www.samajalive.in
Sunday, December 14, 2025
26.1 C
Bhubaneswar

ଅଷ୍ଟାଦଶ ଏସୀୟ କ୍ରୀଡ଼ା ଉଦଘାଟିତ

ଜାକର୍ତ୍ତା : ସମସ୍ତ ପ୍ରତୀକ୍ଷାର ଅନ୍ତଃ ଘଟାଇ ଆରମ୍ଭ ହୋଇଛି  ଅଷ୍ଟାଦଶ ଏସୀୟ କ୍ରୀଡ଼ା । ଜାକର୍ତ୍ତାର ଗେଲୋରା ବୁଙ୍ଗ୍‍ କାର୍ନୋ ଷ୍ଟାଡିୟମରେ ଆୟୋଜିତ ଏହି ଉତ୍ସବରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋ ମୁଖ୍ୟଅତିଥିଭାବେ ଯୋଗଦେଇଥିଲେ। ପ୍ରାରମ୍ଭରେ ରାଷ୍ଟ୍ରପତି ଏକ ବାଇକ୍‍ ଚଳାଇ ଷ୍ଟାଡିୟମକୁ ପ୍ରବେଶ କରିଥିଲେ। ଅଂଶଗ୍ରହଣକାରୀ ୪୯ଟି ଦେଶର କ୍ରୀଡାବିତ୍‍ ମାର୍ଚ୍ଚପାଷ୍ଟରେ ଭାଗ ନେଇଥିଲେ। ଆଫଗାନିସ୍ତାନ ପ୍ରଥମ ଦଳ ଭାବେ ଷ୍ଟାଡିୟମକୁ ପ୍ରବେଶ କରିଥିବାବେଳେ ତା’ପଛକୁ ବାହାରିନ ଓ ବାଂଲାଦେଶ ଦଳ ରହିଥିଲା। ଭାରତ ପକ୍ଷରୁ ଜାଭେଲିନ ଥ୍ରୋ ସ୍ପେଶାଲିଷ୍ଟ ନୀରଜ ଚୋପ୍ରା ଜାତୀୟ ପତାକା ଧରିଥିଲେ। ଆୟୋଜକ ରାଷ୍ଟ୍ରଭାବେ ଇଣ୍ଡୋନେସିଆ କ୍ରୀଡାବିତ୍‍ ସବାଶେଷରେ ଷ୍ଟାଡିୟମକୁ ପ୍ରବେଶ କରିଥିବାବେଳେ ଦର୍ଶକ କରତାଳି ମାଧ୍ୟମରେ ସେମାନଙ୍କୁ ସ୍ୱାଗତ କରିଥିଲେ। ମାର୍ଚ୍ଚପାଷ୍ଟ ଶେଷ ହେବାପରେ ଇଣ୍ଡୋନେସିଆ ଗାୟିକା ଭିୟା ଭାଲେନ ଏସୀୟ କ୍ରୀଡାର ସଙ୍ଗୀତ ‘ମେରିୟା ବିନ୍‍ତାଙ୍ଗ୍‍’ ଗାନ କରିଥିଲେ। ପାସ୍‍କିବ୍ରା ଗ୍ରୁପ୍‍ର କଳାକାରମାନେ ଇଣ୍ଡୋନେସିଆର ଜାତୀୟ ପତାକା ଧରି ପ୍ରବେଶ କରିଥିଲେ। ପତାକା ଉତ୍ତୋଳନ ପରେ ଗାୟକ ଟୁଲୁଜ୍‍ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଏସିଆ ଅଲିମ୍ପିକ କାଉ୍‍ନସିଲ ପତାକା ଉତ୍ତୋଳନ ପରେ ରାଷ୍ଟ୍ରପତି ୱିଡୋଡୋ ଏସୀୟ କ୍ରୀଡାକୁ ଆନୁଷ୍ଠାନିକଭାବେ ଉଦ୍‍ଘାଟନ କରିଥିଲେ।

