ଭୁବନେଶ୍ୱର: ମାର୍ଚ୍ଚ ୨୦ ତାରିଖରେ ଆରମ୍ଭ ହୋଇଥିବା ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଘୋଷିତ ଅବଧିର ଚାରି ଦିନ ପୂର୍ବରୁ ସମାପ୍ତ ହୋଇଛି। ଦୁଇଟି ପର୍ଯ୍ୟାୟରେ ହୋଇଥିବା ଏହି ଅଧିବେଶନରେ ୨୬ଟି କାର୍ଯ୍ୟଦିବସରେ ୮ଟି ବିଲ୍ ପାରିତ ହୋଇଛି। ଶେଷଦିନ ମଙ୍ଗଳବାର ଦିନ ୫ଟି ବିଲ୍ ପାରିତ ହୋଇଛି। ସେଥିମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଥିଲା ଓଡ଼ିଶା ଭାଷା ଆଇନ୍(ସଂ) ବିଲ୍ ୨୦୧୮ ଓ ଭତ୍ତା ବୃଦ୍ଧି ବିଲ୍। ଏହି ଦୁଇଟିଯାକ ବହୁମତରେ ପାରିତ ହୋଇଛି। ଓଡ଼ିଶା ଭାଷା ଆଇନ୍ ବିଲ୍ ପାରିତ ହେବା ପରେ ନାମଫଳକ ଓ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ବାଧ୍ୟତାମୂଳକ ହୋଇଛି। ଏଣିକି ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମ ଫଳକ ନ ଲେଖିଲେ ପ୍ରଥମ ଦଣ୍ଡବିଧାନ ସ୍ୱରୂପ ସର୍ବନିମ୍ନ ୧ ହଜାର ଟଙ୍କାରୁ ଆରମ୍ଭ କରି ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗୁ କରାଯିବ। ଦ୍ୱିତୀୟ ଥର ଆଇନ୍ ଉଲ୍ଲଂଘନ କଲେ ସର୍ବନିମ୍ନ ୨ ହଜାର ଟଙ୍କା ଓ ସର୍ବାଧିକ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ। ଏହି କଟକଣା ଲାଗୁ କରିବା ପାଇଁ ଓଡ଼ିଶା ଦୋକାନଗୃହ ଓ ବ୍ୟବସାୟିକ ପ୍ରତିଷ୍ଠାନ(ସଂ) ବିଲ୍ ୨୦୧୮ ପାରିତ ହୋଇଛି। ସେହିପରି ଓଡ଼ିଶା ସରକାରୀ ଭାଷା(ସଂ) ବିଲ୍ ୨୦୧୮ ମଧ୍ୟ ପାରିତ ହୋଇଛି। ସରକାରୀ କାମରେ ଓଡ଼ିଆ ଭାଷା ବ୍ୟବହାର ନ କଲେ ଅଧିକାରୀ ଓ କର୍ମଚାରୀଙ୍କୁ ଦଣ୍ଡବିଧାନ କରାଯିବ ଏବଂ ଯେଉଁମାନେ ସରକାରୀ କାର୍ଯ୍ୟରେ ଅଧିକରୁ ଅଧିକ ଓଡ଼ିଆ ଭାଷା ବ୍ୟବହାର କରିବେ ସେମାନଙ୍କୁ ପୁରସ୍କୃତ କରାଯିବା ପାଇଁ ବିଲ୍ରେ ବ୍ୟବସ୍ଥା ରହିଛି। ଭତ୍ତା ବୃଦ୍ଧି ବିଲ୍ ପାରିତ ହେବା ପରେ ବାଚସ୍ପତି, ଉପବାଚସ୍ପତି ଓ ମନ୍ତ୍ରୀଙ୍କ ଦୈନିକ ଭତ୍ତା ୧୫୦ ଟଙ୍କାରୁ ୮୦୦ ଟଙ୍କାକୁ ବୃଦ୍ଧି ପାଇଛି।



