www.samajalive.in
Saturday, December 13, 2025
14.1 C
Bhubaneswar

ଆଜିଠାରୁ ବିଧାନସଭା : ୨୮ରେ ବଜେଟ

ଭୁବନେଶ୍ବର : ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେବ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରୁ ଆରମ୍ଭ ହେବାକୁ ଯାଉଥିବା ଚଳିତ ଅଧିବେଶନରେ ରହିଛି ୩୦ଟି କାର୍ଯ୍ୟ ଦିବସ। ଆସନ୍ତା ୨୮ରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଏହା ପୂର୍ବରୁ ୨୭ତାରିଖରେ ଅନୁଷ୍ଠିତ ହେବ ଉପବାଚସ୍ପତି ନିର୍ବାଚନ।
ପ୍ରଥମ କାର୍ଯ୍ୟଦିବସରେ ରାଜ୍ୟପାଳ ଅଭିଭାଷଣ ରଖିବାପରେ ୨୬ରେ ଉପବାଚସ୍ପତି ନିର୍ବାଚନ ପାଇଁ ତାରିଖ ଘୋଷଣା ସହିତ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ। ଜୁଲାଇ ୧ ଓ ୨ରେ ବଜେଟ ଉପରେ ସାଧାରଣ ଆଲୋଚନା ହେବ। ୩ରୁ ୧୧ ପର୍ଯ୍ୟନ୍ତ ବିଧାନସଭା ଛୁଟି ରହିବା ସହିତ ୧୨ରେ ବିଭିନ୍ନ ବିଭାଗ ପାଇଁ ବିଧାନସଭା ସ୍ଥାୟୀ କମିଟି ରିପୋର୍ଟ ଉପସ୍ଥାପନ କରାଯିବ। ଜୁଲାଇ ୧୫ରୁ ୩୦ ମଧ୍ୟରେ ୧୪ଟି କାର୍ଯ୍ୟଦିବସରେ ନିୟମିତ କାର୍ଯ୍ୟକ୍ରମ ସହିତ ବିଭିନ୍ନ ବିଭାଗ ପାଇଁ ବଜେଟରେ ଧାର୍ଯ୍ୟ ଖର୍ଚ୍ଚ ଅନୁଦାନ ଉପରେ ଆଲୋଚନା କରାଯିବ। ଜୁଲାଇ ୩୧ରେ ବ୍ୟୟମଞ୍ଜୁରୀ ବିଲ୍‌ ବିଧାନସଭାରେ ଗୃହୀତ ହେବ। ଅଧିବେଶନ କାଳରେ ଘରୋଇ ସଦସ୍ୟଙ୍କ ପାଇଁ ୩ଟି କାର୍ଯ୍ୟଦିବସ ରହିଛି। ଅଗଷ୍ଟ ୮ ପର୍ଯ୍ୟନ୍ତ ବିଧାନସଭା ଅଧିବେଶନ ଚାଲିବ। ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିବା ୧୪୫ ସଦସ୍ୟଙ୍କ ମଧ୍ୟରୁ ଏବେ ବିଜେଡ଼ି ବିଧାୟକଙ୍କ ସଂଖ୍ୟା ସର୍ବାଧିକ ୧୧୧ ଥବାବେଳେ ବିଜେପି ବିଧାୟକଙ୍କ ସଂଖ୍ୟା ୨୩ ଓ କଂଗ୍ରେସର ୯ରେ ସୀମିତ ରହିଛି। ବିରୋଧୀ ଦଳ ଆସନ ବିଜେପି ହାତକୁ ଚାଲିଯାଇଛି।
ଅନ୍ୟପକ୍ଷରେ କଂଗ୍ରେସ ତା’ର ବିଧାୟକ ଦଳ ନେତା ମନୋନୀତ କରିଛି। ଦଳର ୯ଜଣ ବିଧାୟକ ଥିବାବେଳେ ବିଧାୟକ ଦଳ ନେତା ଭାବେ ନରସିଂହ ମିଶ୍ର ମନୋନୀତ ହୋଇଛନ୍ତି। ସୂଚନା ଅନୁସାରେ ନରସିଂହଙ୍କୁ ବିଧାୟକ ଦଳ ନେତା, ସନ୍ତୋଷ ସିଂ ସାଲୁଜାଙ୍କୁ ଉପନେତା, ତାରାପ୍ରସାଦ ବାହିନୀପତିଙ୍କୁ ମୁଖ୍ୟ ସଚେତକ ଓ ମହମ୍ମଦ ମୋକିମଙ୍କୁ ସଚିବ ଭାବେ ମନୋନୀତ କରାଯାଇଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି।

ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନର ଅବ୍ୟବହିତ ପୂର୍ବରୁ ସୋମବାର ଅପରାହ୍ଣରେ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ରାଜଭବନ ଯାଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି

ପଞ୍ଚଦଶ ତୁଳନାରେ ଷୋଡ଼ଶ ବିଧାନସଭାରେ ବିରୋଧୀ ସଭ୍ୟଙ୍କ ସଂଖ୍ୟା ଅଧିକ ଥିବାରୁ ଏଥର ଅଧିବେଶନ ବେଶ ସରଗରମ ହେବାର ସମ୍ଭାବନା ରହିଛି। ଗୃହକୁ ଏଥର ମଧ୍ୟ ବହୁ ଅନୁଭବୀ ଓ ଅଭିଜ୍ଞ ନେତା ନିର୍ବାଚିତ ହୋଇଛନ୍ତି। ତେଣୁ ବିରୋଧୀ ଦଳ ବିଜେପି ସହିତ କଂଗ୍ରେସ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ନୂଆ ସରକାରଙ୍କୁ ବିଧାନସଭାରେ ଅଡ଼ୁଆ ପରିସ୍ଥିତିରେ ପକାଇବାକୁ ଉଦ୍ୟମ କରିବେ। ଏଥର ମନ୍ତ୍ରିମଣ୍ଡଳରେ ଅନେକ ପୁରୁଣା ମୁହଁ ମନ୍ତ୍ରୀ ପଦରୁ ବାଦ ପଡ଼ିଥିବାବେଳେ ୧୦ ନୂଆ ଚେହେରା ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମ ଥର ନିର୍ବାଚିତ ୪ ବିଧାୟକ ମନ୍ତ୍ରୀ ହୋଇଛନ୍ତି। ଏହାଛଡ଼ା ବିଧାନସଭାକୁ ପ୍ରାୟ ୬୦ ନୂଆ ବିଧାୟକ ଭାବେ ନିବାଚିତ ହୋଇଛନ୍ତି।
ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ଘୋଷଣା ପରେ କଂଗ୍ରେସ ଏବେ ବିଜେଡି ଓ ବିଜେପି ଭିତରେ ଭିତିରି ସମ୍ପର୍କ ଥିବା କହି ସମାଲୋଚନା କରୁଛି। ବଜେଟ ଅଧିବେଶନ କାଳରେ ହିଁ ଶାସକ ଓ ବିରୋଧୀ ଦଳ କେଉଁ ଭୂମିକାରେ ରହିବେ ତାହା ସ୍ପଷ୍ଟ ହୋଇଯିବ।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories