍ୟାପିକା ସୂର୍ଯ୍ୟକାନ୍ତି ମହାପାତ୍ର ଦୁର୍ନୀତି ବିରୋଧରେ ଲଢିବା ଓ ସବୁ କ୍ଷେତ୍ରରେ ସାଧୁତା ଅବଲମ୍ବନ ପାଇଁ ସମସ୍ତ ଛାତ୍ରୀ, ଅଧ୍ୟାପିକା ଓ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ । ଶେଷରେ ଅଧ୍ୟାପିକା ସରିତା ଆଚାର୍ଯ୍ଯ ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.