ଜାକର୍ତ୍ତା ଓ ପାଲେମ୍‍ବାଙ୍ଗ୍‍ ସହରରେ ଏହି କ୍ରୀଡ଼ା ପ୍ରତିଯୋଗିତା ସେପ୍ଟେମ୍ବର ୨ ପର୍ୟ୍ୟନ୍ତ ଚାଲିବ । ୪୫ଟି ଦେଶରୁ ପ୍ରାୟ ୧୧ ହଜାର କ୍ରୀଡ଼ାବିତ୍‍ ଏଥିରେ ଭାଗନେଇଛନ୍ତି । କିଛି କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇ ଯାଇଥିବା ବେଳେ ଶନିବାର ସନ୍ଧ୍ୟାରେ ଉଦ୍‍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଛି । ରବିବାରରୁ ଅନ୍ୟାନ୍ୟ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେବ । ପ୍ରତିଯୋଗିତାର ମାନ ଓ ପ୍ରତିଯୋଗୀଙ୍କ ସଂଖ୍ୟାକୁ ଦେଖିଲେ ଅଲିମ୍ପିକ୍‍ସ ପରେ ଏସୀୟ କ୍ରୀଡ଼ା ବିଶ୍ୱର ୨ୟ ସର୍ବବୃହତ୍‍ କ୍ରୀଡ଼ା ପ୍ରତିଯୋଗିତା। ୨୦୧୮ ଏସୀୟ କ୍ରୀଡ଼ା ପ୍ରତିଯୋଗିତା ଜାକର୍ତ୍ତା ଓ ସୁମାତ୍ରା ପ୍ରଦେଶର ପାଲେମ୍‍ବାଙ୍ଗ୍‍ର ମୋଟ ୧୫ଟି ଷ୍ଟାଡିୟମ୍‍ରେ ଅନୁଷ୍ଠିତ ହେବ।
ଏସିଆର କ୍ରୀଡ଼ା ସୁପରପାୱର ଚୀନ୍‍ ଗତ ଥର ପରି ଏଥର ମଧ୍ୟ ପଦକ ତାଲିକାର ଶୀର୍ଷରେ ରହିବ ବୋଲି ଆଶା କରାଯାଉଛି । ୨୦୧୪ ଇଞ୍ଚିଅନ୍‍ ଏସୀୟ କ୍ରୀଡ଼ାରେ ଚୀନ୍‍ ୧୫୧ଟି ସ୍ୱର୍ଣ୍ଣ ସହ ୩୪୫ଟି ପଦକ ଜିତି ଶୀର୍ଷରେ ରହିଥିଲା। ୨ୟ ସ୍ଥାନ ପାଇଁ କୋରିଆ ଓ ଜାପାନ ମଧ୍ୟରେ ମୁକାବିଲା ହେବ। ତେବେ ଗତ ଥର ଅପେକ୍ଷା ଏଥର ଭାରତ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ଗତଥର ଭାରତ ୧୧ଟି ସ୍ୱର୍ଣ୍ଣ ସହ ମୋଟ ୫୭ଟି ପଦକ ଜିତି ୮ମ ସ୍ଥାନରେ ରହିଥିଲା। ଏଥର ଭାରତ ନିଶ୍ଚୟ ଉନ୍ନତି କରିବ ବୋଲି ଆମ କ୍ରୀଡ଼ାପ୍ରେମୀ ଆଶା କରିଛନ୍ତି। ଏଥର ଭାରତ ଅତିକମ୍‍ରେ ୧୬ଟି ସ୍ୱର୍ଣ୍ଣପଦକ ଜିତିବାକୁ ଆଶାରଖିଛି। ଏହି କ୍ରୀଡ଼ାରେ ଇଣ୍ଡୋନେସିଆର ସର୍ବାଧିକ ୯୫୧ ଜଣ ପ୍ରତିଯୋଗୀ ରହିଛନ୍ତି। ଚୀନ୍‍ ଏଥର ୮୭୯ ଜଣିଆ ଦଳ ପଠାଇଛି। ୮୧୬ ଜଣିଆ ଦଳ ସହ ଥାଇଲାଣ୍ଡ ୩ୟ ସ୍ଥାନରେ ଅଛି । ୭୮୪ ପ୍ରତିଯୋଗୀଙ୍କ ସହ ଜାପାନ ୪ର୍ଥ ସ୍ଥାନରେ ଥିବା ବେଳେ ୫ମ ସ୍ଥାନରେ ଥିବା ଭାରତର ୫୭୧ ଜଣିଆ ଦଳ ଭାଗନେବ। ପ୍ରଥମଥର ଦକ୍ଷିଣ ଓ ଉତ୍ତର କୋରିଆ ମିଳିତ ଭାବେ ୧୧ ଜଣ କ୍ରୀଡ଼ାବିତ୍‍ଙ୍କୁ ପଠାଇଛନ୍ତି। ସେମାନେ ‘କୋରିଆ’ ନାମରେ ଏହି କ୍ରୀଡ଼ାରେ ଭାଗନେବେ।

