ଆଠଗଡ଼: ଆଠଗଡ଼ର ଅଗ୍ରଣୀ କ୍ରୀଡା ଅନୁଷ୍ଠାନ ଷ୍ଟାର କ୍ରିକେଟ କ୍ଲବ ଆନୁକୂଲ୍ୟରେ ମୁଖ୍ୟ କ୍ରୀଡାଙ୍ଗନରେ ଚାଲିଥିବା ୩ୟ ନଳିନୀ ପ୍ରଭା ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୨ୟ ସେମିଫାଇନାଲରେ ଢେଙ୍କାନାଳ ମାର୍ଥାପୁରର ଜେସି କ୍ରିକେଟ କ୍ଲବ ଓ ଚୌଦ୍ୱାରର ଜ୍ୟାକୋବିନ କ୍ରିକେଟ କ୍ଲବ ପରସ୍ପରକୁ ଭେଟିଥିଲେ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ମାର୍ଥାପୁରର ଜେସି କ୍ଲବ ନିର୍ଦ୍ଧାରିତ ୨୦ଓଭରରେ ୫ୱିକେଟ ହରାଇ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକାନ୍ତ ମଲ୍ଲିକଙ୍କ ଧୂଆଁଧାର ୭୩ରନ୍ ସହାୟତାରେ ୨୪୮ରନ୍ ସଂଗ୍ରହ କରିଥିଲା। ୨୪୯ରନ୍ ବିଜୟଲକ୍ଷ୍ୟର ପିଛାକରି ଜ୍ୟାକୋବିନ୍ କ୍ଲବ ନିର୍ଦ୍ଧାରିତ ୨୦ଓଭରରେ ୭ୱିକେଟ ହରାଇ ୨୪୪ରନ୍ ସଂଗ୍ରହ କରିବା ଫଳରେ ବିଜୟଲକ୍ଷ୍ୟରୁ ୪ରନ୍ ପଛରେ ରହି ପରାଜୟ ବରଣ କରିଥିଲା। ମାର୍ଥାପୁର ଦଳର ସୂର୍ଯ୍ୟକାନ୍ତଙ୍କ ୭୩ରନ୍ ସହ ୨ ୱିକେଟ ଅକ୍ତିଆର କରିଥିବାରୁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା। ମନୋରଞ୍ଜନ ମହାନ୍ତି ଓ ପ୍ରିୟରଞ୍ଜନ ଗୋଚ୍ଛାୟତ ଅମ୍ପାୟାର ଭାବେ ମ୍ୟାଚଟିକୁ ପରିଚାଳନା କରିଥିଲେ।
ଷ୍ଟାର କ୍ଲବର ସଭାପତି ଜ୍ଞାନରଞ୍ଜନ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମ୍ୟାଚରେ ଅତିଥି ଭାବେ ସମାଜସେବୀ ଅଜିତ୍ ନାୟକ, ପ୍ରଣବ କିଶୋର ଜେନା ଓ ସରୋଜ କୁମାର ଭଞ୍ଜ ଯୋଗଦେଇ ଖେଳାଳିଙ୍କ ସହ କରମର୍ଦ୍ଦନ କରି ସେମାନଙ୍କୁ ଉତ୍ସାହିତ କରିଥିଲେ। ପରିଚାଳକ ସନ୍ତୋଷ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ବିପ୍ଲବ ଦାସ, ମହମ୍ମଦ ପ୍ରାଇଜାକ୍, ସତ୍ୟରଞ୍ଜନ ଦାସ, ସନ୍ତୋଷ କୁମାର ମହାପାତ୍ର ଓ ବିବେକାନନ୍ଦ ପ୍ରଧାନଙ୍କ ସମେତ ଷ୍ଟାର କ୍ଲବର ଅନ୍ୟ ସଦସ୍ୟ ଏହି ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ। ଆସନ୍ତାକାଲି ରବିବାର ଆୟୋଜକ ଷ୍ଟାର କ୍ଲବ ଏବଂ ୨ୟ ସେମିଫାଇନାଲର ବିଜୟୀ ଦଳ ମାର୍ଥାପୁର ଜେସି କ୍ଲବ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ସୁତ୍ରରୁ ପ୍ରକାଶ।



