ଆଠଗଡ: କୃଷି କ୍ଷେତ୍ରରେ କୃଷକ ସାଥୀଙ୍କ ଭୂମିକା ଶୀର୍ଷକ ଏକ ଆଲୋଚନାଚକ୍ର ଶୁକ୍ରବାର ସ୍ଥାନୀୟ ସୂର୍ଯ୍ୟଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଆଠଗଡ ବ୍ଲକ କୃଷି ସୂଚନା ପରାମର୍ଶ କେନ୍ଦ୍ର ଅଧ୍ୟକ୍ଷ ରବିନ୍ଦ୍ର ନାଥ ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ଓଡିଶାର ଅର୍ଥନୀତି, କୃଷି ଉପରେ ନିର୍ଭରଶୀଳ ଏବଂ କୃଷି କ୍ଷେତ୍ରରେ ନୂତନ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି କୃଷକମାନେ କିପରି ଅଧିକ ଉତ୍ପାଦନ କରିପାରିବେ ସେ ଦିଗରେ କୃଷକ ସାଥୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତପ୍ରକାଶ କରିଥିଲେ। ରାଜ୍ୟ ସରକାର କୃଷି ଓ କୃଷି ଉତ୍ପାଦନ ବୃଦ୍ଧି ପାଇଁ ଏବଂ କୃଷକମାନଙ୍କ ଆର୍ôଥକ ବିକାଶ ପାଇଁ ବହୁ ଯୋଜନା ପ୍ରଣୟନ କରିଛନ୍ତି।
ସେ ସବୁ ଯୋଜନାର ସୁଫଳ ଚାଷୀମାନେ କିପରି ପାଇପାରିବେ ସେ ଦିଗରେ କୃଷକ ସାଥୀମାନେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ତେବେ କୃଷକ ସାଥୀମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା। ବିଶେଷକରି କୃଷକ ସାଥୀଙ୍କୁ କୃଷି କର୍ମଚାରୀ ମାନ୍ୟତା ପ୍ରଦାନ, କୃଷକ ସାଥୀଙ୍କୁ କୁଶଳୀ ଶ୍ରମିକ ହାରରେ ଦରମା ପ୍ରଦାନ, ଭଲ କାମ କରୁଥିବା କୃଷକ ସାଥୀଙ୍କୁ ପଦୋନ୍ନତି ଦେବା, ସେମାନଙ୍କ ପାଇଁ ଡ୍ରେସ୍କୋର୍ଡ, ପରିଚୟପତ୍ର, ଇପିଏଫ୍ ଓ ଇଏସଆଇ ସୁବିଧା ପ୍ରଦାନ କରିବା ଉପରେ ରାଜ୍ୟସରକାର ବିଚାର କରିବା ପାଇଁ କୃଷକସାଥୀମାନେ ନିବେଦନ କରିଥିଲେ। ସେହିପରି କୃଷି ବିଭାଗ ପକ୍ଷରୁ ଆସୁଥିବା ସମସ୍ତ ଯୋଜନା ପଞ୍ଚାୟତ ମାଧ୍ୟମରେ କୃଷକ ସାଥୀଙ୍କ ଜରିଆରେ କରାଯାଉ ବୋଲି ପ୍ରସ୍ତାବ ଦିଆଯାଇଥିଲା। ଏହି ଅବସରରେ ତିଗିରିଆରେ ବଳରାମ ଯୋଜନାରେ ଅଧିକ ଗୋଷ୍ଠୀ ଗଠନ କରିଥିବା ୫ଜଣ କୃଷକ ସାଥୀଙ୍କୁ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ତିଗିରିଆ ବ୍ଲକ କୃଷି ଅଧିକାରୀ ସନାତନ ବେହେରା, ଆଠଗଡ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଅନ୍ତର୍ଯ୍ୟାମୀ ବାରିକ, ତିଗିରିଆ ଆତ୍ମା ଅଧ୍ୟକ୍ଷ ହରେନ୍ଦ୍ର ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ। କୃଷକ ନେତା ନିରାକାର ଲେଙ୍କା କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।



