www.samajalive.in
Thursday, December 11, 2025
18.1 C
Bhubaneswar

ଅଟଳଙ୍କ ନୂଆ ଭାରତ

ବର୍ତ୍ତମାନ ସମୟରେ ଆମେ ଏକ ନୂଆ ଭାରତର ଗଠନର ସ୍ବପ୍ନ ଦେଖୁଛୁ। ଏହି ପରିକଳ୍ପନାର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ନୂଆ ଭାରତର ସ୍ବପ୍ନ ଦ୍ବାରା ଅନେକାଂଶରେ ପ୍ରଭାବିତ। ଅଟଳଜୀ ତାଙ୍କ ଶାସନ କାଳ ସମୟରେ ନୂଆ ଭାରତ ଶବ୍ଦଉପରେ ପ୍ରଥମେ ଜୋର ଦେଇଥିଲେ। ତାଙ୍କ କବିତା ‘ଏକ ନୟା ଭାରତ୍‌ ବନାନେ କା ଇରାଦା ମନ୍‌ ମେ ହେ’ ଆଜିବି ହୃଦୟକୁ ରୋମାଞ୍ଚିତ କରେ।
ବାଜପେୟୀଙ୍କ ନୂଆ ଭାରତର ସ୍ବପ୍ନ କୋଟିକୋଟି ଦେଶବାସୀଙ୍କ ସ୍ବପ୍ନ ଉପରେ ଠିଆ ହୋଇଛି। ବାଜପେୟୀଙ୍କ କହିବା ଅନୁସାରେ, ନୂଆ ଭାରତରେ ଦେଶବାସୀଙ୍କ ମନରେ ଏକ ନୂଆ ବିଶ୍ବାସ ଆସିବା ଦରକାର। ସେମାନଙ୍କ ଭିତରେ ଏକ ନୂତନ ଉଲ୍ଲାସ ଏବଂ ଖୁସିର ଚମକ ଦେଖାଯିବା ଦରକାର। ସବୁଧର୍ମ, ସବୁ ଜାତିର ସମ୍ମାନ ନୂଆ ଭାରତର ଧ୍ୟେୟ ହେବାସହ ସମାନତା, ସମ୍ବେଦନଶୀଳତା ଓ ସଂସ୍କୃତିର ଅଭ୍ୟୁଦୟ ହେବା ଆବଶ୍ୟକ। ତାଙ୍କ ଭାଷାରେ ନୂଆ ଭାରତ ଏମିତି ହେବା ଦରକାର ଯେଉଁଠି ସମସ୍ତ ଦେଶବାସୀଙ୍କର ଦେଶକୁ ନେଇ ଗୋଟିଏ ଲକ୍ଷ୍ୟ ଓ ସମର୍ପଣ ଭାବ ରହିବ ଏବଂ ଦେଶପ୍ରତି ସମସ୍ତଙ୍କର ଏକ ନୂଆ ଅଭିମାନ ସୃଷ୍ଟି ହେବ। ନୂଆ ଭାରତରେ ଦାରିଦ୍ର୍ୟ, କୁସଂସ୍କାର ଓ ବିକାଶ-ବିରୋଧୀ ମାନସିକତାର କୌଣସି ସ୍ଥାନ ନାହିଁ। ଦେଶର ପ୍ରତ୍ୟେକ ନାଗରିକ ଦେଶର ବିକାଶ ଓ ପ୍ରଗତିରେ ଯୋଗଦାନ ଦେବା ସହିତ ନିଜନିଜ ସ୍ତରରେ ଦେଶର ସୁରକ୍ଷା ପାଇଁ ଯତ୍ନବାନ ହେବା ଜରୁରୀ। ଅଟଳଜୀଙ୍କର ନୂଆ ଭାରତରେ ରାଷ୍ଟ୍ରପ୍ରେମ, ଜନସଂକଳ୍ପ, ସକାରାତ୍ମକ ଜନଚେତନା, ରାଜନୈତିକ ଇଚ୍ଛାଶକ୍ତି ଓ ନିରନ୍ତର ବିକାଶର ଚିନ୍ତାଧାରା ସ୍ପଷ୍ଟ ପ୍ରତୀୟମାନ ହୁଏ।
ପ୍ରତିବର୍ଷ ଅଟଳଜୀଙ୍କ ଜନ୍ମଦିବସକୁ ଜାତୀୟ ସୁଶାସନ ଦିବସ ଭାବରେ ପାଳନ କରାଯାଉଛି। ତେବେ ସୁଶାସନ କ’ଣ? ଅଟଳଜୀଙ୍କର ରାଜଧର୍ମ କଥା ମନେ ପକାନ୍ତୁ। ରାଜଧର୍ମର ଉଲ୍ଲେଖ କରି ସେ ଏକଦା କହିଥିଲେ ଯେ ରାଜାର ଖୁସି ତା’ର ପ୍ରଜାର ଖୁସିରେ ନିହିତ ଥାଏ। ରାଜା ଆଖି କେବେ ପ୍ରଜାପ୍ରଜା ମଧ୍ୟରେ ଭେଦଭାବ କିମ୍ବା ପାତରଅନ୍ତର କରିପାରେ ନାହିଁ। ରାଜା ପାଇଁ ସବୁ ପ୍ରଜା ସମାନ, ସମସ୍ତଙ୍କର ସୁଖ ଓ ସମୃଦ୍ଧି ରାଜାର ପରମ କର୍ତ୍ତବ୍ୟ। ଏକଦା ସଂସଦରେ ସେ କହିଥିଲେ ଯେ ସତ୍ତାର ଖେଳ ତ ଚାଲିଛି, ଏବଂ ଆଗକୁ ବି ଚାଲିବ। ଦଳ ଆସିବ, ଦଳ ଯିବ, କିନ୍ତୁ ଏ ଦେଶ ରହିବା ଦରକାର ଏବଂ ଏ ଦେଶର ଲୋକତନ୍ତ୍ର ଅମର ରହିବା ଦରକାର। ସେ ଏକଥା ମଧ୍ୟ କହିଥିଲେ ଯେ ‘ଯଦି ସତ୍ତା ଅସତ୍‌ ଉପାୟରେ ମିଳେ, ତେବେ ସେ ସତ୍ତାକୁ ମୁଁ ଚିମୁଟାରେ ମଧ୍ୟ ଛୁଇଁବାକୁ ପସନ୍ଦ କରିବି ନାହିଁ। ସୁଶାସନ ପାଇଁ ସୁଚରିତ୍ରର ଆବଶ୍ୟକତା ରହିଛି। ଆଜିର ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ରାଜନୀତିର ଚରିତ୍ର ଯେତେ ସ୍ବଚ୍ଛ ହେବ, ଅଟଳଜୀଙ୍କର ନୂଆଭାରତର ସ୍ବପ୍ନ ସେତେ ଚରିତାର୍ଥ ହେବ। ପ୍ରଣାମ, ଅଟଳ!

ଦେବୀଲାଲ ମିଶ୍ର
ଅଧ୍ୟାପକ: ରେଭେନ୍ସା ବିଶ୍ବବିଦ୍ୟାଳୟ, କଟକ

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories