ବିରୋଧୀଙ୍କ ପ୍ରସଙ୍ଗ ମାହାଙ୍ଗା, ମହଙ୍ଗା ଓ ମରୁଡି
ଆସନ୍ତାକାଲି ଠାରୁ କୋଭିଡ୍ କଟକଣା ମଧ୍ୟରେ ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ଉଭୟ ବିଜେପି ଓ କଂଗ୍ରେସ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ମାହାଙ୍ଗା ଡବଲ ମର୍ଡରରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ, ଆବଶକୀୟ ସାମଗ୍ରୀର ଦର ବୃଦ୍ଧି ଓ ରାଜ୍ୟରେ ସମ୍ଭାବିତ ମରୁଡି ପ୍ରସଙ୍ଗ ନେଇ ବିରୋଧୀ ଦଳ ସରକାରଙ୍କୁ ଜବାବ ମାଗିବା ନେଇ ଯୋଜନା କରିଥିବା ଜଣାପଡିଛି।
ଅଧିବେଶନ ଆରମ୍ଭ ପୂର୍ବରୁ ସମସ୍ତ ସଦସ୍ୟ, ସେମାନଙ୍କ ଡ୍ରାଇଭର ଓ ବ୍ୟକ୍ତିଗତ କର୍ମଚାରୀଙ୍କ ସମେତ ବିଧାନସଭା କର୍ମଚାରୀ, ଅଧିକାରୀ ଓ ସାମ୍ବାଦିକମାନଙ୍କର ଆରଟିପିସିଆର ଟେଷ୍ଟ କରାଯାଇଛି। ମନ୍ତ୍ରୀ ଓ ବିଧାୟକମାନଙ୍କର କୋଭିଡ୍ ସହ ଆଂଟିବଡି ମଧ୍ୟ ପରୀକ୍ଷା କରାଯାଇଛି। ଅଧିବେଶନ ପାଇଁ ବିଧାନସଭା ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ବିଧାନସଭାରେ ସୁରକ୍ଷା ବ୍ୟବସ୍ଥା ଯାଂଚ କରିଛନ୍ତି।
ଏହି ମୌସୁମୀ ଅଧିବେଶନ ସେପ୍ଟେମ୍ୱର ୧ରୁ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଯେଉଁଥିରେ ପ୍ରଥମାର୍ଦ୍ଧ ଅଧିବେଶନ ପୂର୍ବାହ୍ନ ୧୦.୩୦ ଠାରୁ ଅପରାହ୍ନ ୧.୩୦ ମିନିଟ୍ ଏବଂ ଦ୍ୱିତୀୟାର୍ଦ୍ଧ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ତେବେ ବିଧାନସଭା ଅଧିବେଶନର ପ୍ରଥମ ଦିନ ପ୍ରଥମାର୍ଦ୍ଧ ଅଦିବେଶନ ପୂର୍ବାହ୍ନ ୧୧.୦୦ଟାରୁ ଆରମ୍ଭ ହେବ। ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ୯୦ ମିନିଟ୍ ସମୟ ରଖାଯାଇଛି। ବିଜେପି ବିଧାୟକମାନେ ସପ୍ତାହର ୪ ଦିନ ଏବଂ କଂଗ୍ରେସ ବିଧାୟକମାନେ ମଙ୍ଗଳବାର ଏବଂ ଶନିବାର ଦିନ ମୁଲତବୀ ପ୍ରସ୍ତାବ ଆଗତ କରିପାରିବେ।



