ଆଠଗଡ: ଭାରତ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଅନୁଯାୟୀ ଆଠଗଡରେ ଏକ ବ୍ଲକସ୍ତରୀୟ ବିଜ୍ଞାନ କୁଇଜ ପ୍ରତିଯୋଗିତା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଆଠଗଡର ସର୍ବପୁରାତନ ବିଶ୍ଵନାଥ ବିଦ୍ୟାପୀଠରେ ୩ଟି ପର୍ଯ୍ୟାୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ୧ମ ରୁ ୫ମ ଶ୍ରେଣୀ ସର୍ବକନିଷ୍ଠ ବର୍ଗରେ ପ୍ରତ୍ୟେକ ବିଦ୍ୟାଳୟରୁ ଜଣେ ଲେଖାଏଁ, ୬ଷ୍ଠ ରୁ ୮ମ କନିଷ୍ଠ ବର୍ଗରେ ପ୍ରତି ବିଦ୍ୟାଳୟରୁ ଜଣେ କରି ଏବଂ ୯ମ ଓ ୧୦ମ ବରିଷ୍ଠ ବର୍ଗରେ ପ୍ରତ୍ୟେକ ବିଦ୍ୟାଳୟରୁ ୪ଜଣ ଲେଖାଁଏ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ ।
ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ଯଅତିଥି ଭାବେ ଯୋଗଦେଇ ବିଶ୍ବ ତଥା ଦେଶର ବିକାଶରେ ବିଜ୍ଞାନର ଅବଦାନ ଅନସ୍ୱିକାର୍ଯ୍ୟ ଏବଂ ବିଜ୍ଞାନ ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢାଇବାରେ ଏହିପରି ପ୍ରତିଯୋଗିତା ସହାୟକ ହେବ ବୋଲି ମତପୋଷଣ କରିଥିଲେ । ବିଇଓ ଶ୍ରୀମତି ସାମଲ ପ୍ରତିଯୋଗିତାକୁ ଉଦଘାଟନ କରିବା ସହ ଉଦଯାପନୀ ଉତ୍ସବରେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।
ବିଶ୍ଵନାଥ ବିଦ୍ୟାପୀଠ ବିଜ୍ଞାନ ଶିକ୍ଷୟିତ୍ରୀ ସରିତା ମିଶ୍ରଙ୍କ ସରିଚାଳନାରେ ଓ ବିଜ୍ଞାନ ଶିକ୍ଷକ କାଶୀନାଥ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସହକାରୀ ବ୍ଲକ ଶିକ୍ଷାଧିକାରୀ ରଞ୍ଜିତ କୁମାର ମହାନ୍ତି, ଶିକ୍ଷାବିତ ତ୍ରିଲୋଚନ ଦାଶ, ନରେନ୍ଦ୍ର କୁମାର ଜେନା ଓ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରମେଶ କୁମାର ସ୍ବାଇଁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ ଏବଂ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।
Comments are closed.