- Advertisement -

ଗୋଲ୍‍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ୨୬ଟି ସ୍ୱର୍ଣ୍ଣ ସହ ମୋଟ ୬୬ଟି ପଦକ ଜିତିବା ଏଥର ଏସୀୟ କ୍ରୀଡ଼ା ପାଇଁ ଭାରତୀୟଙ୍କୁ ଉତ୍ସାହିତ କରିଛି । ୨ଟି ଅଲିମ୍ପିକ୍‍ ପଦକ ବିଜେତା ସୁଶୀଲ କୁମାରଙ୍କ ସହ ୧୬ ବର୍ଷ ବୟସ୍କା ମାନୁ ଭାକେରଙ୍କଠାରୁ ଭାରତ ସ୍ୱର୍ଣ୍ଣପଦକର ଆଶାରଖିଛି । ପୁଣି ୨୦ ବର୍ଷରୁ କମ୍‍ ବିଶ୍ୱ ଚମ୍ପିଆନ୍‍ସିପ୍‍ରେ ସ୍ୱର୍ଣ୍ଣପଦକ ଜିତିଥିବା ସ୍ପ୍ରିଣ୍ଟର ହିମା ଦାସ ଓ ଜୁନିୟର ବିଶ୍ୱ ଚମ୍ପିଆନ୍‍ ନୀରଜ ଚୋପ୍ରା ସ୍ୱର୍ଣ୍ଣପଦକ ପାଇଁ ବଡ଼ ଦାବିଦାର। ତେବେ ସୁଟିଂ, ବକ୍ସିଂ ଓ କୁସ୍ତିରେ ଭାରତ ସର୍ବାଧିକ ଜିତିବାର ଆଶାରହିଛି । ବକ୍ସିଂରେ ବିକାଶ କୃଷ୍ଣନ୍‍, ଶିବ ଥାପ୍ପା ଓ ଗୌରବ ସୋଲାଙ୍କିଙ୍କ ପରି କ୍ରୀଡ଼ାବିତ୍‍ ଥିବା ବେଳେ ସରଜୁବାଳା ଦେବୀ ମଧ୍ୟ ଦେଶକୁ ପଦକ ଦେଇପାରନ୍ତି । ସୁଟିଂରେ ମାନବଜିତ ସାନ୍ଧୁ, ମାନୁ ଭାକେର, ହିନା ସିଦ୍ଧୁଙ୍କ ପରି ପ୍ରଥିତଯଶା କ୍ରୀଡ଼ାବିତ୍‍ ରହିଛନ୍ତି। ଏସୀୟ କ୍ରୀଡ଼ା ଇତିହାସରେ ଦୌଡ଼କୁଦ ଭାରତ ପାଇଁ ସବୁଠାରୁ ସ୍ୱର୍ଣ୍ଣପ୍ରସୂ ପ୍ରମାଣିତ ହୋଇଥିବା ବେଳେ ଏଥର ମଧ୍ୟ ଟ୍ରାକ୍‍ ଏଣ୍ଡ୍‍ ଫିଲ୍‍ଡରୁ ଭାରତ ଅଧିକ ପଦକର ଆଶାରଖିଛି । ଏଥର ଭାରତୀୟ ବ୍ୟାଡ୍‍ମିଣ୍ଟନ ଦଳ ବେଶ୍‍ ଶକ୍ତିଶାଳୀ ଥିବାରୁ ଏକାଧିକ ପଦକ ଜିତିବା ନିଶ୍ଚିତ। ବିଶେଷକରି ପି.ଭି. ସିନ୍ଧୁ, ସାଇନା ନେହୱାଲ, କେ. ଶ୍ରୀକାନ୍ତ ଓ ଏଚ୍‍.ଏସ୍‍. ପ୍ରଣୟ ପଦକ ଜିତିପାରନ୍ତି। ପୁଣି ଭାରତୀୟ ପୁରୁଷ ଓ ମହିଳା ହକି ଦଳ ନିକଟ ଅତୀତରେ ଭଲ ପ୍ରଦର୍ଶନ କରିଥିବାରୁ ଉଭୟ ଦଳଙ୍କଠାରୁ ସ୍ୱର୍ଣ୍ଣର ଆଶା ରଖିଛନ୍ତି ଭାରତୀୟ କ୍ରୀଡ଼ାପ୍ରେମୀ। ଟେବୁଲ ଟେନିସରେ ମାନିକା ବାତ୍ରା ଓ ଏ. ଶରତ କମଲଙ୍କଠାରୁ ଭାରତ ପଦକର ଆଶା ରଖିଛି। ଜିମ୍‍ନାଷ୍ଟିକ୍ସରେ ଦୀପା କର୍ମକାର ପଦକର ବଡ଼ ଦାବିଦାର।

ଏଥର ଏସୀୟ କ୍ରୀଡ଼ାରେ ୧୨ ଜଣ ଓଡ଼ିଆ କ୍ରୀଡ଼ାବିତ୍‍ ଭାଗ ନେଉଛନ୍ତି। ପୁରୁଷ ହକି ଦଳରେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଥିବା ବେଳେ ମହିଳା ହକି ଦଳରେ ଦୀପ୍‍ ଗ୍ରେସ୍‍ ଏକ୍କା, ନମିତା ଟପ୍ପୋ, ସୁନୀତା ଲାକ୍ରା ଓ ଲିଲିମା ମିଞ୍ଜ୍‍ ରହିଛନ୍ତି । ରୋଇଂରେ ସଂଯୁକ୍ତା ଡୁଙ୍ଗ୍‍ଡୁଙ୍ଗ୍‍, ଜିମ୍ନାଷ୍ଟିକ୍‍ସରେ ରାକେଶ ପାତ୍ର, ବ୍ୟାଡ୍‍ମିଣ୍ଟନରେ ଋତୁପର୍ଣ୍ଣା ପଣ୍ଡା ରହିଥିବା ବେଳେ ଆଥ୍‍ଲେଟିକ୍ସରେ ଦୁତି ଚାନ୍ଦ, ପୂର୍ଣ୍ଣିମା ହେମ୍ବ୍ରମ୍‍ ଓ ଜଉନା ମୁର୍ମୁ ରହିଛନ୍ତି। ଦୁତି ପଦକ ଜିତିବା ଲାଗି ପ୍ରବଳ ଦାବିଦାର।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories