ସୂର୍ଯ୍ୟଙ୍କ ବିସ୍ଫୋରକ ବ୍ୟାଟିଂ ; ସୁପର-୪ରେ ଭାରତ
ଦୁବାଇ : ଭାରତ ୨ୟ ଦଳ ଭାବେ ଚଳିତ ଏସିଆ କପ୍ ଟ୍ବେଣ୍ଟି-୨୦ ଟୁର୍ଣ୍ଣାମେଣ୍ଟର ସୁପର-୪ ପର୍ଯ୍ୟାୟରେ ପହଞ୍ଚିଛି । ବୁଧବାର ଗ୍ରୁପ୍ ‘ଏ’ର ଲିଗ୍ ମ୍ୟାଚ୍ରେ ଦୁର୍ବଳ ହଂକଂକୁ ୪୦ ରନ୍ରେ ଭାରତ ପରାସ୍ତ କରିଛି । ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହ ବିରାଟ କୋହଲିଙ୍କ କଳାତ୍ମକ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨ ୱିକେଟରେ ୧୯୨ ରନ୍ କରି ପାରିଥିଲା । ଭାରତୀୟ ବୋଲିଂର ମୁକାବିଲା କରି ୧୯୩ ରନ୍ କରିବା ହଂକଂ ଦଳ ପାଇଁ କାଠିକର ପାଠ ଥିଲା । ବାବର ହୟାତ୍ଙ୍କ ଲଢ଼ୁଆ ଇନିଂସ ସତ୍ତ୍ବେ ହଂକଂ ୫ ୱିକେଟରେ ୧୫୨ ରନ୍ରେ ସୀମିତ ରହିଥିଲା। ପୂର୍ବରୁ ଗ୍ରୁପ୍ ‘ବି’ରେ ୨ଟିଯାକ ମ୍ୟାଚ୍ ଜିତି ଆଫ୍ଗାନିସ୍ତାନ ସୁପର-୪ ଖେଳିବାକୁ ଯୋଗ୍ୟତା ଅର୍ଜନ କରିସାରିଛି।
ଯୋଗ୍ୟତା ପର୍ଯ୍ୟାୟ ଜିତି ମୁଖ୍ୟ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ହଂକଂ ପାଇଁ ୧୯୩ ରନ୍ର ବିଜୟଲକ୍ଷ୍ୟ ଅପହଞ୍ଚ ଲାଗୁଥିଲା। ହଂକଂ ୨ୟ ଓଭରରେ ୱାସିମ୍ ମୁର୍ତାଜା (୯)ଙ୍କ ୱିକେଟ ହରାଇଥିଲା। ଅଧିନାୟକ ନିଜାକତ୍ ଖାଁ ୧୦ ରନ୍କରି ରନ୍ଆଉଟ୍ ହୋଇଥିଲେ। ବାବର ହୟାତ୍ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ହୟାତ୍ ୩୫ ବଲ୍ରୁ ୨ଟି ଛକା ଓ ୩ଟି ଚୌକା ସହ ଦର୍ଶନୀୟ ୪୧ ରନ୍ କରିଥିଲେ। କିଞ୍ଚିତ୍ ଶାହା ମଧ୍ୟ ଭଲ ବ୍ୟାଟିଂକରି ୨୮ ବଲ୍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୩୦ ରନ୍ କରିଥିଲେ। ଐଜାଜ୍ ଖାଁ ୧୪ ରନ୍ କରିଥିଲେ। ଜିସାନ୍ ଅଲୀ ଓ ସ୍କଟ୍ ମ୍ୟାକ୍କେଚ୍ନି ଶେଷ ପର୍ଯ୍ୟନ୍ତ କ୍ରିଜ୍ରେ ରହିଥିଲେ। ଜିସାନ୍ ୧୭ ବଲ୍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୬ ଏବଂ ମ୍ୟାକ୍କେଚ୍ନି ୮ ବଲ୍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୬ ରନ୍କରି ଅପରାଜିତ ଥିଲେ। ଭୁବନେଶ୍ବର କୁମାର, ଅର୍ଶଦୀପ ସିଂହ, ଆଭେସ୍ ଖାଁ ଓ ରବୀନ୍ଦ୍ର ଜାଡ଼େଜା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ଟସ୍ ଜିତି ହଂକଂ ଫିଲ୍ଡିଂ ନେବା ପରେ ଅଧିନାୟକ ରୋହିତ ଶର୍ମା ୧୩ ବଲ୍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ଦ୍ରୁତ ୨୧ ରନ୍କରି ଆଉଟ୍ ହୋଇଥିଲେ। ପରେ କେ.ଏଲ୍. ରାହୁଲ ଓ ବିରାଟ କୋହଲି ୫୬ ରନ୍ ଯୋଡ଼ିଥିଲେ। ଫର୍ମକୁ ଫେରିବାର ପ୍ରୟାସ କରୁଥିବା ରାହୁଲ ୩୯ ବଲ୍ରୁ ୨ଟି ଛକା ସହ ୩୬ ରନ୍ କରିଥିଲେ। ପରେ ବିରାଟ ସ୍ବାଭାବିକ ବ୍ୟାଟିଂ କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ଆକ୍ରମଣ କରିଥିଲେ। ୧୫ ଓଭରେର ଭାରତ ୧୧୪ ରନ୍ କରିଥିବା ବେଳେ ଶେଷ ୫ ଓଭରରୁ ୭୮ ରନ୍ ଯୋଡ଼ିଥିଲା। ୧୫.୧ ଓଭର କ୍ରିଜ୍ରେ ରହିଥିବା କୋହଲି ୪୪ ବଲ୍ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୫୯ ରନ୍କରି ଅପରାଜିତ ଥିଲେ। କୋହଲିଙ୍କ ୧୦୧ତମ ଟି୨୦ ମ୍ୟାଚ୍ରେ ଏହା ୩୧ତମ ଅର୍ଦ୍ଧଶତକ। ସୂର୍ଯ୍ୟକୁମାର ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ଏପରିସବୁ ସଟ୍ ଖେଳିଥିଲେ; ଯାହା ଆଧୁନିକ କ୍ରିକେଟ୍ରେ କ୍ବଚିତ ଦେଖାଯାଏ। ଶେଷ ଓଭରରେ ସୂର୍ଯ୍ୟ ୪ଟି ଛକା ସହ ୨୬ ରନ୍ ମାରିଥିଲେ। ସୂର୍ଯ୍ୟକୁମାର ମାତ୍ର ୨୬ ବଲ୍ରୁ ୬ଟି ଲେଖାଏଁ ଛକା ଓ ଚୌକା ସହ ୬୮ ରନ୍ରେ ଅପରାଜିତ ଥିଲେ। ଟି୨୦ରେ ସୂର୍ଯ୍ୟଙ୍କର ଏହା ୬ଷ୍ଠ ଅର୍ଦ୍ଧଶତକ। ସୂର୍ଯ୍ୟକୁମାର ଯାଦବ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
Comments are closed.