ଅତାବିରାର ବିଭିନ୍ନ ସ୍ଥାନରେ ଧୁମଧାମରେ ଗଣେଶ ପୂଜା ପାଳିତ
ରେଙ୍ଗାଲିକ୍ୟାମ୍ପ : ପ୍ରତ୍ୟେକ ଶୁଭ ତଥା ମାଙ୍ଗଳିକ କାର୍ୟ୍ୟରେ ଶ୍ରୀ ଗଣେଶଙ୍କୁ ଅଗ୍ରପୂଜ୍ୟ ରୂପେ ପୂଜା କରାଯାଏ। କିନ୍ତୁ ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀକୁ ଗଣେଶ ଚତୁର୍ଥୀ ଭାବରେ ପାଳନ କରାଯାଏ । ପ୍ରତ୍ୟେକ ଅନୁଷ୍ଠାନ ତଥା ଘରେ ମଧ୍ୟ ଶ୍ରୀ ଗଣେଶଙ୍କୁ ପୂଜା କରାଯାଏ। ଗତ ଦୁଇ ବର୍ଷ ଧରି କରୋନର ଆତଙ୍କ ଯୋଗୁଁ ସାମୁହିକ ପୂଜା ପର୍ବାଣୀ ସବୁ ବନ୍ଦ ରହିଥିଲା। ବିଦ୍ୟାଳୟରେ ଛତ୍ର ଛାତ୍ରୀ ମାନେ ସାଧାରଣତଃ ଗଣେଶ ଓ ସରସ୍ଵତୀ ଏହି ଦୁଇ ପୂଜାକୁ ଖୁବ୍ ଆନନ୍ଦର ସହ ପାଳନ କରିଥାନ୍ତି । ସେଥିରୁ ମଧ୍ୟ କରୋନା ବଞ୍ଚିତ କରି ରଖିଥିଲା। କିନ୍ତୁ ଚଳିତ ବର୍ଷ ଏହି ପୂଜା ଅଞ୍ଚଳରେ ବହୁ ଧୁମ୍ ଧାମ ସହ ପାଳନ କରାଯାଉଛି।
ବିଦ୍ୟାଳୟ ଗୁଡିକରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଗଣେଶ ପୂଜାକୁ ଅତ୍ୟନ୍ତ ଉତ୍ସାହ ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ପ୍ରତି ଗଳିକନ୍ଦି ମାନଙ୍କରେ ମଧ୍ୟ ସୁସଜ୍ଜିତ ବଡ ବଡ଼ ପୂଜା ମଣ୍ଡପ ମାନ ତିଆରି କରାଯାଇ ବିଘ୍ନରାଜଙ୍କୁ ପୂଜା କରାଯାଉଛି। ଆକର୍ଷଣୀୟ ରଙ୍ଗୀନ ଆଲୋକ ମାଳରେ ମଣ୍ଡପ ଗୁଡ଼ିକ ଅତ୍ୟନ୍ତ ରମଣୀୟ ହୋଇ ଉଠିଥିଲା। ଅନେକ ସ୍ଥାନରେ ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ୟ୍ୟକ୍ରମ ମଧ୍ୟ ହୋଇଥିଲା। ଅତ୍ୟନ୍ତ ହର୍ଷ ଉଲ୍ଲାସ ସହ ଛୋଟରୁ ବୃଦ୍ଧ ପର୍ଯ୍ୟନ୍ତ ଏଥିରେ ସାମିଲ ହୋଇ ବିଦ୍ୟାଦାତ ସକଳ ବିଘ୍ନ ନାଶକରି ସଂସାରକୁ ମଙ୍ଗଳ ମୟ କରିବା ପାଇଁ ଭକ୍ତି ପୂତ ପ୍ରାର୍ଥନା କରିଥିଲେ । ଏହି ପୂଜାର ଭସାଣି ଉତ୍ସବ ମଧ୍ୟ ଏହି ଅନୁରୂପେ ବଡ ଆଡମ୍ବର ସହକାରେ କରାଯିବ ବୋଲି ଜଣା ପଡିଛି। ବିଦ୍ୟାଳୟ ମାନଙ୍କରେ ତିନିଦିନ ପରେ ଏହି ଭସାଣି କରାଯିବ ଓ ଅନ୍ୟ ମଣ୍ଡପ ଗୁଡ଼ିକ ସାତ ଦିନ ପରେ ଭସାଣି କରାଯିବ ବୋଲି ଜଣାପଡିଛି । ତେବେ ଚଳିତ ବର୍ଷ ଶ୍ରୀ ଗଣେଶଙ୍କ ପୂଜା ଅଞ୍ଚଳରେ ଏକ ପ୍ରକାର ସୁସ୍ଥ ଓ ଉତ୍ସାହ ପୂର୍ଣ୍ଣ ବାତାବରଣ ସୃଷ୍ଟି କରିଛି । ଆଜି ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଁଖାଇର ପରମ୍ପରା ମୁତାବକ ଘରେ ନବାନ୍ନ ଭକ୍ଷଣ ପରେ ସମସ୍ତେ ନୂଆଁଖାଇ ଜୁହାର ପାଇଁ ନିକଟସ୍ଥ ଶ୍ରୀ ଗଣେଶ ପୂଜା ମଣ୍ଡପକୁ ଯାଇଥିଲେ। ଅଞ୍ଚଳରେ ପ୍ରାୟ ୧୭୨ରୁ ଉର୍ଦ୍ଧ୍ବ ପୂଜା ମଣ୍ଡପ କରାଯାଇଥିବା ଜଣାପଡିଛି।
Comments are closed.